କନକ ବ୍ୟୁରୋ : ରାଉରକେଲାରେ କୋଭିଡ କଟକଣା ନମାନି ଶବ ଶୋଭାଯାତ୍ରା କରିବା ଅଭିଯୋଗରେ ୫୦୦ରୁ ଅଧିକ ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା । ନିୟମ ଭଙ୍ଗକାରୀଙ୍କ ବିରୋଧରେ ମହାମାରୀ ଆଇନ ଓ ଆଇପିସିର ଧାରା ଅନୁସାରେ ମାମଲା ରୁଜୁ କରିଛି ରାଉରକେଲା ପୋଲିସ୍ । ଅନ୍ୟପଟେ କରୋନା ମୁକାବିଲା ପାଇଁ ରାଜ୍ୟବ୍ୟାପୀ କଟକଣା ଜାରି ରହିଥିବାବେଳେ ଶୋଭାଯାତ୍ରାବେଳେ ପୋଲିସର ନୀରବତାକୁ ନେଇ ପ୍ରଶ୍ନ ଉଠାଇଛି ରାଉରକେଲାର ଓକିଲ ସଂଘ ।
ପୋଲିସର ନାକତଳେ ସମସ୍ତ ନିୟମକୁ ଉଲଂଘନ କରି ହଜାର ହଜାର ଲୋକ ଶବ ଶୋଭାଯାତ୍ରା କରିବା ପରେ ପୋଲିସ ଉପରେ ବର୍ଷିଛି ରାଉରକେଲା ଓକିଲ ସଂଘ । ଆଇନଜୀବୀମାନେ ସାମ୍ବାଦିକ ସମ୍ମିଳନୀ କରି ଶୋଭାଯାତ୍ରା ଆୟାଜନବେଳେ ପୋଲିସର ନିରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ମାନିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିବାବେଳେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ଏହାକୁ କାର୍ଯ୍ୟକାରୀ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ପୋଲିସର ଏହି ନିରବତା ରାଉରକେଲାକୁ ବିପଦ ଭିତରକୁ ଠେଲି ଦେଇଛି । ଆଗାମୀ ଦିନରେ ରାଉରକେଲାରେ କରୋନା ସଂକ୍ରମଣ ବଢ଼ି ଯିବ ବୋଲି ସେମାନେ ଆଶଙ୍କା କରିଛନ୍ତି ।
ଗତ ଜୁନ୍ ୭ ତାରିଖ ସନ୍ଧ୍ୟାରେ ରାଉରକେଲା ନାଲାରୋଡର ଜଣେ ବ୍ୟକ୍ତିଙ୍କୁ ରେଲୱେ କଲୋନୀରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏହାପରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣା ପ୍ରଘଟ ହୋଇଯିବା ପରେ ୮ ତାରିଖ ସନ୍ଧ୍ୟାରେ ହଜାର ହଜାର ଲୋକ ଏକାଠି ହୋଇ ଶବ ଶୋଭାଯାତ୍ରା କରିଥିଲେ । ଏହି ଶୋଭାଯାତ୍ରା ମେନରୋଡ୍ ମାର୍କେଟ ଦେଇ ପ୍ଲାଣ୍ଟ ସାଇଟ୍ ଥାନା ଆଗରେ ଚାଲିଥିଲା । ହେଲେ ନିରବଦ୍ରଷ୍ଟା ସାଜିଥିଲା ପୋଲିସ୍ । ସେହିପରି ମେ ୨୬ ତାରିଖରେ କଣ୍ଟେନମେଣ୍ଟ ଜୋନକୁ ବିରୋଧ କରି ନାଲାରୋଡର କିଛି ଲୋକ ଲଙ୍କା କାଣ୍ଡ ଘଟାଇଥିଲେ । ହେଲେ ପୋଲିସ ସେମାନଙ୍କୁ ବି ମୁକାବିଲା କରିବାରେ ପଛଘୁଞ୍ଚା ଦେଇଥିଲା ।