ଭିନ୍ନକ୍ଷମ ମାଗୁଛି ନ୍ୟାୟ, କୁଆଡେ ଗଲା ଅଭିଯୁକ୍ତ ? ଦିବ୍ୟାଙ୍ଗ ଯୁବତୀଙ୍କୁ ନିର୍ଯାତନା ଘଟଣାର ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାକୁ ଖୋଜୁଛି ପୁଲିସ୍, ହେଲେ ପାଉନି ଟେର୍

100

କନକ ବ୍ୟୁରୋ : ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଦୁଇ ମାସ ତଳୁ ଅଭିଯୋଗ ହୋଇଥିଲେ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାକୁ ଏପର୍ଯ୍ୟନ୍ତ ଧରିପାରିନି ପୋଲିସ । ଅଭିଯୋଗ ସତ୍ୱେ ସୁରେଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବାରୁ ଫେରାର ହେବାରେ ସକ୍ଷମ ହୋଇଛି ସୁରେଶ । ଅନ୍ୟପଟେ ପ୍ରଶାସନର କାର୍ଯ୍ୟକୁ ଉଠିଛି ପ୍ରଶ୍ନ ।

ଭୁବନେଶ୍ୱର ପଳାସପଲ୍ଲୀରେ ଥିବା ନିଖିଳ ଉକ୍ରଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସମ୍ପାଦକ । ଏହି ବାବୁଙ୍କ ବିରୋଧରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ଦେବା ଭଳି ସାଂଘାତିକ ଅଭିଯୋଗ ଆସିବା ପରେ ତାଙ୍କ ପତା ମିଳୁନି । କୁହାଯାଉଛି ସେ ଫେରାର ହୋଇଯାଇଛନ୍ତି । ଏବେ କେଉଁଠି ଅଛନ୍ତି ତାହା କାହାକୁ ଜଣା ନାହିଁ । ଏପଟେ ନ୍ୟାୟ ଅପେକ୍ଷାରେ ଅନାଇ ବସିଛନ୍ତି ଅଭିଯୋଗକାରିଣୀ ମହିଳା । ହେଲେ ପୋଲିସ ହାତ ଖାଲି । ଆଉ ସୁରେଶ ଫେରାର ହୋଇଯିବା ପରେ ତାକୁ ଧରିବା ପାଇଁ ସ୍ପେଶାଲ ଟିମ୍ କରିଛି କମିଶନରେଟ୍ ପୋଲିସ୍ ।

ସୁରେଶ ଫେରାର ହୋଇଯାଇଥିବା ଖବର ସାମନାକୁ ଆସିବା ପରେ ପ୍ରଶ୍ନ ଉଠାଇଛନ୍ତି ସମାଜସେବୀ । ମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେବା ପରେ କାହିଁକି ସୁରେଶକୁ ଧରା ଯାଇନଥିଲା ଓ ଖୁଲମଖୁଲା ଛାଡି ଦିଆଯାଇଥିଲା ତାକୁ ନେଇ ପ୍ରଶାସନକୁ ଘେରିଛନ୍ତି । ସେହିପରି ଭିନ୍ନକ୍ଷମ କମିଶନଙ୍କ ଆଡକୁ ମଧ୍ୟ ଆଙ୍ଗୁଳି ଉଠିଛି । ଭିନ୍ନକ୍ଷମ କମିଶନ କଣ କରୁଥିଲେ ବୋଲି ପଚାରିଛନ୍ତି । ସେପଟେ ଭିନ୍ନକ୍ଷମ କମିଶନ କହିଛନ୍ତି ତାଙ୍କ ନିକଟରେ ଅଭିଯୋଗ ହୋଇନଥିଲା କିନ୍ତୁ ଜାଣିବା ପରେ ତଦନ୍ତ ଆରମ୍ଭ କରିଛନ୍ତି ।

ସୁରେଶ ଫେରାର ହେବା ଜଣାପଡିବା ପରେ ପ୍ରଶ୍ନ ଉଠୁଛି ସୁରେଶ କେବେଠାରୁ ଫେରାର ଅଛନ୍ତି? ଫେରାର ହେବା ପାଇଁ କାହିଁକି ସୁରେଶକୁ ଦୁଇ ମାସ ସୁଯୋଗ ଦିଆଯାଇଥିଲା । ସୁରେଶ ମୁଣ୍ଡରେ କାହାର ରହିଛି ହାତ ।