ବିଧାନସଭାରେ କଟକ ସୁନା ଲୁଟ ଘଟଣାର ଉତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ: କହିଲେ ଅଭିଯୁକ୍ତକୁ ଚିହ୍ନଟ କରାଯାଇ ରଖାଯାଇଛି ଅଟକ

ସିପିଙ୍କ ଟୁଇଟ ଘଟଣାର ହୋଇଛି ପର୍ଦ୍ଦାଫାସ । ବାଇକ ସହ ସୁନା ହୋଇଛି ଜବତ

226

କନକ ବ୍ୟୁରୋ: କଟକ ନୟାସଡ଼କ ଆଇଆଇଏଫଏଲ ସୁନା ଲୁଟର ପର୍ଦ୍ଦାଫାସ । ୬ ଦିନ ଭିତରେ ପୁଲିସକୁ ଏହି ଘଟଣାରେ ବଡ଼ ସଫଳତା ମିଳିଛି । ଅଭିଯୁକ୍ତଙ୍କୁ ଚିହ୍ନଟ ପରେ ଅଟକ କରାଯାଇଥିବା ନେଇ ସିପି ଟୁଇଟ କରି ସୂଚନା ଦେଇଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖିଛି କମିଶନରେଟ ପୋଲିସ । ଲୁଟ ହୋଇଥିବା ସୁନା ଓ ବାଇକ ଜବତ କରାଯାଇଛି । ତଦନ୍ତ ପ୍ରକିୟା ଜାରି ରହିଛି । ପୋଲିସ ଅଧିକାରୀଙ୍କୁ ଏନେଇ ଟୁଇଟ କରି ପ୍ରଶଂସା କରିଛନ୍ତି ସିପି ସୁଧାଂଶୁ ଷଡ଼ଙ୍ଗୀ । ଗତ ୧୯ ତାରିଖରେ ସୁନା ଋଣ ସଂସ୍ଥା ଆଇଆଇଏଫଏଲରୁ ପ୍ରାୟ ୨୦ କୋଟି ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିଲା । ଲୁଟ ପରେ ପୋଲିସ ୩ଟି ଟିମ୍ ଗଠନ କରି କଟକ ଓ କଟକ ବାହାରେ ଲୁଟେରାଙ୍କୁ ଧରିବା ପାଇଁ ଛାନଭିନ ଚଳାଇଥିଲା ।

ସେପଟେ ବିଧାନସଭାରେ କଟକ ସୁନା ଲୁଟ ଘଟଣାରେ ଉତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । କହିଛନ୍ତି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଅଟକ ରଖାଯାଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟନ୍ତ ହୋଇନି । ଆଇନ ଶୃଙ୍ଖଳା ପରିସ୍ଥିିତି ଶାନ୍ତିପୁର୍ଣ୍ଣ ଓ ନିୟନ୍ତ୍ରଣାଧୀନ ଥିବା ଗୃହରେ ବିବୃତି ରଖିଛନ୍ତି ଦିବ୍ୟଶଙ୍କର ମିଶ୍ର ।

ସରକାର ସଦାସର୍ବଦା ଆଇନ ଶୃଂଖଳା ରକ୍ଷା ଓ ଲୋକଙ୍କ ଧନ ଜୀବନକୁ ପ୍ରାଥମିକତା ଦେଇଆସୁଛନ୍ତି । ରାଜ୍ୟ ସରକାର ସବୁବେଳେ ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରି ଆଇନଶୃଂଖଳା ରକ୍ଷା ଦିଗରେ ପ୍ରତିଶ୍ରୁତି ବଦ୍ଧ । ରାଜ୍ୟର ଆଇନ ଶୃଂଖଳା ପରିସ୍ଥିତିକୁ ଉଚିତ ସମୟରେ ଚତୁରତାର ସହିତ ନିୟନ୍ତ୍ରଣ କରାଯାଇପାରିଛି । ଯାହା ଫଳରେ ରାଜ୍ୟରେ ବର୍ତ୍ତମାନ ଅପରାଧିକ ପରିସ୍ଥିତି ମୋଟାମୋଟି ଭାବେ ନିୟନ୍ତ୍ରଣାଧୀନ ଅଛି । ତେବେ ଗତ ୧୯ ତାରିଖରେ କଟକରେ ହୋଇଥିବା ଲୁଟ୍ ଘଟଣାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଅଟକ ରଖାଯାଇଥିବା ନେଇ ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଉତର ରଖିଛନ୍ତି ।