ଲକଡାଉନରେ ସାଇକେଲରେ ଯାଉଥିଲେ ଜିଲ୍ଲାପାଳ । ପୋଲିସ କରୁଥିଲା ଚେକିଂ । କଲେକ୍ଟରଙ୍କୁ ଅଟକାଇ କୁଆଡେ ଯାଉଛ ବୋଲି ପଚାରିଲେ କନେଷ୍ଟବଳ ।

1,245

କନକ ବ୍ୟୁରୋ : କଲେକ୍ଟରଙ୍କୁ ଅଟକାଇଲେ ଲେଡି କନେଷ୍ଟବଳ । ଲକଡାଉନରେ ସାଇକେଲରେ ଯାଉଥିଲେ ଜିଲ୍ଲାପାଳ । କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ, ସରକାର ଅନେକ ପଦକ୍ଷେପ ନେଉଛନ୍ତି । ନାଇଟ୍ କର୍ଫ୍ୟୁ, ସଟଡାଉନ୍, ସାପ୍ତାହିକ ସଟଡାଉନ୍, ଲକଡାଉନ୍ ଭଳି ଅନେକ କଟକଣା ଜାରିକରାଯାଇଛି । ଏହି ସମୟରେ କାହାରିକୁ ଘରୁ ନବାହାରିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ, କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନବଜାରକୁ ମଧ୍ୟ ନିର୍ଦ୍ଦିଷ୍ଟ ସମୟ ପାଇଁ ଖୋଲାଯାଉଛି । ଏଭଳି ସମୟରେ ରାଜସ୍ଥାନରୁ ଆସିଛି ରୋଚକ ଦୃଶ୍ୟ ।

ରାଜସ୍ଥାନ ବସ୍ତ୍ରନଗରୀ ଭିଲୱାଡାରେ ଲକଡାଉନ୍ କଟକଣା କେମିତି ପାଳନ ହେଉଚି, ତାର ତଦାରଖ କରିବା ପାଇଁ ସକାଳୁ ସକାଳୁ ସାଇକେଲ ଧରି ବାହାରକୁ ବାହାରିଥିଲେ କଲେକ୍ଟର ଶିବପ୍ରସାଦ । ତେବେ ସହରରେ ଜିଲ୍ଲାପାଳ ରାଉଣ୍ଡ ମାରିବାକୁ ଯାଉଥିବାର ଖବର ପୋଲିସକୁ ମିଳିଯାଇଥିଲା । କିନ୍ତୁ କଲେକ୍ଟର ସାଇକେଲରେ ବୁଲୁଛନ୍ତି ବୋଲି କେହି ଜାଣିନଥିଲେ ।

ଚାରିଆଡେ ଶୁନଶାନ ଥିଲା, ବାଟରେ ବାଟରେ ପୋଲିସ ଚେକିଂ ମଧ୍ୟ ଚାଲିଥିଲା । ଆଉ ଏତିକିବେଳେ ସାଇକେଲରେ ଯାଉଥିବା କଲେକ୍ଟରଙ୍କୁ ଅଟକାଇଦେଇଥିଲେ ଡ୍ୟୁଟିରେ ଥିବା ଜଣେ ମହିଳା କନେଷ୍ଟବଲ ନିର୍ମଳା ସ୍ୱାମୀ । ତେବେ ଯେତେବେଳେ ସେ ଜାଣିଥିଲେ ଯେ, ସେ ଅଟକାଇଥିବା ବ୍ୟକ୍ତିଜଣଙ୍କ ହେଉଛନ୍ତି କଲେକ୍ଟର, ସେତେବେଳେ ସେ ଟିକେ ନର୍ଭସ ହୋଇଯାଇଥିଲେ । କିନ୍ତୁ କନେଷ୍ଟବଳଙ୍କ ଏଭଳି କାର୍ଯ୍ୟଶୈଳୀକୁ ପ୍ରଂଶସା କରିଥିଲେ ଜିଲ୍ଲାପାଳ ।

ଟି-ସାର୍ଟ ପିନ୍ଧି ସାଇକେଲ୍ ଧରି ଯାଉଥିବାକୁ କଲେକ୍ଟରଙ୍କୁ ଚିହ୍ନିପାରିନଥିଲେ କନେଷ୍ଟବଳ । ଆଉ କହିଥିଲେ, ଭାଇ କୁଆଡେ ଯାଉଛନ୍ତି, ଦୟାକରି ଘରେ ରୁହନ୍ତୁ । ଏହି ସମୟରେ ଜିଲ୍ଲାପାଳଙ୍କ ପଛରେ ତାଙ୍କର ସୁରକ୍ଷାକର୍ମୀ ଆସୁଥିଲେ । ଏବଂ ମହିଳା କନେଷ୍ଟବଳଙ୍କୁ ଜିଲ୍ଲାପାଳଙ୍କ ପରିଚୟ ଦେଇଥିଲେ । ଆଉ ଏହା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କନେଷ୍ଟବଳ । କିନ୍ତୁ ମହିଳା କନେଷ୍ଟବଳଙ୍କ ଏପରି କାର୍ଯ୍ୟରେ ଖୁସି ହୋଇଥିଲେ ଜିଲ୍ଲାପାଳ, ଏବଂ ତାଙ୍କୁ ସାବାସୀ ବି ଦେଇଥିଲେ । ଏହାପରେ କଲେକ୍ଟର ବିଭିନ୍ନ ଚେକିଂ ପଏଂଟକୁ ଯାଇଥିଲେ, ଏବଂ ପୋଲିସ କର୍ମଚାରୀ ମାନଙ୍କର ପ୍ରଂଶସା କରିଥିଲେ ।

ତେବେ ଦୁଃଖର କଥା ହେଉଛି, ମହାମାରୀ ଭଳି ସଙ୍କଟ ବେଳେ ନିସ୍ୱାର୍ଥପର ଭାବେ ସେବା କରୁଥିବା ଏହି ମହିଳା କନେଷ୍ଟବଳ ନିର୍ମଳା ସ୍ୱାମୀ ଏବଂ ତାଙ୍କ ପୁଅ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି । ନିର୍ମଳାଙ୍କ କହିବା କଥା, ସଂଖ୍ୟା କମିଛି କିନ୍ତୁ କରୋନା କମିନି । ସେ କରୋନାର କଷ୍ଟକୁ ଜାଣିଛନ୍ତି । ଏଥିପାଇଁ ଲୋକଙ୍କୁ ଘରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ତେବେ କରୋନା ଭାଇରସର ଗମ୍ଭୀରତାକୁ ବୁଝିବାର ସମସ୍ତଙ୍କୁ ଆବଶ୍ୟକତା ରହିଛି । କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଅଧିକ ଭୟଙ୍କର ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ସଂକ୍ରମଣର ଚେନ୍ ଭାଙ୍ଗିବାକୁ କଟକଣା ଜାରି କରୁଛନ୍ତି ସରକାର । କିନ୍ତୁ କିଛି ଅମାନିଆ ନିୟମ ନମାନୁଥିବାର ସଂକ୍ରମଣ କମିବାର ନାଁ ଧରୁନାହିଁ । ତେଣୁ ସମସ୍ତଙ୍କୁ ନିୟମ ମାନିବାର ଆବଶ୍ୟକତା ରହିଛି । ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ବଜାୟ ରଖନ୍ତୁ ।