‘ଦିଲ୍ଲୀ ଚଲୋ’ ଜିଦରେ ଅଟଳ ଚାଷୀ । ଶମ୍ଭୁରେ ପୁଲିସ- ଚାଷୀ ମୁହାଁମୁହିଁ । ସୁରକ୍ଷା ବ୍ୟାରିକେଡ୍ ଭାଙ୍ଗିଲେ, ପୁଲିସ ଉପରକୁ ପଥର ମାଡ କଲେ ।

40

କନକ ବ୍ୟୁରୋ: ଜୋରଦାର ହେଉଛି ଚାଷୀଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନ । ପଂଜାବର ଫତେଗଡ଼ ସାହିବରୁ ଶମ୍ଭୁ ସୀମା ଯାଏଁ ଶତାଧିକ ଟ୍ରାକ୍ଟର ଓ ଅନ୍ୟ ଯାହବାହନ ଧରି ଦିଲ୍ଲୀ ଅଭିମୁଖେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ଚାଷୀ ଆନ୍ଦୋଳନ ଯୋଗୁଁ ହରିୟାଣାରେ ଆଉ ଦୁଇ ଦିନ ଇଣ୍ଟରନେଟ୍ ସେବା ବନ୍ଦ ରହିବ ।

ହରିୟାଣା ସରକାର ଫେବ୍ରୁଆରି ୧୫ ତାରିଖ ପର୍ଯ୍ୟନ୍ତ ଇଂଟରନେଟ୍ ସେବାକୁ ବନ୍ଦ କରିଦେଇଛନ୍ତି । ଅମ୍ବାଲା, କୁରୁକ୍ଷେତ୍ର, କୈଥାଲ, ଜିନ୍ଦ, ହିସାର, ଫତେହାବାଦ, ସିରସା ଏବଂ ଡାବବାଲୀରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ସେହିପରି ରାଜସ୍ଥାନର ତିନିଟି ଜିଲ୍ଲା ଶ୍ରୀଗଙ୍ଗାନଗର, ଅନୁପଗଡ଼ ଓ ହନୁମାନଗଡ଼ରେ ଇଂଟରନେଟ୍ ସେବା ବନ୍ଦ କରାଯାଇଥିବା ବେଳେ ୧୫ଟି ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି ।

ଏହି ଆନ୍ଦୋଳନ ପରେ ଚାଷୀମାନେ ଦିଲ୍ଲୀ ଅଭିମୁଖେ ପଦଙ୍କାତ୍ରା ଜାରି ରଖିବାକୁ ଘୋଷଣା କରିଛନ୍ତି । ପଞ୍ଜାବରେ ୧୪୪ ଧାରା ଜାରି ସଲ୍ୱେ ମଙ୍ଗଳବାର ହଜାର ହଜାର ଆନ୍ଦୋଳନକାରୀ ଚାଷୀ ଟ୍ରାକ୍ଟର-ଟ୍ରଲି ଓ ବନ୍ଧୁକ ଧରି ଶମ୍ଭୁ ସୀମା ଓ ଦାତା ସିଂହ ସୀମାରେ ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ଆଉ ବିକ୍ଷୋଭକାରୀମାନେ ପୁଲିସ ଉପରକୁ ମଧ୍ୟ ପଥର ମାଡ଼ କରିଥିଲେ । ତେବେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ ପାଣି ମାଡ଼, ଲୁହବୁହା ଗ୍ୟାସ୍ ଓ ଲାଠି ଚାଳନା କରାଯାଇଥିଲା । ଏପରିକି ପଥର ମାଡ଼ରେ ୨୪ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଶମ୍ଭୁ ସୀମାରେ ଡିଏସପିି ଓ ଅନ୍ୟ ର୍ୟାଙ୍କର ୧୫ ଜଣ ପୁଲିସ ଡ୍ୟୁଟିରେ ଥିବା ବେଳେ ଜିନ୍ଦର ଦାତା ସିଂହ ସୀମା ଆଉଟପୋଷ୍ଟରେ ୯ ଜଣ ପୁଲିସ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।