ମମିତା ହତ୍ୟାକାଣ୍ଡ : ଲେଡିଜ ହଷ୍ଟେଲରେ ପଶିଲା ପୋଲିସ ? କଣ ଖୋଜୁଛି, କାହାକୁ ଜଣାନାହିଁ?

285

କନକ ବ୍ୟୁରୋ : ମମିତା ହତ୍ୟାକାଣ୍ଡ ମାମଲାରେ ଗୋବିନ୍ଦଙ୍କ ମୁଖ୍ୟ ସହଯୋଗୀ ଗିରଫ । ସନସାଇନ୍ କଲେଜ ମାଲିକ ଗୋବିନ୍ଦ ସାହୁଙ୍କ ସହଯୋଗୀ ରାଧେଶ୍ୟାମ ଚଣ୍ଡିଙ୍କୁ ଗିରଫ କରିଛି ବଲାଙ୍ଗୀର ପୁଲିସ । ଆଜି ରାଧେଙ୍କୁ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହାଜର କରିଛି ପୁଲିସ । ଏହି ଜଘନ୍ୟ ହତ୍ୟାକାଣ୍ଡରେ ଗୋବିନ୍ଦଙ୍କୁ ସଂପୂର୍ଣ୍ଣ ସହଯୋଗ କରିଥିଲା ରାଧେଶ୍ୟାମ । ମମିତାଙ୍କୁ ହତ୍ୟା କରିବା, ମୃତଦେହକୁ ପୋଡିବା ପରେ ମାଟି ତଳେ ପୋତି ପ୍ରମାଣ ନଷ୍ଟ କରିବାରେ ଗୋବିନ୍ଦଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ ରାଧେଶ୍ୟାମ । ହତ୍ୟାକାଣ୍ଡରେ ତାଙ୍କ ସଂପୃକ୍ତି ନେଇ ପ୍ରମାଣ ମିଳିବା ପରେ ରାଧେଙ୍କୁ ଗିରଫ କରାଯାଇଛି ।

ମମିତା ମାମଲାରେ ଗୋବିନ୍ଦ ଓ ତାଙ୍କ ମୁଖ୍ୟ ସହଯୋଗୀ ରାଧେ ଗିରଫ ହୋଇଥିବା ବେଳେ ତାଙ୍କ ଜେସିବି ଡ୍ରାଇଭର ଓ ଜଣେ କର୍ମଚାରୀ ରାଜସାକ୍ଷୀ ହେବେ । ସେପଟେ ଏହି ଘଟଣାରେ ଛାତ୍ରୀ ଓ ଶିକ୍ଷକଙ୍କୁ ପଚରାଉଚରା କରାଯାଉଛି । ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନାରେ ସନସାଇନ୍ କଲେଜର ଜଣେ ଛାତ୍ରୀ ଓ ଜଣେ ଶିକ୍ଷକଙ୍କୁ ପଚରାଉଚରା କରାଯାଉଛି । ମଙ୍ଗଳବାର ଦିନ ଷ୍ଟାଡିୟମରୁ ମମିତାଙ୍କ ମୃତଦେହ ସହ ପାଉଁଜି, ସୁନା ଚେନ୍ ଓ ବ୍ୟାଗ୍ ମିଳିଥିଲା । କିନ୍ତୁ ମୋବାଇଲ ମିଳିନଥିଲା । ଯାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

ତେବେ ଆଜି ପୁଣିଥିରେ ଷ୍ଟାଡିୟମରେ ଖୋଳାଖୋଳି କରିବା ସହ ଛାନଭିନ କରିଛି ପୋଲିସ । ଫରେନସିକ୍ ଟିମ୍ ସହ ଷ୍ଟାଡିୟମକୁ ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗୀର ଏସପି ଯାଇ ଅନ୍ୟ କିଛି ନମୁନା ସଂଗ୍ରହ କରିଛନ୍ତି । ଆଉ ଷ୍ଟାଡିୟମରୁ ସିଧା ସନସାଇନ୍ କଲେଜ ଲେଡିଜ ହଷ୍ଟେଲରେ ଛାନଭିନ୍ କରିଛନ୍ତି ଡିଆଇଜି ଦୀପକ କୁମାର ଓ ଏସପି । ହତ୍ୟାକାଣ୍ଡ ସହ ହଷ୍ଟେଲର କିଛି ସଂପୃକ୍ତି ରହିଛି ନା ନାହିଁ ତାର ଖୋଳତାଡ କରିଛନ୍ତି ଡିଆଇଜି । କାରଣ କଲେଜରେ ସେକ୍ସ ରାକେଟ ଚାଲୁଥିଲା ବୋଲି ଆଜି ମୁହଁ ଖୋଲିଛନ୍ତି ଏଠାରେ ପଢୁଥିବା ଜଣେ ଛାତ୍ର । ଏପରିକି ମନ୍ତ୍ରୀ ଦିବ୍ୟଶଙ୍କର ଲେଡିଜ ହଷ୍ଟେଲ ଆସୁଥିବା ନେଇ କହିଛନ୍ତି ଉକ୍ତ ଛାତ୍ର । ଆଉ ଏଭଳି ଘଟଣା ଏବେ ସାମ୍ନାକୁ ଆସିବା ପରେ ଲେଡିଜ ହଷ୍ଟେଲରେ ପଡିଛି ପୋଲିସର ପାଦ । ପୋଲିସ ଏଠାରେ କେଉଁ ଦିଗକୁ ନେଇ ତଦନ୍ତ କରୁଛି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ମମିତାଙ୍କ ମୋବାଇଲ ଫୋନ୍ ଓ ସ୍ଥାନୀୟ ଲୋକେ ଅଭିଯୋଗ କରୁଥିବା ବିଭିନ୍ନ ଦିଗକୁ ନେଇ ତଦନ୍ତ ଆଗକୁ ବଢାଉଥିବା କୁହାଯାଉଛି ।