କନକ ବ୍ୟୁରୋ: ୟୁପିରେ ଦୁଇ ପିଲାଙ୍କ ହତ୍ୟା ଅଭିଯୁକ୍ତକୁ ପୋଲିସ୍ ଏନକାଉଣ୍ଟର । ବଦାୟୁଁରେ ପଡ଼ୋଶୀ ଘରେ ପଶି ୨ ପିଲାଙ୍କୁ ଗଳାକାଟି ହତ୍ୟା କରିଥିଲା ଅଭିଯୁକ୍ତ ସାଜିଦ । ସେ ଜଣେ ସେଲୁନ ଦୋକାନୀ । ବିନୋଦ କୁମାର ମଧ୍ୟ ସେଲୁନ ଦୋକାନ ଦେଇଥିଲେ । ଉଭୟ ପଡ଼ୋଶୀ, ହେଲେ ସେଲୁନ ବେପାର ନେଇ ଉଭୟଙ୍କ ମଧ୍ୟରେ ଶତୃତା ରହିଆସିଥିଲା । ଏହାକୁ ନେଇ ସାଜିଦ ମଙ୍ଗଳବାର ବିନୋଦଙ୍କ ଘରକୁ ଯାଇଥିଲେ । ଏହି ସମୟରେ ସେ ନଥିଲେ । ତେବେ ଅଭିଯୁକ୍ତ ଚା ପିଇବାକୁ ମାଗିଥିଲେ । ଚା’ ତିଆରି କରିବାକୁ ବିନୋଦଙ୍କ ସ୍ତ୍ରୀ ଯାଇଥିବା ବେଳେ ଅଭିଯୁକ୍ତ ସାଜିଦ୍ ୧୧ ବର୍ଷ ଓ ୬ ବର୍ଷର ଦୁଇ ପୁଅଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ । ଆକ୍ରମଣରେ ବିନୋଦଙ୍କ ଆଉ ଏକ ଛୋଟ ପୁଅ ମଧ୍ୟ ଆହତ ହୋଇଛନ୍ତି । ଏହି ଜଘନ୍ୟ ହତ୍ୟାକାଣ୍ଡ ଭିଆଇ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟ ପ୍ରବଳ ଅସନ୍ତୋଷ ଦେଖାଯିବା ସହ ସେମାନେ ରାସ୍ତାରୋକ କରିଥିଲେ । ପୋଲିସ୍ ତୁରନ୍ତ ଅଭିଯୁକ୍ତକୁ ଧରି ଦଣ୍ଡ ଦେବାକୁ ଦାବି କରିଥିଲେ । ପୋଲିସ୍ ତୁରନ୍ତ ଅଭିଯୁକ୍ତକୁ ଧରିବାକୁ ତନାଘନା ଚଳାଇଥିଲା, ଆଉ କିଛି ଘଂଟା ଭିତରେ ଅଭିଯୁକ୍ତକୁ ଠାବ କରିବାରେ ସଫଳ ହୋଇଥିଲା । ତେବେ ଅଭିଯୁକ୍ତ ପୋଲିସ୍ ଉପରକୁ ଗୁଳିଚାଳନା କରିବା ପରେ ପୋଲିସର ପାଲଟା ଗୁଳିଚାଳନାରେ ତାର ଜୀବନ ଯାଇଛି ।