ଘନଉଛି କୋରାପୁଟ ନାବାଳିକା ଗଣଦୁଷ୍କର୍ମ ମାମଲା : ଆଜି ପୀଡିତାଙ୍କୁ ଭେଟିବେ ଜାତୀୟ ମାନବାଧିକାର କମିଶନ ସଭ୍ୟ, ସେପଟେ ଘଟଣାରେ ସମ୍ପୃକ୍ତି ନଥିବା ସ୍ପଷ୍ଟ କଲା ମାଓ ସଂଗଠନ

29

କନକ ବ୍ୟୁରୋ : କୋରାପୁଟ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଆଜି ପୀଡିତାଙ୍କୁ ଭେଟିବେ ଜାତୀୟ ମାନବାଧିକାର କମିଶନର ସଭ୍ୟ । ଆଜି କୋରାପୁଟରେ ପହଂଚି ଜାତୀୟ ମାନବାଧିକାର କମିଶନର ସଭ୍ୟ ପୀଡିତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାସହ ଜେଏନୟୁର କିଛି ଛାତ୍ର ନେତା ମଧ୍ୟ ପୀଡିତାଙ୍କୁ ଭେଟିବେ । ଗତକାଲି ପୀଡିତାଙ୍କ ବୟାନ ରେକର୍ଡ କରିଛି ତଦନ୍ତକାରୀ ଦଳ । ଡିଆଇଜି, ଏସପି ଓ କ୍ରାଇମବ୍ରାଂଚ ଉପସ୍ଥିତିରେ ଘଟଣା ଦିନ ପୀଡିତା ଯାଇଥିବା, ଫଟୋ ଷ୍ଟୁଡିଓର ମାଲିକ ଓ ଉକ୍ତ ଗାଁର ୧୫ରୁ ୨୦ ଜଣଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ଏହାସହ ନାବାଳିକାଙ୍କ ମା’ ଓ ଭାଇଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଛି । ଗଣଦୁଷ୍କର୍ମର ଶିକାର ହୋଇଥିବା କୋରାପୁଟ ପୀଡିତାଙ୍କ ଚିକିତ୍ସା ପାଇଁ ୭ ଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଛି । ଏହି ଡାକ୍ତରୀ ଦଳ ୨୪ ଘଂଟିଆ ପୀଡିତାର ସ୍ୱାସ୍ଥ୍ୟବସ୍ଥା ତଦାରଖ କରିବେ ।

ଅନ୍ୟପଟେ, କୋରାପୁଟ କୁନ୍ଦୁଲିରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ମାଓବାଦୀଙ୍କ କୌଣସି ସଂପୃକ୍ତି ନାହିଁ । ଏନେଇ ସୂଚନା ଦେଇଛି ଆନ୍ଧ୍ର-ଓଡିଶା ସ୍ପେଶାଲ ଜୋନାଲ କମିଟି । ମାଓନେତା ଜଗବନ୍ଧୁ ଏକ ଅଡିଓ ଟେପ୍ ଜାରି କରି ଏହିକଥା ପ୍ରକାଶ କରିଛନ୍ତି । ଏପରିକି ଘଟଣାକୁ ତୀବ୍ର ନିନ୍ଦା କରିବା ସହ, ଆଗାମୀ ୧୬ ତାରିଖରେ କୋରାପୁଟ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ । ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ବିଏସଏଫ ଯବାନଙ୍କ ହାତଥିବା ଅଭିଯୋଗ ଆସିବା ପରେ ପୋଲିସ ଓ ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ନେଇଛି । ହେଲେ ଏହି ଜଘନ୍ୟ କାଣ୍ଡ ପଛରେ ମାଓବାଦୀଙ୍କ ହାତ ଥାଇପାରେ ବୋଲି ମଧ୍ୟ ସନ୍ଦେହ ପ୍ରକାଶ କରିଥିଲେ ପୋଲିସ ଡିଜି ଆର.ପି. ଶର୍ମା । ଯାହାକୁ ନେଇ ନିଜଆଡୁ ସଫେଇ ରଖିଛି ନକ୍ସଲ ବାହିନୀ ।

ସୂଚନାଯୋଗ୍ୟ, ଗଣଦୁଷ୍କର୍ମର ଶିକାର ହୋଇଥିବା କୋରାପୁଟ ପୀଡିତାଙ୍କ ଚିକିତ୍ସା ପାଇଁ ୭ ଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଛି । ଏହି ଡାକ୍ତରୀ ଦଳ ୨୪ ଘଂଟିଆ ପୀଡିତାର ସ୍ୱାସ୍ଥ୍ୟବସ୍ଥା ତଦାରଖ କରିବେ । ସେପଟେ ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି ମହିଳା କମିସନ । ପୀଡିତାଙ୍କ ବୟାନ ରେକର୍ଡ ପାଇଁ ମହିଳା କମିସନର ୪ ଜଣିଆ ସ୍ୱତନ୍ତ୍ର ଟିମ କେନ୍ଦୁଲ ଯାଇଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ପୀଡିତାଙ୍କ ପରିବାର ସହ ଆଲୋଚନା ହୋଇଛି । ଖୁବ ଶୀଘ୍ର ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ମହିଳା କମିସନର ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି । ରାଜ୍ୟ ଶିଶୁ ସୁରକ୍ଷା ସଭ୍ୟ ମଧ୍ୟ କୋରାପୁଟ ଡାକ୍ତରଖାନାକୁ ଯାଇ ପୀଡିତାଙ୍କୁ ଭେଟିଛନ୍ତି । ଏହାସହ ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ସେହିପରି ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମଧ୍ୟ ପୀଡିତାଙ୍କୁ ଭେଟି ଅପରାଧୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।

ତେବେ ଗଣଦୁଷ୍କର୍ମ ମାମଲାର ୫ଦିନ ପରେ ବି ଦୁଷ୍କର୍ମକାରୀଙ୍କୁ ଠାବ କରିପାରିନି ପୋଲିସ୍ । ତଦନ୍ତର ଦାୟିତ୍ୱ ନେଇଛି କ୍ରାଇମବ୍ରାଞ୍ଚ । ଦୁଷ୍କର୍ମକାରୀ କିଏ ତାକୁ ନେଇ ଖୋଳତାଡ କରୁଛି ଟିମ୍ । ଅଧିକାରୀମାନେ ଘଟଣାସ୍ଥଳ ବୋଲି କୁହାଯାଉଥିବା ମେଞ୍ଜିଗୁଡା ଜଙ୍ଗଲକୁ ଯାଇ କିଛି ନମୁନା ମଧ୍ୟ ସଂଗ୍ରହ କରିଛନ୍ତି । ଯବାନ ପୋଷାକରେ ଥିବା ବଳ।ତ୍କାରୀ ଦୁର୍ବୃତଙ୍କୁ ଖୋଜିବାରେ ଲାଗି ପଡିଛି ପୁଲିସ । କ୍ୟାମ୍ପରୁ କ୍ୟାମ୍ପ ବୁଲି ସୁରକ୍ଷାକର୍ମୀଙ୍କୁ ତଦନ୍ତକାରୀ ଦଳ ପଚରାଉଚରା କରୁଥିବା କହିଛନ୍ତି ପୁଲିସ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା । ପୁଲିସ ମଧ୍ୟ ତଦନ୍ତ ଜାରି ରଖିଥିବା କହିଛନ୍ତି କୋରାପୁଟ ଏସପି ଡାକ୍ତର କନୱର ସିଂହ । କୌଣସି ବି ପରିସ୍ଥିତିରେ ଅଭିଯୁକ୍ତଙ୍କୁ ଛଡାଯିବନି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହଛନ୍ତି ।