ଫେରାରରୁ ଏନକାଉଣ୍ଟର । ଗ୍ୟାଙ୍ଗଷ୍ଟର ହାଇଦରର କାହାଣୀ… ଏମିତି ଖାଇଲା ଗୁଳି

336

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟ ହୋଇଥିବା ସୂଚନା । ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯିବା ବେଳେ ଖସି ପଳାଇବାକୁ ଉଦ୍ୟମ କରୁଥିଲା ହାଇଦର । ଦୌଡି ପଳାଉଥିବା ବେଳେ ଜଣେ ପୋଲିସ ସବ ଇନ୍ସପେକ୍ଟର ହାଇଦର ଉପରକୁ ଗୁଳି କରିଥିଲେ । ଗୁଳିମାଡ ପରେ ଆହତ ହାଇଦରକୁ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଗତ ଏପ୍ରିଲ ମାସରେ କଟକ ଏସସିବିରୁ ଫେରାର ହୋଇଯାଇଥିଲା ହାଇଦର । ଚିକିତ୍ସା ହେବାକୁ ଆସି ପୋଲିସକୁ ଚକମା ଦେଇ ଫେରାର ହୋଇ ଯାଇଥିଲା ହାଇଦର । ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇଯିବା ପରେ ତାକୁ ଧରିବାକୁ ଜୋରଦାର କସରତ କରିଥିଲା ପୋଲିସ । ଆଉ ହାଇଦର ଫେରାର ହେବା ଘଟଣାକୁ ନେଇ ପୋଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ଏହାପରେ ହାଇଦରକୁ ଖୋଜିବା ପାଇଁ ଆରମ୍ଭ ହୋଇଥିଲା ଅପରେସନ । ଦେଶର ବିଭିନ୍ନ ରାଜ୍ୟରେ ନିଜ ନେଟୱାର୍କ ଲଗାଇଥିଲା ପୋଲିସ । ପରେ ଖବର ଆସିଥିଲା ହାଇଦର ତେଲେଙ୍ଗାନାରେ ଲୁଚି ରହିଛି । ପରେ କଟକ ଡିସିପିଙ୍କ ନେତୃତ୍ୱରେ ଗଠନ ହୋଇଥିଲା ୨ଟି ଟିମ । ଆଉ ୨ଟି ଟିମ ହାଇଦରକୁ ଧରିବାକୁ ତେଲେଙ୍ଗାନା ଯାଇଥିଲେ । ହାଇଦର ବାଇକରେ ଯାଉଥିବା ବେଳେ ପୋଲିସ ତାକୁ କାବୁ କରିଥିଲା ।

ଏହି ଘଟଣାକୁ ବିତି ଯାଇଛି ୪ ମାସ । ଆଉ ଏବେ ପୁଣି ଚର୍ଚ୍ଚାରେ ହାଇଦର । ହାଇଦରକୁ ବାରିପଦା ଜେଲକୁ ସ୍ଥାନାନ୍ତର ବେଳେ ରାସ୍ତାରେ ପରିଶ୍ରା ନାଁ କହି ତଳକୁ ଓହ୍ଲାଇଥିଲା ଏହି କୁଖ୍ୟାତ ଅପରାଧୀ । ଆଉ ସେହି ସମୟରେ ସୁରକ୍ଷା କର୍ମୀଙ୍କ ବନ୍ଧୁକ ଛଡାଇ ନେଇଥିଲା । ଆଉ ଦୌଡି ପଳାଇବାକୁ ଚେଷ୍ଟା କରୁଥିଲା । ସେହି ସମୟରେ ଜଣେ ସବଇନ୍ସପେକ୍ଟର ହାଇଦର ଉପରକୁ ଗୁଳି ଚଳାଇଥିଲେ । ଗୁଳି ସିଧା ଯାଇ ହାଇଦର ପେଟରେ ବାଜିଥିଲା । ପରେ ଆହତ ହାଇଦରକୁ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।