କରୋନା ବେଳେ ବୋଝ ଉପରେ ନଳିତା ବିଡା ସାଜିଛି ପୁଲିସ ଫାଇନ୍ । ଅଫିସରୁ ବାହାରିବା ବିଳମ୍ବ ହେଲେ ରାସ୍ତାରେ ଗଣିବାକୁ ପଡୁଛି ଫାଇନ୍, ସେପଟେ ନିୟମ ଉଲଂଘନ ଅଭିଯୋଗରେ ଜରିମାନା ଦେଲେ ଟିକଟିକ୍ ପିଲା ।

578

କନକ ବ୍ୟୁରୋ : ଲୋକମାନେ ଯେତେବେଳେ ଆଗକୁ କ’ଣ ହେବ ସେନେଇ ସନ୍ଦିହାନ ଅଛନ୍ତି, ସେତେବେଳେ ଲୋକଙ୍କ ଭିତରେ ଆଉ ଏକ ଭୟ ସୃଷ୍ଟି ହୋଇଛି । ପଦାକୁ ବାହାରିଲେ ପୋଲିସକୁ ଫାଇନ ଦେବା ସହ କଡା ଯାଂଚର ସମ୍ମୁଖୀନ ହେବା ଆଶଙ୍କା କରୁଛନ୍ତି ସାଧାରଣ ଲୋକ । ନାଇଟ୍ କର୍ଫ୍ୟୁ ବେଳେ ଏହି ଭୟ ଆହୁରି ବଢ଼ିଯାଇଛି ।

ଓଡିଶାରେ ସନ୍ଧ୍ୟା ୭ଟା ପରେ ଆପଣ ଯଦି ମୁଖ୍ୟ ରାସ୍ତାରେ ଯାଉଛନ୍ତି ତେବେ ଆପଣଙ୍କୁ ପୋଲିସ ଯାଂଚର ସାମ୍ନା କରିବାକୁ ପଡିବ । ପୋଲିସ ବାବୁ ଆପଣଙ୍କୁ ପଚାରିବେ କୁଆଡେ ଯାଇଥିଲେ କାହିଁକି ଯାଇଥିଲେ, ଏମିତି ଅନେକ ପ୍ରଶ୍ନ । ସନ୍ଧ୍ୟା ୭ଟା ପରେ ହଠାତ୍ ଆପଣଙ୍କ ଅଧିକାର ସଂକୁଚିତ ହୋଇଯାଉଛି ।

ଭାରତ ସରକାର ରାତି ୯ଟାରୁ ସକାଳ ୫ଟା ଯାଏଁ ରାତ୍ରୀକାଳିନ କର୍ଫ୍ୟୁ ଜାରି କରିଥିବାବେଳେ ଓଡିଶା ସରକାର ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏଁ ରାତ୍ରୀକାଳିନ କର୍ଫ୍ୟୁ ଜାରି କରିଛନ୍ତି । ସରକାରୀ ଅଧିକାରୀମାନେ କହୁଛନ୍ତି ସଂକ୍ରମଣ ସମ୍ଭାବନାକୁ ଏହି କଟକଣା ଦ୍ୱାରା କିଛି ମାତ୍ରାରେ କମ୍ କରିହେବ । କିନ୍ତୁ ଏହି ଥିଓରୀର ବାସ୍ତବତା କେତେ ତାହା କେହି ଜାଣନ୍ତି ନାହିଁ ।

ଭୁବନେଶ୍ୱରର ଇନ୍ଦିରାଗାନ୍ଧି ପାର୍କରେ କିଛି ପିଲା ଟିକଟକ୍ ଭିଡିଓ ସୁଟ୍ କରୁଥିବାବେଳେ ସେଠାରେ ପହଁଚି ଯାଇଥିଲେ ପୋଲିସ୍ ବାବୁ । ତାଙ୍କୁ ଟିକଟକ୍ ଭିଡିଓ ସୁଟ୍ କରିବାକୁ କିଏ ଅନୁମତି ଦେଲା, ଏଭଳି ଅନେକ ପ୍ରଶ୍ନ କରି ଧମକ ଚମକ ମଧ୍ୟ ଦେଲେ । ଫାଇନ ବି ନେଲେ ଆଉ ପୋଲିସ ଗାଡିରେ ବସାଇ ଥାନାବି ନେଇଗଲେ । ପ୍ରଶ୍ନ ଉଠୁଛି ଏସବୁ ଅଧିକାର କଣ ଜନସାଧାରଣଙ୍କର ଆଉ ନାହିଁ । ଆଉ ଏବେ ଯେଉଁଠି ଚାହିଁବେ ଆପଣଙ୍କୁ ପୋଲିସ ବାବୁ ଧମକାଇବେ ଏବଂ ଥାନାକୁ ନେଇଯିବେ । ଯେଉଁ ସ୍ୱାଧୀନତା, ଗଣତନ୍ତ୍ରର ସଫଳତାର ସବୁଠାରୁ ବଡ ଚାବି କାଠି ସେସବୁ ଅଧିକାର କଣ ଚାଲିଯାଇଛି । ଏଭଳି ଅନେକ ପ୍ରଶ୍ନ ଏବେ ଅନେକଙ୍କୁ ଆନ୍ଦୋଳିତ କରୁଛି ।