ପୋଲିସ ବାବୁଙ୍କୁ ମଦୁଆ ଦେଖାଇଲା ନାଲିଆଖି! ଆମ ଘରେ ଚାରି ଚାରି ଜଣ ଆଇପିଏସ, ମୋତେ ଆଇନ ଶିଖାଅନି । ଯାହା କିଛି ନେଇ ରଫାଦଫା କର

52

କନକ ବ୍ୟୁରୋ : ମଦ ପିଇ ଗାଡ଼ି ଚଳାଇବୁ କିନ୍ତୁ ଫାଇନ ଦେବୁନି । ପୋଲିସ ଧରିଲେ ନାଲିଆଖି ଦେଖାଇବୁ । ମୋର ଅମୁକ ଚିହ୍ନା, ମୋର ସମୁକ ଚିହ୍ନା । ଏମିତି ଅନେକ କଥା ପୋଲିସ ଚେକିଂ ବେଳେ ଶୁଣିବାକୁ ମିଳେ । ଆଉ ଏହିଭଳି କଥା କେବଳ ରାଜଧାନୀ ଭୁବନେଶ୍ୱରରେ ଶୁଣିବାକୁ ମିଳେ । ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କୁ ଧରିଲେ ବିଭିନ୍ନ ପ୍ରକାର କଥା ଶୁଣିବାକୁ ମିଳେ । କିଏ କୁହେ ମୁଁ ମନ୍ତ୍ରୀ ଲୋକ ତ ପୁଣି କିଏ କୁହେ ମୋର ଅମୁକ ପୋଲିସ ଅଫିସର ଚିହ୍ନା । ଏତିକିରେ କଥା ସରେନାହିଁ କିଛି ସମୟ ଫୋନ ଲଗାଇବା କାର୍ଯ୍ୟକ୍ରମ ମଧ୍ୟ ଏଥିରେ ସାମିଲ ଥାଏ । ଶେଷରେ କିଛି ନ ହେଲେ କାନ ମୁଣ୍ଡ ଆଉଁସି ଜରିମାନା ଦେବା ସହ ଫେରିଥାନ୍ତି ଟ୍ରାଫିକ ନିୟମ ଉଲ୍ଲଂଘନକାରୀ । ତେବେ ଗତକାଲି କଳ୍ପନା ଛକରେ ମଧ୍ୟ ଏହାର ଆଉ ଏକ ଝଲକ ଦେଖିବାକୁ ମିଳିଥିଲା ।

ସମୟ ପ୍ରାୟ ରାତି ୧ଟା । କଳ୍ପନା ଛକରେ ଚାଲିଥାଏ ପୋଲିସ ଚେକିଂ । ଏହି ସମୟରେ ପୋଲିସ ଏକ କାରକୁ ଅଟକାଇବା ସହ ଡ୍ରାଇଭର ମଦ୍ୟପାନ କରିଛନ୍ତି କି ନାହିଁ ଜାଣିବାକୁ ଚାହିଁଥିଲା । ଡ୍ରାଇଭର ମଦ୍ୟପାନ କରିଥିବା ଜାଣିବା ପରେ ୫୦୦ ଟଙ୍କା ଚାଲାଣ କାଟିବାକୁ କହିଥିଲା । ଆଉ ଏହାପରେ ଆରମ୍ଭ ହୋଇଯାଇଥିଲା ସେହି ପୁରୁଣା ନାଟକ । ଗାଡ଼ିରେ ଥିବା ଅନ୍ୟ ବ୍ୟକ୍ତି ଜଣକ ଓହ୍ଲାଇବା ସହ କିଛି ସମୟ ପୋଲିସ ବାବୁଙ୍କ ସହ ଯୁକ୍ତିତର୍କ କରିଥିଲେ । ପ୍ରଥମେ ଜରିମାନା ଦେବାକୁ ଅରାଜି ହେବା ସହ ପୋଲିସକୁ ଦେଖାଇଥିଲେ ନାଲିଆଖି ।

ଉକ୍ତ ବ୍ୟକ୍ତି ଜଣକ ପୋଲିସ ବାବୁଙ୍କୁ ନିଜର ଚିହ୍ନାଜଣାର ଏକ ଲମ୍ବାତାଲିକା ଦେଇଥିଲେ । ଏପରିକି କହିଥିଲେ, ଯାହା କରୁଛ କର । ମୁଁ କାହାକୁ ଖାତିର କରେନି । କାହିଁକି ନା ମୁଁ ଆଇଏଏସ ଓ ଆଇପିଏସଙ୍କ ଲୋକ । ଆମ ଘରେ ଚାରି ଚାରି ଜଣ ଆଇପିଏସ । ଏସପି ମୋ ଭାଇ । ଯାହା ଗୋଟେ ନେଇକି ସଟ୍ ଆଉଟ୍ କର । ୫୦୦ ଟଙ୍କା ମୁଁ ଫାଇନ ଦେଇପାରିବିନି । ମୋର ବହୁତ ଆଇଏଏସ ଓ ଆଇପିଏସ ଚିହ୍ନା ଅଛନ୍ତି । ମୋତେ ନିୟମ ଶିଖାନ୍ତୁନି । ଏପରିକି ୨୦୦ ଟଙ୍କା ନେଇ ସଟ୍ ଆଉଟ୍ କରିବାକୁ କହିଥିଲେ ଉକ୍ତ ବ୍ୟକ୍ତି ଜଣକ । କିନ୍ତୁ କମିଶନରେଟ ପୋଲିସ ଆଗରେ ବାବୁଙ୍କର ହାଇଭୋଲଟେଜ ଡ୍ରାମା କାମ ଦେଇନଥିଲା । ସିଧା ୫୦୦ ଟଙ୍କାର ଫାଇନ କାଟି ଆଇନର ବାଟ ଦେଖାଇ ଦେଇଥିଲା ପୋଲିସ ।

ରାତି ସମୟରେ ମଦୁଆଙ୍କୁ ସାବାଡ଼ କରିବା ପାଇଁ ସହର ସାରା ଏବେ ଚକ୍କର କାଟୁଛି କମିଶନରେଟ ପୋଲିସ । ଛକ ମାନଙ୍କରେ ବ୍ଲକିଂ କରି ଫାଇନ ଆଦାୟ କରିବା ସହ ସିଧା ଥାନାକୁ ଉଠାଇ ଆଣୁଛି ପୋଲିସ । କିଛି ବ୍ୟକ୍ତି ମଦ ପିଇଛନ୍ତି କି ନାହିଁ ପରୀକ୍ଷା କରାଯାଉଥିବା ବେଳେ, ବ୍ରେଥ ଆନାଲାଇଜର ବି ଫେଲ ମାରିଥିଲା । ଆଉ କିଛି ମଦ ପିଇଛନ୍ତି ବୋଲି କ୍ୟାମେରା ଆଗରେ ସତ ମାନିଯାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ରାଜଧାନୀର ରାସ୍ତାଘାଟରେ ପୋଲିସ ବ୍ଲକିଂ କରୁଥିବା ବେଳେ ମଝିରେ ମଝିରେ ହୋଟେଲ ଓ ଲଜରେ ମଧ୍ୟ ରେଡ଼ ମାରୁଛି ।ଗତ ୪ ଦିନ ମଧ୍ୟରେ ଏହିଭଳି ଭାବେ ଲକ୍ଷାଧିକ ଟଙ୍କା ଫାଇନ ଆକାରରେ ଆଦାୟ କରିଛି କମିଶନରେଟ ପୋଲିସ ।