ଆଇପିଏସ ଆଶିଷ ସିଂହଙ୍କୁ ନେଇ ସ୍ପଷ୍ଟୀକରଣ ରଖିଲେ ପୋଲିସ ଡିଜି । ଜୁନ ୩ରୁ କାର୍ଯ୍ୟରେ ଯୋଗଦେଲେଣି ଆଶିଷ । ସମନ୍ୱୟ ଅଭାବରୁ ଗୃହ ବିଭାଗକୁ ଯାଇପାରିନଥିଲା ଚିଠି

385

କନକ ବ୍ୟୁରୋ: ବରିଷ୍ଠ ଆଇପିଏସ ଅଧିକାରୀ ଆଶିଷ ସିଂଙ୍କୁ ନେଇ ପୁଣି ଚର୍ଚ୍ଚା ସୃଷ୍ଟି ହୋଇଛି । ହେଲେ ଏଥର ଗୃହ ବିଭାଗର ଏକ ଚିଠିକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଏହି ବରିଷ୍ଠ ଆଇପିଏସ ଅଧିକାରୀ । ତେବେ ଯାହାଙ୍କୁ ଗୃହ ବିଭାଗ ଚିଠି ଲେଖି ଖୋଜୁଛି, ସେଇ ଆଇପିଏସ୍ ଅଧିକାରୀ ଆଶିଷ ସିଂହ, ଖୋଦ୍ ଡିଜିପିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସାମିଲ ହୋଇଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ଏକ ମାସ ଧରି ଛୁଟିରେ ଥିବା ଆଶିଷ ସିଂହ, ଛୁଟିରୁ ଫେରିଲେଣି ନା ନାହିଁ, ଡ୍ୟୁଟିରେ ଯୋଗ ଦେଲେଣି ନାହିଁ ଜାଣିବା ପାଇଁ ପୁଲିସ୍ ଡିଜିପିଙ୍କୁ ଚିଠି ଲେଖିବା ପରେ ପୁରା ଘଟଣା ସାମ୍ନାକୁ ଆସିଛି । ଆଉ ଗୃହ ବିଭାଗର ଚିଠି ଉପରେ ଉତ୍ତର ରଖିଛନ୍ତି ପୁଲିସ ଡିଜି ।

ଛୁଟି ପରେ କୌଣସି ଅଧିକାରୀ ଫେରିଲେଣି ନା ନାହିଁ, ସେ ନେଇ ବିଭାଗ ଚିଠି ଲେଖିବା କିମ୍ବା ଜାଣିବାକୁ ଚେଷ୍ଟା କରିବା କିଛି ବଡ଼ କଥା ନୁହେଁ କିମ୍ବା ନୂଆ କଥା ନୁହେଁ । କିନ୍ତୁ ଆଶିଷ ସିଂଙ୍କ ସମ୍ପର୍କରେ ଚିଠି ଆସିବା ସ୍ୱାଭାବିକ ଭାବେ ଚର୍ଚ୍ଚା ସୃଷ୍ଟି କରିଛି । କାରଣ ନିର୍ବାଚନ ସମୟଠାରୁ ସେ, ବିବାଦ ଘେରରେ ରହି ଆସିଛନ୍ତି । ଶାସକ ଦଳ ପାଇଁ କାମ କରୁଥିବା ଅଭିଯୋଗ ଘଟଣାରେ ତାଙ୍କୁ କେନ୍ଦ୍ରାଞ୍ଚଳ ପଦରୁ ହଟାଇ ଦିଆଯାଇଥିଲା । ସେହିପରି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ରହିବା ସହ ବିଜେଡି ପାଇଁ କାମ କରୁଥିବା ଅଭିଯୋଗ ହୋଇଥିଲା । ଯେଉଁଥିପାଇଁ ଏମ୍ସର ଡାକ୍ତରୀ ଦଳକୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ । ତେଣୁ ଆଶିଷ ସିଂଙ୍କୁ ନେଇ ଚିଠି ଆସିବା ଚର୍ଚ୍ଚା ସୃଷ୍ଟି କରିଥିଲା ।

ବର୍ତ୍ତମାନ ସମସ୍ତ ଦ୍ୱନ୍ଦ୍ୱ ଦୂର କରିଛନ୍ତି ପୁଲିସ୍ ଡିଜି । ଏମିତି କି ଜୁନ୍-୩ ତାରିଖରୁ କାର୍ଯ୍ୟରେ ଯୋଗ ଦେଇଥିବା ନେଇ ସ୍ପଷ୍ଟ କରିବା ସହ କେଉଁ କେଉଁ ବୈଠକରେ ସାମିଲ ହୋଇଥିଲେ, ସେନେଇ ମଧ୍ୟ ସୂଚନା ଦିଆଯାଇଛି । କିନ୍ତୁ ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ସମ୍ପର୍କରେ ଗୃହ ବିଭାଗ ଜାଣି ନପାରିବା ପ୍ରଶାସନିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି । ମୋବାଇଲ, ଇଣ୍ଟରନେଟ୍, ଡିଜିଟାଲ ଦୁନିଆରେ ଯୋଗାଯୋଗ ହୋଇନପାରିବା ଅନେକଙ୍କୁ ଆଶ୍ଚର୍ଯ୍ୟ-ଚକିତ କରିଛି ।