କନକ ବ୍ୟୁରୋ : ପୋଲ ଖୋଲିଦେବକି ଇଣ୍ଟରପୋଲ? ରାୟଗଡା ସାଇ ଇଂଟରନ୍ୟାସନାଲରେ ଦୁଇ ରୁଷ୍ ପର୍ଯ୍ୟଟକଙ୍କ କେମିତି ମୃତ୍ୟୁ ହେଲା? ଋହସ୍ୟ ଖୋଲିବା ପାଇଁ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଂଚ । ଶ୍ମଶାନରେ ପହଁଚି ପୋଡା ପାଉଁଶ ତଳୁ ଖିଅ ଖୋଜୁଛି । ଫରେନସିକ୍ ଓ ସାଇଂଟିଫିକ୍ ଟିମ୍ ଶ୍ମଶାନରୁ ହାଡ ଓ ଶରୀରର ଅନ୍ୟକିଛି ଅଂଶ ସହିତ ପାଉଁଶ ସଂଗ୍ରହ କରିଛନ୍ତି । ତାପେର ପୁଣି ଥରେ ହୋଟେଲକୁ ଯାଇ ମୃତକଙ୍କ ଲ୍ୟାପଟପ୍, ମୋବାଇଲ, ପାସପୋର୍ଟ ସମେତ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷପତ୍ର ଜବତ କରିଛି କ୍ରାଇମବ୍ରାଂଚ ଟିମ୍ ।
ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁର ରହସ୍ୟ ଖୋଲିବା ପାଇଁ ଆବଶ୍ୟକ ପଡିଲେ ଇଂଟରପୋଲର ସହାୟତା ନିଆଯାଇପାରେ । ଏପରି ସୂଚନା ନିଜେ ଦେଇଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । କହିଛନ୍ତି, ରୁଷୀୟ ନାଗରିକଙ୍କ ମୃତ୍ୟୁ ମାମଲାରେ ଦକ୍ଷ ଅଫିସର ତଦନ୍ତ କରୁଛନ୍ତି । ତଦନ୍ତରେ କୌଣସି ଅବହେଳା ହୋଇଥିବା ଏଯାଏଁ ଜଣାପଡି ନାହିଁ । ଯଦି ଆବଶ୍ୟକ ପଡେ ଇଂଟରପୋଲର ସହାୟତା ନେବ ପୋଲିସ ।
ସାଧାରଣତଃ ଯେତେବେଳେ କୌଣସି ବିଦେଶୀ ନାଗରିକଙ୍କ ବ୍ୟକ୍ତିଗତ ସାମଗ୍ରୀର ଯାଂଚ କରାଯାଏ ସେତେବେଳେ, ଇଂଟରପୋଲର ସହାୟତା ନିଆଯାଇଥାଏ । ଆଉ ଏବେ ଜବତ ହୋଇଥିବା ପାଭେଲଙ୍କ ବ୍ୟକ୍ତିଗତ ଜିନିଷକୁ, ଇଂଟରପୋଲ ସହାୟତାରେ ଯାଂଚ କରି, ଆଉ କିଛି ତଥ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି କ୍ରାଇମବ୍ରାଂଚ । ସେପଟେ ରାୟଗଡାରେ ଥିବା କ୍ରାଇମବ୍ରାଂଚର ସ୍ୱତନ୍ତ୍ର ଟିମ୍ ତୃତୀୟ ଦିନରେ ବି ତଦନ୍ତ ଜାରି ରଖିଛି । ହୋଟେଲକୁ ଯାଇ କର୍ମଚାରୀଙ୍କୁ ପୁଣି ଥରେ ପଚରାଉଚୁରା କରିଛନ୍ତି ।
ମୃତ୍ୟୁ ପୂର୍ବରୁ ପାଭେଲ ଆଂଟୋଭ ମୋବାଇଲରେ କାହା ସହ ଚାଟିଂ କରିଥିଲେ? କାହାକୁ ଇ-ମେଲ୍ କରିଥିଲେ ? କାହା ସହ କଥା ହୋଇଥିଲେ? ରୁଷ୍ ପର୍ଯ୍ୟଟକ ରହିବା ସମୟରେ ହୋଟେଲକୁ କେଉଁମାନେ ଆସିଥିଲେ? ସେସବୁର ବିସ୍ତୃତ ତଥ୍ୟ ଜଣାପଡିଲେ ପାଭେଲଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା ସହଜ ହେବ ବୋଲି ଆଶା ରଖିଛି କ୍ରାଇମବ୍ରାଂଚ ଟିମ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/13-2.jpg)