ଲକଡାଉନ୍ ସମୟରେ ଲୋକଙ୍କ ଘରେ ଯାଇ ଅଭିଯୋଗ ଶୁଣିବ ପୋଲିସ । ହ୍ୱାଟ୍ସଆପ୍ କିମ୍ବା ଇ-ମେଲରେ ପଠାଯିବ ଏଫଆଇଆର୍ କପି ।

345

କନକ ବ୍ୟୁରୋ: କରୋନା ସମୟରେ ଘରୁ ଯାଇ ଅଭିଯୋଗ ଗ୍ରହଣ କରିବ ପୋଲିସ । ସଂକ୍ରମଣ ସମୟରେ ଅପରାଧିକ ମାମଲାର ଅଭିଯୋଗ ପାଇଁ ଲୋକଙ୍କୁ ଘରୁ ବାହାରିବାକୁ ପଡିବନି । ନିଜେ ଖୋଦ୍ ପୋଲିସ ଯାଇ ଲୋକଙ୍କୁ ଘରୁ ଅଭଯୋଗ ଗ୍ରହଣ କରିବା ସହିତ ଅନଲାଇନ ଜରିଆରେ ମାମଲା ରୁଜୁ କରି ଛାନଭିନ୍ କରିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।

ସାରା ରାଜ୍ୟରେ ଏବେ ସଂକ୍ରମଣ ବଢିବାକୁ ଚାଲିଛି । ଆସନ୍ତାକାଲିଠୁ ରାଜ୍ୟରେ ଲକଡାଉନ୍ ମଧ୍ୟ ଲାଗିବାକୁ ଯାଉଛି । ଏପରି ସମୟରେ ପୋଲିସ ଲୋକଙ୍କ ଅଭିଯୋଗ ଶୁଣିବାକୁ ଏପରି ନୂଆ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି । ଏହାସହ କଦାପି ତଦନ୍ତ ପ୍ରକ୍ରିୟାରେ କୌଣସି ଅସୁବିଧା ହେବ ନାହିଁ ବୋଲି ପୋଲିସ ଡିସିପି ସୂଚନା ଦେଇଛନ୍ତି ।

ଅନ୍ୟପଟେ ଆସନ୍ତାକାଲିଠୁ ଲକଡାଉନ୍ ଲାଗିବାକୁ ଥିବାରୁ ଅମାନିଆଙ୍କୁ ସତର୍କ କରାଇଦେଇଛନ୍ତି ଡିସିପି । ସମସ୍ତେ ନିୟମ ମାନି ରୁହନ୍ତୁ, ନିୟମ ଭାଙ୍ଗିଲେ ପୋଲିସ କାଯ୍ୟାନୁଷ୍ଠାନ ଗ୍ରହଣ କରିବ । ଯଦି କୌଣସି  ନିହାତି ଆବଶ୍ୟକ ଅଛି, ତେବେ ପୋଲିସର ଅନୁମତି ନେଇ ଲୋକମାନେ ନିଜ କାମ କରିପାରିବେ । ଏଥିପାଇଁ ୧୦୦ ଡାଏଲ୍ କରି ଅନୁମତି ଆଣିବାକୁ ପଡିବ ବୋଲି କୁହାଯାଇଛି ।