କନକ ବ୍ୟୁରୋ: ଭାରତ- ୱେଷ୍ଟଇଣ୍ଡିଜ୍ ଦିନିକିଆ ପାଇଁ ପ୍ରସ୍ତୁତ ବାରବାଟୀ । ଆଉ ମାତ୍ର ଦିନକ ପରେ ମ୍ୟାଚ ହେବାକୁ ଯାଉଥିବାରୁ ଷ୍ଟାଡିୟମର ସୁରକ୍ଷାକୁ କଡାକଡି କରାଯାଇଛି । ଆଜି ଷ୍ଟାଡିୟମକୁ ଯାଇ ସୁରକ୍ଷାର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ଏହା ସହିତ ପଡିଆ ଭିତରକୁ ତନତନ କରି ଯାଂଚ କରିଛନ୍ତି ଡଗ ସ୍କ୍ୱାର୍ଡ । ଆସନ୍ତାକାଲି ଖେଳାଳିମାନେ ଅଭ୍ୟାସ କରିବାକୁ ଆସିବାକୁ ଥିବାରୁ ଏହା ପୂର୍ବରୁ ପଡିଆର ସୁରକ୍ଷା ଯାଂଚ କରାଯାଉଛି । ସ୍ଥିତି ସମୀକ୍ଷା ପରେ ଡିଜି କହିଛନ୍ତି ଖେଳାଳିଙ୍କ ସୁରକ୍ଷାକୁ ବିଶେଷ ଭାବରେ ଗୁରୁତ୍ୱ ଦିଆଯାଉଛି । ମ୍ୟାଚ ଦିନ ଷ୍ଟାଡିୟମକୁ ଜଗିବେ ୮୦ ପ୍ଲାଟୁନ୍ ଫୋର୍ସ ।
୨୨ ତାରିଖ ମ୍ୟାଚ ପାଇଁ ଗତକାଲିଠାରୁ ଭୁବନେଶ୍ୱରରେ ପହଁଚିଛନ୍ତି ଦୁଇ ଦଳର ଖେଳାଳି । ତେବେ ଆଜି ଉଭୟ ଦଳର ଖେଳାଳି ବାରବାଟୀ ଷ୍ଟାଡିୟମ ଯାଇ କରିବାକୁ ଥିବା ଅଭ୍ୟାସ କାର୍ଯ୍ୟକ୍ରମ ଶେଷ ମୁହୂର୍ତରେ ବାତିଲ ହୋଇଯାଇଛି । ଉଭୟ ଦଳର ଖେଳାଳି ଆସନ୍ତାକାଲି ବାରବାଟୀକୁ ଅଭ୍ୟାସ କରିବାକୁ ଯିବେ । ୱେଷ୍ଟଇଣ୍ଡିଜ୍ ଦଳ ସକାଳେ ଓ ଅପରାହ୍ନରେ ଭାରତୀୟ ଦଳ ଅଭ୍ୟାସ କରିବ । ଆଜି ଖେଳାଳିମାନେ ହୋଟେଲରେ ଶାରୀରିକ ଅଭ୍ୟାସ କରିବା ସହ ବିଶ୍ରାମ ନେଉଛନ୍ତି । ଖେଳାଳିମାନେ ରହୁଥିବା ହୋଟେଲକୁ ମଧ୍ୟ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି ।