ଶୁଆଇ ଦେଉନି ସାଇକୋ କିଲର୍ ! ଘୁରି ବୁଲୁଛି ହତ୍ୟାକାରୀ, ହେଲେ ପୋଲିସର ହାତ ଖାଲି । କମିଶନର କହିଲେ, ସୁରାଗ୍ ମିଳିଛି, ଖୁବ୍ ଶୀଘ୍ର ଧରାପଡ଼ିବ ଅଭିଯୁକ୍ତ ।

235

କନକ ବ୍ୟୁରୋ : ପୋଲିସର ନିଦ ହଜାଇ ଦେଇଛି କଟକର ସାଇକୋ କିଲର୍ । ହତ୍ୟାକାରୀକୁ ଧରିବାକୁ ପୋଲିସ ଖୋଜୁଛି, ଆଉ ପୋଲିସକୁ ଚକମା ଦେଇ ହତ୍ୟାକାରୀ ବୁଲୁଛି । ୩-୩ଟି ହତ୍ୟା କରି ହତ୍ୟାକାରୀ ଘୁରି ବୁଲୁଛି, ହେଲେ ଏଯାଏଁ ପୋଲିସର ହାତ ଖାଲି । ଘଟଣାକୁ ଗୋଟିଏ ସପ୍ତାହ ହୋଇଗଲାଣି, କିଏ କରିଛି ମର୍ଡର ? କେଉଁଠି ଅଛି ହତ୍ୟାକାରୀ ? ଏସଂପର୍କରେ କୌଣସି ଖବର ନାହିଁ ।

ଆଉ ଏଭଳି ସ୍ଥିତିରେ ମର୍ଡର୍ ପ୍ଲଟ୍ ଏବଂ ତା’ ପଛରେ ଥିବା ମାନସିକତା ସଂପର୍କରେ ଜାଣିବା ପାଇଁ ଫରେନସିକ୍ ମେଡ଼ିସିନ୍ ବିଭାଗର ସାହାଯ୍ୟ ନେବାକୁ ବାଧ୍ୟ ହୋଇଛି କମିଶନରେଟ୍ ପୋଲିସ । ଯେଉଁଥିରେ କୁହାଯାଉଛି, ହତ୍ୟାକାଣ୍ଡ ପଛରେ ରହିଛି ସାଇକୋ କିଲର୍ ।

– ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଅସ୍ତ୍ର
– ହତ୍ୟାକାଣ୍ଡର ପାରିପାଶ୍ୱିର୍କ ସ୍ଥିତି
– ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିବା

ଏହି ତମାମ୍ ଦିଗକୁ ଆଧାର କରି ଯେତେବେଳେ ପୋଲିସ ଫରେନସିକ୍ ମେଡ଼ିସିନ୍ ବିଭାଗର ସାହାଯ୍ୟ ନେଇଛି, ସେତେବେଳେ ବିଶେଷଜ୍ଞଙ୍କ ମତ ଆଧାରରେ ହତ୍ୟାକାଣ୍ଡ ପଛରେ ସାଇକୋ କିଲର୍ ଥିବା ଅନୁମାନ କରାଯାଉଛି । ଏମିତି କି ଏହି ହତ୍ୟାକାଣ୍ଡ ସଂପର୍କରେ ସୁରାଗ୍ ମିଳିଥିବା ଦାବି କରିଛନ୍ତି ପୋଲିସ କମିଶନର ।

ତେବେ ପ୍ରଶ୍ନ ଉଠୁଛି ପୋଲିସ୍ ହାତରେ କେଉଁ ସୁରାଗ୍ ଲାଗିଛି ? ନିର୍ଦ୍ଦିଷ୍ଟ କୌଣସି ପ୍ରମାଣ ରହିଛି କି ? ବହୁ ଚର୍ଚ୍ଚିତ କଟକର ଏହି ସିରିୟଲ ହତ୍ୟାକାଣ୍ଡ ଘଟଣାର ସୁରାଗ୍ ମିଳିଛି ବୋଲି ପୋଲିସ୍ ଦାବି କରିଛି । କିନ୍ତୁ କେଉଁ ଭଳି ସୂତ୍ର ମିଳିଛି ସେ ସଂପର୍କରେ କୌଣସି ତଥ୍ୟ ଦେଇ ନାହାଁନ୍ତି ପୋଲିସ୍ କମିଶନର । କାରଣ, ଏହା ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି ହେବ ବୋଲି କହିଛନ୍ତି ପୋଲିସ କମିଶନର । ଆଉ ସବୁଠାରୁ ବଡ଼ କଥା ହେଉଛି, ଆଡିସନାଲ୍ ଡିସିପି ର‌୍ୟାଙ୍କର ଜଣେ ପୋଲିସ୍ ଅଧିକାରୀଙ୍କ ନେତୃତ୍ୱରେ ତଦନ୍ତ କରୁଛି ଏକ ପୋଲିସ୍ ଟିମ୍ । ହେଲେ ସାଇକୋ କିଲର୍ ଟେର୍ ପାଉନି ପୋଲିସ୍ ।