ଚାର୍ଜସିଟ ଦାଖଲ କରିପାରୁନି ପୁଲିସ: ଶ୍ୱେତପତ୍ରରେ ଆସିଲା ତଦନ୍ତ ପ୍ରକ୍ରିୟାର ସତ

136

କନକ ବ୍ୟୁରୋ: ଗୃହବିଭାଗର ଶ୍ୱେତପତ୍ର କହୁଛି, ୨୦୨୨ ମସିହାରେ ମୋଟ ୧ ଲକ୍ଷ ୭୮ ହଜାର ୧୯୦ଟି ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ ହୋଇଛି । ଆଉ ଏଥିରୁ ୧ ଲକ୍ଷ ୧୮ ହଜାର ୫୪୭ଟି ମାମଲାରେ ଚାର୍ଜସିଟ ଦାଖଲ କରାଯାଇଛି । ୫୯ ହଜାର ୬୪୩ଟି ମାମଲାରେ ପୁଲିସ ଚାର୍ଜସିଟ ଦାଖଲ କରିପାରିନାହିଁ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ହତ୍ୟା, ଦୁଷ୍କର୍ମ ଭଳି ଘଟଣାରେ ୫୦ ପ୍ରତିଶତ କେଶରେ ଚାର୍ଜସିଟ ହୋଇପାରିନି ।

-୧୩୦୧ ହତ୍ୟା ମାମଲା ମଧ୍ୟରୁ ୬୪୦ଟି ଚାର୍ଜସିଟ ଦାଖଲ
-୧୪, ୫୭୩ଟି ଚୋରି ମଧ୍ୟର ୁ୫୮୫୯ ମାମଲାରେ ଚାର୍ଜସିଟ
-୩୧୩୫ଟି ଦୁଷ୍କର୍ମ ମାମଲାରୁ ୨୨୩୭ରେ ଚାର୍ଜସିଟ
-୨୯୫୪ ଲୁଣ୍ଠନ ମାମଲାରୁ ୧୩୩୬ରେ ଚାର୍ଜସିଟ ଦାଖଲ ହୋଇଛି
-ଅନ୍ୟାନ୍ୟ ଅପରାଧରେ ମଧ୍ୟ ଏ ସେହି ଏକା ଅବସ୍ଥା

ପୂର୍ବତନ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ପୁଲିସର ଅଭାବ, ଆସାମୀକୁ ନ ଧରିବା ଓ ବିଭିନ୍ନ ସଂସ୍ଥାର ରିପୋର୍ଟ ନ ଆସିବା ଫଳରେ ଚାର୍ଜସିଟ ଫାଇଲରେ ବିଳମ୍ବ ହେଉଛି । ଏହାଛଡା ତଦନ୍ତକୁ ଗୁରୁତ୍ୱ ଦିଆନଯାଇ ଆଇନଶୃଙ୍ଖଳା ପରିସ୍ଥିତିକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ।

ଶ୍ୱେତପତ୍ର ଅନୁସାରେ, ୩୧୮୪ଟି ଦୁଷ୍କର୍ମ, ୧୧,୬୬୩ ମୋଟର ଯାନ ଦୁର୍ଘଟଣା, ୧୩୭୯ ହତ୍ୟା ମାମଲା ରହିଛି । ସେହିଭଳି ୬୨୬ ଡକାୟତି, ୨୯୯୮ ଲୁଣ୍ଠନ, ୫୪୬୭ ସିନ୍ଧି ଚୋରିର ତଥ୍ୟ ବି ଅଛି । ଗୃହ ବିଭାଗର ଶ୍ୱେତପତ୍ରରେ ୨୦୨୨ ମସିହାରେ ରାଜ୍ୟରେ ୨୨ ୪୮ ଦଙ୍ଗା ମାମଲା ରୁଜୁ ହୋଇଛି ।

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭଲ ଅଛି ବୋଲି ଶ୍ୱେତପତ୍ରରେ କୁହାଯାଇଛି । କିନ୍ତୁ ଚାର୍ଜସିଟ ଫାଇଲର ସମସ୍ୟାର ସମାଧାନ ପାଇଁ ତଦନ୍ତ କରିବାକୁ ଅଲଗା ପୁଲିସ ଓ ଆଇନ ଶୃଙ୍ଖଳା ପାଇଁ ଅଲଗା ପୁଲିସ ରଖାଯିବା ଉପରେ ଅନେକ ମତ ଦେଇଛନ୍ତି ।