୨୪ ଘଣ୍ଟାରେ ଆଦାୟ ହେଲା ୨୫ ଲକ୍ଷ ଟଙ୍କାରୁ ଅଧିକ ଜରିମାନା । ୯୪୦୦ ଉଲ୍ଲଂଘନକାରୀ ଦେଲେ ଜରିମାନା, ୧୦ ଦିନ ଯାଏଁ ଚାଲୁରହିବ ସ୍ପେଶାଲ ଡ୍ରାଇଭ ।

261

କନକ ବ୍ୟୁରୋ : ଗତ ୨୪ ଘଣ୍ଟାରେ ଆଦାୟ ହେଲା ୨୫ ଲକ୍ଷ ଟଙ୍କାରୁ ଅଧିକ ଫାଇନ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଥିବା ସ୍ପେଶାଲ ଡ୍ରାଇଭରେ ରାଜ୍ୟ ପୋଲିସ ପକ୍ଷରୁ ୨୫ ଲକ୍ଷ ଟଙ୍କା ଜରିମାନା ବାବଦକୁ ଆଦାୟ କରାଯାଇଛି । ମାସ୍କ ଓ ସାମାଜିକ ଦୂରତା ଉଲ୍ଲଂଘନକାରୀଙ୍କ ଠାରୁ ଏହି ଜରିମାନା ଅର୍ଥ ଆଦାୟ କରାଯାଇଛି । ମୋଟ ୯୪୦୦ ଜଣ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଏତେ ପରିମାଣରେ ଜରିମାନା ଆଦାୟ କରାଯାଇଛି ।

ରାଜ୍ୟରେ କରୋନା କାୟା ମେଲାଉଥିବା ବେଳେ ସଂକ୍ରମଣ ରୋକିବା ସହ ଅମାନିଆଙ୍କୁ ସାବାଡ କରିବାକୁ ପୋଲିସକୁ ୧୦ ଦିନିଆ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆଉ ଏହି ସ୍ପେଶାଲ ଡ୍ରାଇଭରେ ସଂକ୍ରମଣକୁ ନେଇ ସଚେତନ କରାଯିବା ସହ କୋଭିଡ ଗାଇଡଲାଇନ ମାନୁନଥିବା ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା । ମୋଟ ୧୩୬ ପ୍ଲାଟୁନ ପୋଲିସ ଏହି ସ୍ପେଶାଲ ଡ୍ରାଇଭରେ ସାମିଲ ହୋଇ କୋଭିଡ ଗାଇଡଲାଇନ ଉଲ୍ଲଂଘନକାରୀଙ୍କ ଧରିବା ସହ ଜରିମାନା ଆଦାୟ କରିଥିଲେ ।

ଏସବୁ ଭିତରେ କୋଭିଡ କଟକଣା ଉଲ୍ଲଂଘନ ଅଭିଯୋଗରେ କୋଚିଂ ସେଂଟରକୁ ସିଲ କଲା କଟକ ମହାନଗର ନିଗମ । ଅରୁଣୋଦୟ ମାର୍କେଟରେ ଥିବା ମହିନ୍ଦ୍ରା କୋଚିଂ ସେଂଟରରେ କୋଭିଡ କଟକଣା ଉଲ୍ଲଂଘନ ଅଭିଯୋଗ ହୋଇଥିଲା । କୋଚିଂ ସେଂଟରରେ କ୍ଲାସରେ ଏକା ସାଙ୍ଗରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ବିନା ସାମାଜିକ ଦୂରତାରେ ବସି ପାଠ ପଢୁଥିଲେ । ଏନେଇ ଅଭିଯୋଗ ପରେ ସେଂଟରରେ ଚଢାଉ କରି ସିଲ କରିଛି ସିଏମସି ସ୍କ୍ୱାର୍ଡ । ଏଥିସହ ଅରୁଣଦୋୟ ମାର୍କେଟରେ ଥିବା ଅନ୍ୟ  କାର୍ଯ୍ୟାଳୟ ଓ କୋଚିଂ ସେଂଟର ବୁଲି ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ପାଳନ ହେଉଛି ନା ନାହିଁ ଯାଂଚ କରିଛନ୍ତି ସିଏମସି କର୍ମଚାରୀ ।

ସେହିଭଳି ଭୁବନେଶ୍ୱରରେ କରୋନା ସଂଖ୍ୟା ବଢୁଥିବା ବେଳେ କମିସନରେଟ ପୁଲିସ ସହ ମିଶି ବିଏମସି ଏନଫୋର୍ସମେଂଟକୁ ତ୍ୱରାନ୍ୱିତ କରୁଛି । ସଂକ୍ରମଣକୁ ଚେକ ଦେବା ପାଇଁ ସରକାରୀ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଏହି ସୂଚନା ଦେଇଛନ୍ତି ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ । ଭୁବନେଶ୍ୱରରେ ବର୍ତମାନ କାର୍ଯ୍ୟକ୍ଷମ ଏକମାତ୍ର କୋଭିଡ ହସ୍ପିଟାଲ, ସମ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୧୫୦ରୁ ୨୫୦କୁ ବୃଦ୍ଧି କରାଯାଇଛି । ଏବେ ନାଇଟକର୍ଫ୍ୟୁ, ଲକଡାଉନ, ସଟଡାଉନ୍ କଥା ଚିନ୍ତା କରାଯାଉ ନାହିଁ । ଏନଫୋର୍ସମେଂଟ, ମାଇକ୍ରୋ କଂଟେନମେଂଟ ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ବିଏମସି କମିସନର ।