କନକ ବ୍ୟୁରୋ: ନିୟମ-କାନୁନ୍ ତା ବାଟରେ ଯାଏ, ହେଲେ ସେହି ବାଟରେ ଯଦି ମାନବିତାକୁ ଦଳିଚକଟି କ୍ଷତାକ୍ତ କରିଦିଆଯାଏ, ତେବେ ଆଇନର ବ୍ୟବସ୍ଥା ଉପରେ ଅନସ୍ଥା ଆସିବା ହୁଏତ ସ୍ୱାଭାବିକ୍ । ବ୍ୟବସ୍ଥା ଉପରେ ଅବ୍ୟବସ୍ଥା ଯେବେ ଭାରି ପଡେ, ପେଟରେ ୮ ମାସର ଛୁଆକୁ ଧରି ଗର୍ଭବତୀ ମହିଳାଙ୍କୁ ବାଟ ଚାଲିବାକୁ ପଡ଼େ । ମୟୁରଭଞ୍ଜରୁ ଆସିଥିବା ଏହି କାହାଣୀ କେବଳ ମାନବିକତାକୁ ମାରି ଦେଇନି, ଜଣେ  ଗର୍ଭବତୀ ମହିଳାଙ୍କ ବିଶ୍ୱାସକୁ ଭାଙ୍ଗିଚୁମାର କରିଦେଇଛି ।

Advertisment

ଏହି ପୁଲିସ୍ ଯାତନା ପଛରେ ଭୁଲ କେବଳ ଏତିକି ଥିଲା ଯେ, ମହିଳା ଜଣକ ହେଲମେଟ୍ ପିନ୍ଧିନଥିଲେ । ନୋଟ ପଂଚାୟତର ଆଦିବାସୀ ମହିଳା, ଗୁରୁବାରୀ ବିରୁଲି, ସ୍ୱାମୀଙ୍କ ବିକ୍ରମ ବିରୁଲିଙ୍କ ସହ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଉଦଳା ହସ୍ପିଟାଲକୁ ଆସୁଥିଲେ । ରାସ୍ତାରେ ଶରତ ଥାନା ପକ୍ଷରୁ ହେଲେମେଟ୍ ଓ ମାସ୍କ ଚେକିଂ ଚାଲିଥିଲା । ସ୍ୱାମୀ ବିକ୍ରମ ହେଲମେଟ୍ ପିନ୍ଧିଥିଲେ, ମାସ୍କ ବି ପିନ୍ଧିଥିଲେ । ହେଲେ ଗୁରୁବାରୀ ମାସ୍କ ପିନ୍ଧିଥିଲେ କିନ୍ତୁ ହେଲମେଟ୍ ପିନ୍ଧିନଥିଲେ । ଆଉ ଏଥିପାଇଁ ଗୁରୁବାରୀଙ୍କୁ ଚାଲିବାକୁ ପଡ଼ିଲା ୩ କିଲୋମିଟର ବାଟ ।

ଡବଲ ହେଲମେଟ ନଥିବାରୁ ପୁଲିସ୍ ଚାଲାଣ କାଟିଲା । ହେଲେ, ଅନ୍ଲାଇନ୍ରେ କିମ୍ବା ପରେ ଆସି ଆର୍ଟିଓରେ ଟଙ୍କା ଦେବା ପାଇଁ ଯେତେବେଳେ ମହିଳାଙ୍କ ସ୍ୱାମୀ ପୁଲିସ୍କୁ କହିଥିଲେ, ଚିହିଁକି ଉଠିଥିଲେ ଶରତ ଥାନାର ଓଆଇସି । ବିକ୍ରମଙ୍କ କିଛି କଥା ନଶୁଣି ବାଇକ୍କୁ ଉଠାଇ ନେବା ସହ ତାଙ୍କୁ ଗାଡ଼ିରେ ବସାଇ ଥାନାକୁ ନେଇଯାଇଥିଲେ । ସ୍ୱାମୀଙ୍କ ସହ ତାଙ୍କୁ ବି ଥାନାକୁ ନେବା ପାଇଁ ଗୁରୁବାରୀ ଯେତେ ନେହୁରା ହୋଇଥିଲେ, ହେଲେ ପୁଲିସ୍ କିଛି ଶୁଣିନଥିଲା ।

ସ୍ୱାମୀଙ୍କୁ ଟେକି ନେଇ ଥାନାରେ ଭିତରେ ୪ଘଂଟା ଧରି ବସାଇ ରଖିଲା ପୁଲଇସ୍ । ଆଉ ଏଭଳି ସ୍ଥିତିରେ ଅସହାୟ ଗର୍ଭବତୀ ମହିଳା, ୩ କିଲୋମିଟର ଚାଲି ଚାଲି ସ୍ୱାମୀଙ୍କ ପାଖରେ ଥାନରେ ପହଂଚିଥିଲେ ଗୁରୁବାରୀ ।

ଏହି ଘଟଣାରେ ଶରତ ଥାନା ଓଆଇସି ରୀନା ବକ୍ସଲାଙ୍କୁ ନିଲମ୍ବିତ କରାଯାଇଛି । ଆଉ ତାଙ୍କ ସ୍ଥାନରେ କପ୍ତିପଦା ଥାନା ଅଧିକାରୀ

ସଂଜୟ ପ୍ରଧାନଙ୍କୁ ଅତିରିକ୍ତ ଦାୟୀତ୍ୱ ଦିଆଯାଇଛି । ହେଲେ ଏଠି ପ୍ରଶ୍ନ ଉଠୁଛି-

- ଚାଲାଣ କାଟିବା ପରେ ବି ପୁଲିସ୍ କର୍ମଚାରୀଙ୍କୁ ଘଟଣାସ୍ଥଳରେ ନଗଦ ଫାଇନ୍ ଆଦାୟ କରିବାକୁ ଅଧିକାର ଦେଲା କିଏ?

- ଚାଲାଣ ଟଙ୍କା ଭରି ଦେବା ପାଇଁ କହିବା ପରେ ବି ବିକ୍ରମଙ୍କୁ ଥାନାକୁ ନେଇ ୪ ଘଂଟା ଧରି ଅଟକ ରଖାଗଲା କାହିଁକି?

- ସ୍ୱାମୀଙ୍କୁ ଯଦି ଥାନାକୁ ନେଲା ପୁଲିସ୍, ଗର୍ଭବତୀ ସ୍ତ୍ରୀଙ୍କୁ ଏକୁଟିଆ ରାସ୍ତାରେ ଛାଡ଼ି ଦେଲା କେମିତି?

- ୩ କିଲୋମିଟର ରାସ୍ତା ଚାଲିଥିବା ଗର୍ଭବତୀ ମହିଳାଙ୍କ ଯଦି କିଛି ହୋଇଯାଇଥାନ୍ତା, ଦାୟୀ ରହିଥାନ୍ତା କିଏ?

ଯେତେବେଳେ ‘ମୋ ସରକାର’ କାର୍ଯ୍ୟକ୍ରମ ଅଭିଯାନ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେତେବେଳେ ପୁଲିସ୍ କର୍ମଚାରୀଙ୍କ ବ୍ୟବହାର କେମିତି ହେବା ଉଚିତ୍ ଫୋନ୍ କରି ବୁଝୁଥିଲେ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରୟାସ ପରେ ବି ଶରତ ଥାନାର ଓଆଇସି ସେତେବେଳେ କ’ଣ ବୁଝିଥିଲେ, ଆଜି ସମସ୍ତଙ୍କ ସାମ୍ନାରେ ଜଳ ଜଳ ହୋଇ ଦେଖାଯାଉଛି ।