କନକ ବ୍ୟୁରୋ: ଜଗତସିଂହପୁରରେ ନିଖୋଜ ଶିଶୁପୁତ୍ରର ମୃତଦେହ ମିଳିବା ଘଟଣାରେ ସାମ୍ନାକୁ ଆସିଛି ସାଙ୍ଘାତିକ ତଥା ଦୁଃଖଦାୟକ ସତ । ଶିଶୁପୁତ୍ର ନିଖୋଜ ହୋଇନଥିଲା କି ତାକୁ କେହି ଅପହରଣ କରିନଥିଲେ । ବରଂ ଛୁଆଟିକୁ ଅପହରଣ କରାଯାଇଥିବା କଥା ଯେଉଁ ମହିଳା କହିଥିଲେ ସେହି ମହିଳା ଓ ତାଙ୍କ ନାବାଳକ ପୁଅ ପିଲାଟି ମୃତ୍ୟୁର କାରଣ ବୋଲି ପୁଲିସ ତଦନ୍ତରୁ ଜଣାପଡିଛି ।
ତେବେ ପୂରା ଘଟଣା ଥିଲା କିଛି ଏପରି...ଜଗତସିଂହପୁର ବିରିଡି ବ୍ଲକ ଶିବପୁର ପଞ୍ଚାୟତର ଶଙ୍କରପୁର ଗାଁକୁ ମାମୁଁଘର ବୁଲି ଆସିଥିଲା ଶିଶୁ ପୁତ୍ର । ହେଲେ ୮ ନଭେମ୍ବର ଦିନ ମାମୁଘର ଗାଁ ଦାଣ୍ଡରେ ଖେଳୁ ଖେଳୁ ନିଖୋଜ ହୋଇଯାଇଥିଲା ୨ ବର୍ଷର କୁନିପୁଅ ସୌମ୍ୟରଞ୍ଜନ । ଏହି ସମୟରେ ଗାଁର ଜଣେ ମହିଳା ଓ ତା’ଙ୍କ ନାବାଳକ ପୁଅ ଶିଶୁପୁତ୍ରକୁ ମାରି କେନାଲରେ ଫିଙ୍ଗି ଦେଇଥିଲେ ।
ମାମୁଁଘରକୁ ବୁଲି ଆସିଥିବା ଶିଶୁଟି ଘର ପାଖ ଦାଣ୍ଡରେ ଖେଳୁଥିଲା । ଏତିକି ବେଳେ ନାବାଳାକ ଜଣକ ବାଉଁଶ ନେଇ ଯିବା ବେଳେ ପିଲା ଦେହରେ ବାଜିଥିଲା ଓ ଅଚେତ ହୋଇଯାଇଥିଲା । ଚେତା ନଫେରିବାରୁ ମରିଯାଇଛି ଭାବି ନାବାଳକ ଜଣଙ୍କ ଭୟରେ କେନାଲକୁ ଫିଙ୍ଗିଦେଇଥିଲେ । ତେବେ ମାମଲା ଲୁଚାଇବାକୁ ନାବାଳକଙ୍କ ମା’ ଏକ ମିଛ କାହାଣୀ ରଚିଥିଲେ । ପିଲାଟିକୁ ଅପହରଣ କରାଯାଇଛି କହିଥିଲେ ମହିଳା ଜଣକ । ତେବେ ଏବେ ସମ୍ପୃକ୍ତ ନାବାଳକ ଓ ତାଙ୍କ ମା’ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବିରିଡ଼ି ଥାନା ପୋଲିସ ।