ମା’ ଓ ଝିଅଙ୍କୁ ଛୁରାମାଡ ଘଟଣା : ପଡୋଶୀ ରୂପେଶ ଅଟକ । ଲୁଟ୍ ଉଦ୍ଦେଶ୍ୟରେ ଯୁବତୀ ବେଶରେ ଘରେ ପଶିଥିବା ପୋଲିସର ସନ୍ଦେହ ।

158

କନକ ବ୍ୟୁରୋ : ଭୁବନେଶ୍ୱର ଶୈଳଶ୍ରୀବିହାରରେ ମା’ ଝିଅଙ୍କୁ ଛୁରାମାଡ ଘଟଣାରେ ନୂଆ ମୋଡ । ଛୁରାମାଡ କରିଥିବା ପଡୋଶୀ ରୂପେଶ ପଣ୍ଡାଙ୍କୁ ଅଟକ ରଖିଛି କମିଶନରେଟ ପୋଲିସ । ହସ୍ପିଟାଲରୁ ଡିସଚାର୍ଜ ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଦ୍ୱାରା ଅଟକ । ଲୁଟ୍ ଉଦ୍ଦେଶ୍ୟ ରଖି ଘର ଭିତରକୁ ପଶିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୋମବାର ଝିଅ ବେଶରେ ପଡୋଶୀଙ୍କ ଘରେ ପଶିଥିଲା ରୂପେଶ । ଘରେ ଥିବା ମା’ ଓ ଝିଅଙ୍କୁ ଛୁରୀରେ ଆକ୍ରମଣ କରିଥିଲା । ତେବେ କୌଣସିମତେ ଉଭୟ ମା’ ଝିଅ ରୂପେଶଙ୍କୁ କାବୁ କରିବା ସହ ମାଡ ମାରିଥିଲେ । ଆଉ ହେଲମେଟ ଖୋଲିବା ପରେ ଯୁବତୀ ବେଶରେ ରୂପେଶ ଆସିଥିବା ଜାଣିବାକୁ ପାଇଥିଲେ । ଆଉ ଏହା ଉଭୟ ମା’ ଓ ଝିଅଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କାହିଁକି ରୂପେଶ ଏଭଳି ଉଦ୍ୟମ କରୁଥିଲା ତାହା ବୁଝି ପାରିନଥିଲେ ଉଭୟ ମା’ ଓ ଝିଅ ।

ଅନ୍ୟପଟେ ରୂପେଶ ହସ୍ପିଟାଲରେ ଭର୍ତ୍ତି ହେବା ବେଳେ ଭିନ୍ନ ଏକ କଥା କହିଥିଲେ । ତାଙ୍କୁ କିଛି ଯୁବକ ଜୋରଜବରଦସ୍ତି ମାଡ ମାରିବା ସହ ଯୁବତୀଙ୍କ ଡ୍ରେସ ପିନ୍ଧାଇ ଉକ୍ତ ଘରକୁ ଆକ୍ରମଣ କରିବାକୁ ପଠାଇଥିଲେ । ଏପରିକି ସିସିଟିଭି ଫୁଟେଜ ଦେଖିବାକୁ ମଧ୍ୟ କହିଥିଲେ । କିନ୍ତୁ ପୋଲିସ ସୂଚନା ଅନୁସାରେ ଲୁଟ କରିବା ଉଦ୍ଦେଶ୍ୟରେ ଏଭଳି ଏକ ଘଟଣା ଘଟିଥାଇପାରେ । ଅର୍ଥାତ ରୂପେଶ ପଣ୍ଡା ଲୁଟ କରିବା ପାଇଁ ଏଭଳି ଉଦ୍ୟମ କରିଥାଇପାରନ୍ତି । କିନ୍ତୁ ମାଆ ଓ ଝିଅ ଛୁରୀ ସାହାଯ୍ୟରେ ରୂପେଶକୁ ପ୍ରତିହତ କରିବାରୁ ଓଲଟା ରୂପେଶ ଆହତ ହୋଇ ତଳେ ପଡିଯାଇଥିଲେ । କିନ୍ତୁ ପରିବାର ଲୋକେ ଭିନ୍ନ କଥା କହୁଛନ୍ତି ।

ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି ।
-ବାହାର ଲୋକ ରୂପେଶଙ୍କୁ ଏଭଳି କରିବାକୁ କାହିଁକି ବାଧ୍ୟ କରିବେ?
-ଯୁବତୀ ବେଶରେ ପଡିଶା ଘରକୁ କାହିଁକି ଗଲେ ରୂପେଶ ?
-ଭଲ ବେସରକାରୀ ଚାକିରୀରେ ଥାଇ ଲୁଟ କରିବାର କଣ ଆବଶ୍ୟକତା ଥାଇପାରେ?
ଉଭୟ ପରିବାର କିଛି କଥା ଲୁଚାଇବାକୁ ଚେଷ୍ଟା କରୁଛନ୍ତି କି?