ପୋଲିସର ଦବଙ୍ଗଗିରି । ‘ମାମୁଁ’ କହିବାରୁ ତାତି ଗଲେ ବାଲେଶ୍ୱର ବାଲିଆପାଳ କନେଷ୍ଟବଳ । ମାଡ ମାରିଲେ,ରାସ୍ତାରେ କଲେ ବସ୍ ଉଠ୍

67

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅନ୍ତର୍ଗତ ଜାମକୁଣ୍ଡା ଫାଣ୍ଡି ପୁଲିସର ଦବଙ୍ଗଗିରିକୁ ନେଇ ସାଧାରଣରେ ଚର୍ଚ୍ଚା ଚାଲିଛି । ଜଣେ କନଷ୍ଟେବଲ୍ ୫ ଜଣ କଲେଜ ଛାତ୍ରଙ୍କୁ ମାଡ଼ମାରି ରାସ୍ତାରେ ବସ୍ ଉଠ୍ କରାଇଛନ୍ତି । ଛାତ୍ରମାନେ ‘ମାମୁଁ’ କହିବାରୁ ସେ ରାଗିପାଚି ଏମିତି କାଣ୍ଡ କରିଛନ୍ତି। ଘଟଣାଟି ୫ ଦିନ ତଳେ ଘଟିଥିଲା । ହେଲେ ଏହାର ଭିଡିଓ ଭାଇରାଲ୍ ହେବା ପରେ ଆଜି ଖୋଳତାଡ଼ ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଘଟଣା ଦିନ ଲଙ୍ଗଳେଶ୍ୱରର ଦୁର୍ଗାପ୍ରସନ୍ନ ଜୁନିୟର କଲେଜ ଓ ଜାମଶୁଳୀ କଲେଜରେ ପଢ଼ୁଥିବା ମୋଟ ୫ଜଣ ଛାତ୍ର ପଢ଼ା ସାରି ସାଇକଲରେ ଘରକୁ ଫେରୁଥିଲେ । ଏତିକିବେଳେ ଜଗତୀପୁର-ପଞ୍ଚୁପାଲି ରାସ୍ତାରେ ବାଲିଆପାଳ ଥାନାର ଜାମକୁଣ୍ଡା ଫାଣ୍ଡିି କନେଷ୍ଟବଲ୍ ଦୀପକ ପ୍ରଧାନ ବାଇକ ଯୋଗେ ଦ୍ରୁତଗତିରେ ଆସୁଥିଲେ ।

ତାଙ୍କୁ ଦେଖି ଜଣେ ଛାତ୍ର ‘ମାମୁଁ ଆସୁଛନ୍ତି, ସାଇଡ୍ ଦିଅ’ ବୋଲି କହିଥିଲେ । ପୁଲିସ ବାବୁଙ୍କ କାନରେ ଏ କଥା ପଡ଼ିଯାଇଥିଲା । ସେ ରାଗ ତମତମ ହୋଇ ମେଣ୍ଡାପଡ଼ା ନିକଟରେ ବାଇକ ଅଟକାଇ ପିଲାମାନଙ୍କ ପାଖକୁ ଆସିଥିଲେ । କିଏ ‘ମାମୁଁ’ କହିଲା ବୋଲି ପଚାରିଥିଲେ । କେହି ଜବାବ ନଦେବାରୁ ସେ ଜଣେ ଛାତ୍ରଙ୍କୁ ଭିଡ଼ିନେଇ ରାସ୍ତା ଉପରେ ଗଡ଼େଇ ତଡ଼େଇ ନିସ୍ତୁକ ମାଡ଼ ମାରିଥିଲେ। ସେତିକିରେ ତାଙ୍କ ରାଗ ଶାନ୍ତହୋଇ ନଥିଲା । ଅନ୍ୟ ସମସ୍ତ ଛାତ୍ରଙ୍କୁ କାନଧରି ୧୦୦ ଥର ବସ୍ଉ ଠ୍ କରାଇଥିଲେ । ଏ ଘଟଣା ବିଷୟରେ ପିଲାମାନେ ଘରେ କହିଥିଲେ । ହେଲେ ପୁଲିସ ବିରୋଧରେ ଯାଇ କ’ଣ ଲାଭହେବ ଭାବି ଅଭିଭାବକମାନେ ଭୟରେ କାହାକୁ କିଛି ନ କହିବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ । ତେବେ ଘଟଣା ବେଳେ ପୁଲିସ ବାବୁଙ୍କ ଦବଙ୍ଗଗିରିର ଦୃଶ୍ୟ ଜଣେ ଯୁବକ ନିଜ ମୋବାଇଲ୍ କ୍ୟାମେରାରେ ସୁଟ୍ କରି ଦେଇଥିଲେ । ଏହି ଭିଡିଓ କ୍ରମେ ଭାଇରାଲ୍ ହେବା ପରେ ଆଜି କିଛି ଗଣମାଧ୍ୟମ ପ୍ରତିନିଧି ସଂପୃକ୍ତ ଛାତ୍ରମାନଙ୍କୁ ଭେଟି ଘଟଣା ସଂପର୍କରେ ପଚାରିବାରୁ ସବୁ କଥା ସାମ୍ନାକୁ ଆସିଛି ।

ଏନେଇ ସଂପୃକ୍ତ କନେଷ୍ଟବଳ ଶ୍ରୀ ପ୍ରଧାନଙ୍କୁ ପଚରାଯିବାରୁ ସେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।  ଛାତ୍ରମାନେ ‘ମାମୁଁ’ କହିବାରୁ ତାଙ୍କୁ ଏହା ଆଘାତ ଦେଇଥିଲା ଓ ସେ ସେମାନଙ୍କୁ ତାଗିଦ କରିବା ପାଇଁ ସାମାନ୍ୟ ଗାଳିଦେଇଥିଲେ । ହେଲେ ଛାତ୍ରମାନେ କିଛି ନଶୁଣି ଓଲଟା ତାଙ୍କ ଉପରେ ଅଶ୍ଳୀଳ ଗାଳି ପ୍ରୟୋଗ କରିଥିଲେ ବୋଲି କହିଛନ୍ତି । ମାଡ଼ ମାରିବା ଓ ବସ୍ଉ ଠ୍ କରାଇବା ଅଭିଯୋଗକୁ ସେ ଅସ୍ୱୀକାର କରିଛନ୍ତି । ଏନେଇ ବାଲିଆପାଳ ଥାନା ଆଇଆଇସି କ୍ଷମାସାଗର ପଣ୍ଡାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ ।