ଚାଷୀଙ୍କୁ ଲାଞ୍ଚ ମାଗି ହଟହଟ୍ଟା ପୋଲିସ୍ । ଗାଡିରୁ ଚାବି ଛଡାଇ ନେଲେ ଗ୍ରାମବାସୀ ପଟ୍ଟାମୁଣ୍ଡାଇ ଅଞ୍ଚଳର ଭିଡିଓ ଭାଇରାଲ ।

140

କନକ ବ୍ୟୁରୋ: ଚାଷୀଙ୍କୁ ଲାଞ୍ଚ ମାଗି ଗାଁ ମଝିରେ ହଟହଟା ପୋଲିସ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଞ୍ଚଳରେ ସେହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ଭିଡିଓରେ ଦେଖାଯାଉଛି, ପୋଲିସ ବାବୁଙ୍କୁ ଘେରି ଯାଇଛନ୍ତି ସ୍ଥାନୀୟ ଲୋକେ । ଅଭିଯୁକ୍ତଙ୍କୁ ପୋଲିସ କାହିଁକି ଟଙ୍କା ଲାଞ୍ଚ ମାଗୁଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ପୋଲିସ ବାବୁ ଜଣଙ୍କ କହୁଛନ୍ତି, ସେ ଲାଞ୍ଚ ନେଇ ନାହାନ୍ତି । ଖରାରେ ବୁଲୁଥିବାରୁ ସେ ଖୁସିରେ ଶହେ ଦୁଇ ଶହ ଟଙ୍କା ଦେବାକୁ କହିିଥିଲେ । ଆଉ ପ୍ରତିବାଦ ପରେ ଜଣଙ୍କଠାରୁ ନେଇଥିବା ଶହେ ଟଙ୍କା ମଧ୍ୟ ଫେରାଇ ଦେଇଛନ୍ତି । ତେବେ ଟଙ୍କା ଫେରାଇବା ପରେ ବି ଶାନ୍ତ ପଡିନଥିଲେ ଗ୍ରାମବାସୀ । କନେଷ୍ଟବଳଙ୍କ ଗାଡିର ଚାବିକୁ ଛଡାଇ ନେଇଥିଲେ । ଆଇଆଇସି ଓ ଏସପି ଆସିଲେ ଚାବି ଦେବେ ବୋଲି କହିଥିଲେ ।

ଗତ ୨୨ତାରିଖରେ ଚାଷୀମାନେ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିଥିଲେ । ସେହି ବିକ୍ଷୋଭରେ ସାମିଲ ହୋଇଥିବା ଚାଷୀଙ୍କ ବିରୋଧରେ ୧୦୭ ଦଫାରେ ମାମଲା ରୁଜୁ ହୋଇଛି । ରାଜ୍ୟର ପ୍ରାୟ ୬ଶହ ଚାଷୀଙ୍କ ନାଁରେ ମାମଲା ରୁଜୁ ହୋଇଥିବାବେଳେ କେନ୍ଦ୍ରାପଡା ଜିଲ୍ଳାର ୩୨ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କମିଶନରେଟ୍ ପୋଲିସ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି । ଏନେଇ ସମ୍ପୃକ୍ତ ଚାଷୀଙ୍କୁ କମିସନରେଟ୍ ପୋଲିସ ପକ୍ଷରୁ ସମନ କରାଯାଇଛି । ସେହି ସମନର କପି ଦେବାକୁ ପଟ୍ଟାମୁଣ୍ଡାଇ ବ୍ଲକ ନୂଆକଟ ଗାଁକୁ ଯାଇଥିଲେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାର କର୍ମଚାରୀ । କିନ୍ତୁ ପାଲିସ ବାବୁ ସମନ ଦେବା ବଦଳରେ ଅଭିଯୁକ୍ତଙ୍କୁ ଟଙ୍କା ମାଗିଥିବା ଅଭିଯୋଗ ହୋଇଛି ।