କନକ ବ୍ୟୁରୋ : ଆଜି ବରଗଡ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବାଂଟିବା ସହ ୨୯୮କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାତି ଅଧିଆ ବିଜେପି କୃଷକ ମୋର୍ଚ୍ଚା ସଦସ୍ୟଙ୍କୁ ଉଠାଇ ନେଇଛି ପୋଲିସ । ଇରାଶିଷଙ୍କୁ ଭଟଲିରୁ ଗିରଫ କରାଯାଇଥିବା ଜଣାଯାଇଛି । ଏଣେ  ବିଳମ୍ବିତ ରାତିରେ ବିଜେପି ଓ କଂଗ୍ରେସର  କେତେକ ନେତାଙ୍କୁ ପୁଲିସ୍ ଉଠାଇ ନେଇଥିବାର ଖବର ମିଳିଛି । ମମିତାଙ୍କୁ ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଜୋରଦାର ବିରୋଧ କରାଯିବ ବୋଲି କଂଗ୍ରେସ ଓ ବିଜେପି ପକ୍ଷରୁ ଚେତାବନୀ ଦିଆଯିବା ପରେ ପୁଲିସ୍ ପ୍ରଶାସନ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ।

Advertisment

ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବିରୋଧୀ ପ୍ରତିଦିନ ବିକ୍ଷୋଭ ପ୍ରଦର୍ଶନ କରୁଛି । ଏପରିକି ବିଜେଡିର ମନ୍ତ୍ରୀଙ୍କୁ ବିରୋଧର ସାମ୍ନା କରିବାକୁ ପଡୁଛି । ଏହାକୁ ଦୃଷ୍ଟିରେ ରଖି ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ସମେତ ମୋର୍ଚ୍ଚା ସଦସ୍ୟଙ୍କୁ ବରଗଡ ପୋଲିସ ରାତିଅଧିଆ ଉଠାଇ ନେଇଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ବରଗଡ ବିଜେପୁର ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।  ୨ଜଣ ଅତିରିକ୍ତ ଏସ୍ପି, ୧୦ ଜଣ ଡିଏସ୍ପି, ୩୦ ଜଣ ଏସ୍ଆଇ, ୪୦ ଜଣ ଏସ୍ଆଇ ଏବଂ ୨୦ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ବରେ ରହିବେ । ଏଣେ ବିରୋଧୀ ଦଳଗୁଡ଼ିକ ମମିତା ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରାଯିବ ବୋଲି ଘୋଷଣା କରିଛନ୍ତି ।

ଯଦିଓ ମୁଖ୍ୟମନ୍ତ୍ରୀ କେବଳ ବିଜେପୁରରୁ ଗଣ୍ଡପାଲି ଯାଏ କାରରେ ଯିବେ, ତେଣୁ ଏହି ରାସ୍ତା ଉପରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ବରିଷ୍ଠ ପୁଲିସ୍ ଅଧିକାରୀମାନେ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି। ନିଜ ୨୫ ମିନିଟର ରହଣି କାଳରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିବେ। ଏହାବାଦ୍ ଜିଲ୍ଲାବାସୀଙ୍କୁ ୨୯୫ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ । ୧୭୯.୬୬ କୋଟି ଟଙ୍କାର ୪୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ୧୧୫.୪୩ କୋଟି ଟଙ୍କାରେ ନିର୍ମିତ ୧୦୮ଟି ପ୍ରକଳ୍ପର ଉଦଘାଟନ କରିବେ ।