ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ : ଡାଏରୀରେ ଥିବା ପ୍ରଭାବଶାଳୀଙ୍କ ସମ୍ପର୍କରେ ଉଲ୍ଲେଖ

104

କନକ ବ୍ୟୁରୋ : ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗ ମାମଲାରେ ଦାଖଲ ହେଲା ଚାର୍ଜସିଟ୍ । ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କ ନାଁରେ ଜେଏମଏଫସି-୫ କୋର୍ଟରେ ଦାଖଲ ହେଲା ଚାର୍ଜସିଟ୍ । ୨୪ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଖଣ୍ଡଗିରି ପୁଲିସ । ଚାର୍ଜସିଟରେ ଅର୍ଚ୍ଚନାଙ୍କ ହନିଟ୍ରାପର ପୁରା କାହାଣୀ ରହିଛି । କିପରି ଜଣଙ୍କ ପରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିକୁୁ ଫସାଇ ବ୍ଲାକମେଲ କରି ଟଙ୍କା ଲୁଟୁଥିଲେ । କାହାକୁ ମୋହରା ବନାଇ ବ୍ଲାକମେଲ କରୁଥିଲେ ତାହା ଉପରେ ଚାର୍ଜସିଟରେ ଉଲ୍ଲେଖ ଥିବା ସୂଚନା ମିଳିଛି ।

ଜେରା ସମୟରେ ପୋଲିସ ଉଭୟଙ୍କ ସମ୍ପର୍କରେ ଅନେକ ତଥ୍ୟ ହାତେଇଥିଲା । ସମସ୍ତ ତଥ୍ୟକୁ କୋର୍ଟରେ ଦାଖଲ କରିଛି ପୋଲିସ । ଏହା ଛଡ଼ା ବିଭିନ୍ନ ଲୋକଙ୍କ ସହ କୋଟିଏରୁ ଅଧିକ ଟଙ୍କାର ଆଥିର୍କ କାରବାର କରିଥିବା ଚାର୍ଜସିଟ୍ରେ ଦର୍ଶାଯାଇଛି । ୩୪୧, ୩୨୮, ୩୨୪, ୩୫୪-ସି, ୩୭୦, ୩୮୬, ୩୮୭, ୪୨୦, ୩୮୯, ୬୬-ଇ, ୬୭ ଦଫା ଲଗାଇଛି ପୋଲିସ । ଚାର୍ଜସିଟରେ ଘଟଣାସ୍ଥଳର ତଥ୍ୟ, ଫରେନସିକ୍ ରିପୋର୍ଟ, ସିଡ଼ିଆର ଆନାଲିସିସ୍, ବ୍ୟାଙ୍କ ଟ୍ରାଂଜାକ୍ସନ୍, ହ୍ୱାଟସଆପ୍ ଚାଟ୍ ତଥ୍ୟ ରହିଛି । ଏହା ପୂର୍ବରୁ ଅର୍ଚ୍ଚନା ନାଗଙ୍କ ଅନ୍ୟ ଏକ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା ନୟାପଲ୍ଲୀ ପୁଲିସ ।

ଅର୍ଚ୍ଚନାଙ୍କ ଡାଏରିରେ ଥିବା ବହୁ ପ୍ରଭାବଶାଳୀଙ୍କ ନାଁକୁ ଆଧାର କରି ପୁଲିସ ସେମାନଙ୍କୁ ଜେରା କରିଥିଲା । ସେହିପରି ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ହ୍ବାଟ୍‌ସଆପ୍‌ ଚାର୍ଟ ଏବଂ କଲ୍ ଡିଟେଲ୍ସରୁ ପୁଲିସ କେତେକ ଲୋକଙ୍କୁ ସନ୍ଦେହ କରି ଜେରା କରିଥିଲା । ଜେରା ସମୟରେ ପୁଲିସ ଉଭୟଙ୍କ ସମ୍ପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଥିଲା । ସମସ୍ତ ତଥ୍ୟକୁ ପୁଲିସ କୋର୍ଟରେ ଦାଖଲ କରିଛି। ଏହାଛଡ଼ା ଉଭୟ ବିଭନ୍ନ ଲୋକଙ୍କ ସହ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଆର୍ଥିକ କାରବାର କରିଥିବା ଚାର୍ଜସିଟରେ ଦର୍ଶାଯାଇଛି । ପୁଲିସ ଚାର୍ଜସିଟ୍‌ ଦାଖଲ ପରେ ବଡ଼ବଡ଼ିଆ ଓ ପ୍ରଭାବଶାଳୀଙ୍କ ମଧ୍ୟରେ ଛନକା ପଶିଛି ।

ପୂର୍ବରୁ ଗତ ଜାନୁଆରି ୯ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨୨୪୧ପୃଷ୍ଠା ସମ୍ବଳିତ ଏକ ଚାର୍ଜସିଟ ଦାଖଲ କରିଥିଲା। ଯେଉଁଥିରେ ଅଭିଯୁକ୍ତ ଭାବେ ୪ ଜଣଙ୍କର ନାମ ଉଲ୍ଲେଖ କରାଯାଇଥିଲା । ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ, ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ବର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରା । ସେହିପରି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମଞ୍ଚେଶ୍ବର ଥାନା ଅଧୀନ ସତ୍ୟବିହାରରେ ଥିବା ବିଳାସପୂର୍ଣ୍ଣ ଘରକୁ ମଧ୍ୟ ଇଡି ଆଟାଚ୍‌ କରିଥିଲା । ଏହି ଘରର ମୂଲ୍ୟ ୩.୪ କୋଟି ଟଙ୍କା ଆକଳନ କରାଯାଇଛି । କିଛିଦିନ ତଳେ ଇଡି ଉକ୍ତ କୋଠା ମାପଚୁପ କରିଥିଲା । ମୋଟ ୧୫ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଏହି ଚାର୍ଜସିଟ୍ ପ୍ରସ୍ତୁତ କରିଥିଲା ।