ଲମ୍ବି ଲମ୍ବି ଚାଲିଛି ଗ୍ୟାଙ୍ଗଷ୍ଟରର ଗର୍ଲଫ୍ରେଣ୍ଡ ତାଲିକା । ଶିକ୍ଷିତ ଯୁବତୀଙ୍କୁ ଫସାଇ ଅପରାଧର ନେଟୱର୍କ ଚଲାଉଥିଲା ସକିଲ । ୨ ନଂ ପ୍ରେମିକା ଗିରଫ ପରେ ୩ ନଂ ଉପରେ ପୋଲିସର ନଜର ।

480

କନକ ବ୍ୟୁରୋ: ଗର୍ଲଫ୍ରେଣ୍ଡ ନମ୍ବର ୧, ଗର୍ଲଫ୍ରେଣ୍ଡ ନମ୍ବର ୨ ଆଉ ଏବେ ଗର୍ଲଫ୍ରେଣ୍ଡ ନମ୍ବର ୩ । ସାମ୍ନାକୁ ଆସୁଛି ଗ୍ୟାଙ୍ଗଷ୍ଟର ସକିଲର ଜଣେ ପରେ ଜଣେ ଗର୍ଲଫ୍ରେଣ୍ଡଙ୍କ ଗୁମର । ତା ସହ ଫିଟୁଛି ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗଷ୍ଟର ସକିଲର ରଂଗୀନ ମିଜାଜର କାହାଣୀ । ମାଳ ମାଳ ପ୍ରେମିକାଙ୍କ ସହ କେବଳ ମଉଜ କରୁନଥିଲା, ସେମାନଙ୍କୁ ନିଜ କ୍ରାଇମ୍ ସିଣ୍ଡିକେଟର ମୋହରା କରିଥିଲା ସକିଲ । ପ୍ରେମିକାଙ୍କ ଜରିଆରେ ଫିଲ୍ମ ଷ୍ଟାଇଲରେ ଅପରାଧର ନେଟ୍ୱର୍କ ଚଳାଇଥିଲା ଏହି ଗାଙ୍ଗଷ୍ଟର । ଗ୍ୟାଙ୍ଗଷ୍ଟର ସକିଲର ଦୁଇ ଦୁଇ ଜଣ ଗର୍ଲଫ୍ରେଣ୍ଡ ଗିରଫ ହେବା ପରେ ଏବେ ତିନି ନମ୍ବର ଗର୍ଲଫ୍ରେଣ୍ଡକୁ ଖୋଜୁଛି କମିସନରେଟ ପୋଲିସ ।

ଦାଦାବଟି ଆଦାୟ ଠାରୁ ଆରମ୍ଭ କରି ବ୍ୟବସାୟୀଙ୍କୁ ଧମକ ଚମକ ଦେବାରେ ଗାଙ୍ଗଷ୍ଟରର ଏହି ପ୍ରେମିକାମାନେ ନେଉଥିଲେ ପ୍ରମୁଖ ଭୂମିକା । ସବୁଠୁ ବଡ଼ କଥା ହେଉଛି ଶିକ୍ଷିତା ଯୁବତୀମାନଙ୍କୁ ପ୍ରେମିକା ସଜାଇ ନିଜ ଅପରାଧ ସାମ୍ରାଜ୍ୟରେ ମିଶାଇଥିଲା ସକିଲ୍ । ୧ ନମ୍ବର ପ୍ରେମିକା ନସରିନ ଜଣେ ଆଇନ ଛାତ୍ରୀ ହୋଇଥିବା ବେଳେ ଦୁଇ ନମ୍ବର ପ୍ରେମିକା ରେସମ୍ ଜଣେ ଏୟାର ହଷ୍ଟେସ୍ । ସକିଲର ତୃତୀୟ ପ୍ରେମିକା ଉପରେ ନଜର ରଖିଛି କମିସନରେଟ୍ ପୋଲିସ । ସକିଲ କ୍ରାଇମ ସିଣ୍ଡିକେଟରେ ତାଙ୍କର ସମ୍ପୃକ୍ତି ପ୍ରମାଣ ମିଳିଲେ ତାକୁ ମଧ୍ୟ ଗିରଫ କରାଯିବ ବୋଲି କହିଛନ୍ତି କଟକ ଡିସିପି ।

ସେପଟେ ସାମ୍ନାକୁ ଆସିଛି ଜେଲ ଭିତରେ ଗ୍ୟାଙ୍ଗଷ୍ଟର ସକିଲର ସେଲଫି । ତା’ର ପୂରା ନେଟ୍ୱର୍କକୁ ଧରିବା ପାଇଁ ପୋଲିସ ତନାଘନା କରୁଥିବା ବେଳେ ଜେଲ ଭିତରେ ଅୟସ କରୁଛି ସକିଲ୍ । ଚୌଦ୍ୱାର ଜେଲ ଭିତରେ ସ୍ମାର୍ଟ ଫୋନ ବ୍ୟବହାର କରି ସେଲଫି ନେଉଛି, ଫୋନରେ ଦାଦାବଟି ମାଗୁଛି । ହେଲେ ଜେଲ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

କଟକର ବ୍ୟବସାୟୀ ଯୋଗେଶ ଅଗ୍ରୱାଲ ଓ ତାଙ୍କ ଭାଇ ସୁରଜ ଅଗ୍ରୱାଲଙ୍କୁ ଧମକ ଦେବା ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଗ୍ୟାଙ୍ଗଷ୍ଟର ସକିଲର ଦୁଇ ପ୍ରେମିକା ସହ ୭ ଜଣଙ୍କୁ ଗିରଫ କରାଯାଇଛି ।