୨୧ରେ ଓଡିଶା ଆସିବେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ପୋଲିସ ଡିଜି ।

228

କନକ ବ୍ୟୁରୋ: ଆସନ୍ତା ୨୧ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତରେ ସେ ଭୁବନେଶ୍ୱର ସହିତ ରାଉରକେଲା ଓ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି । ବୁଧବାର ଏନେଇ ପୋଲିସ ଡିଜି ଅଭୟ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟରୁ ଭିଡିଓ କନଫରେନ୍ସ ଜରିଆରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ପୋଲିସ ଡିଜି ।

ରାଷ୍ଟ୍ରପତିଙ୍କ ପ୍ରତିଟି ସ୍ଥାନକୁ ଗସ୍ତ ସମୟରେ କୋଭିଡ୍ ଗାଇଡଲାଇନକୁ ପାଳନ କରାଯିବ । ସେଠାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସ୍ଥାନୀୟ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ଏଥିସହ ଭୁବନେଶ୍ୱର ଓ ଝାରସୁଗୁଡା ବିମାନ ବନ୍ଦର ଏବଂ ରାଜଭବନର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ପୋଲିସ ଡିଜି ସମୀକ୍ଷା କରିଛନ୍ତି । ବୁଧବାର ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଆଇନ୍ ଓ ଶୃଙ୍ଖଳା,ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକ, ପୋଲିସ କମିଶନର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ ।