ଆନ୍ଦୋଳନ ବେଳେ ପୁଲିସ-ଡ୍ରାଇଭର ପିଟାପିଟି : ଜଗନ୍ନାଥପୁର ଛକ ପାଲଟିଲା ରଣକ୍ଷେତ୍ର; ଫାଟିଲା ୨ ପୁଲିସ ଅଧିକାରୀଙ୍କ ମୁଣ୍ଡ, ୧୧ ଜଣ ଡ୍ରାଇଭର ଥାନାରେ ଅଟକ

113

କନକ ବ୍ୟୁରୋ : ଡ୍ରାଇଭର ଆନ୍ଦୋଳନ ବେଳେ ବ୍ରହ୍ମପୁରରୁ ପୋଲିସ୍ ଓ ଆନ୍ଦୋଳନକାରୀ ମଧ୍ୟରେ ସଂଘର୍ଷ ହୋଇଛି । ଜଗନ୍ନାଥପୁର ଛକରେ ପୋଲିସ୍ ଓ ଡ୍ରାଇଭର ପିଟାପିଟି ହୋଇଛନ୍ତି । ପୁଲିସ ଉପରେ ଆନ୍ଦୋଳନକାରୀ ଟେକା ପଥର ମାଡ କରିବା ସହ ଠେଙ୍ଗାରେ ଆକ୍ରମଣ କରିଛନ୍ତି । ଆକ୍ରମଣରେ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଓ ଏସଆଇ ମଲ୍ଲିକଙ୍କ ମୁଣ୍ଡ ଫାଟିଛି । ସେହିପରି ୨ରୁ ୩ କନେଷ୍ଟବଳ ଆହତ ହୋଇଛନ୍ତି ।

ସେପଟେ କିଛି ଆନ୍ଦୋଳନକାରୀ ଡ୍ରାଇଭର ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ଆହାତ ଦୁଇ ପୁଲିସ ଅଧିକାରୀଙ୍କୁ ତୁରନ୍ତ ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦଙ୍କୁ ୨ରୁ ୩ଟି ଷ୍ଟିଚ ପଡିଥିବା ବେଳେ ଏସଆଇ ମଲ୍ଲିକଙ୍କର ୮ଟି ଷ୍ଟିଚ ପଡିଛି । ସେପଟେ ଆନ୍ଦୋଳନକାରୀ ଡ୍ରାଇଭରଙ୍କ ପାଖାପାଖି ୩ଶହ ବାଇକକୁ ପୁଲିସ ଜବତ କରିଛି । ଆଉ ଗଣ୍ଡଗୋଳକାରୀ ୧୧ ଜଣ ଡ୍ରାଇଭରକୁ ଥାନାକୁ ଉଠାଇ ନେଇ ଅଟକ ରଖିଛି ପୁଲିସ । ଆଜି ସନ୍ଧ୍ୟାରେ ଜଗନ୍ନାଥପୁର ଛକରେ ଶହ ଶହ ଡ୍ରାଇଭର ଆନ୍ଦୋଳନକୁ ଓହ୍ଲାଇ ରାସ୍ତା ରୋକ କରିଥିଲେ ।

ଫଳରେ ୧୬ ନଂବର ଜାତୀୟ ରାଜପଥରେ ଗଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଆନ୍ଦୋଳନାକରୀ ଡ୍ରାଇଭରଙ୍କୁ ଘଉଡ଼ାଇବାକୁ ପୋଲିସ୍ ଚେଷ୍ଟା କରୁଥିଲେ । ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ ଡ୍ରାଇଭର । ଫଳରେ ପୋଲିସ୍ ଓ ଡ୍ରାଇଭରଙ୍କ ମଧ୍ୟରେ ଧସ୍ତା ଧସ୍ତି ହୋଇ ଉତ୍ତେଜନା ବଢିଥିଲା । ଏହାକୁ ନେଇ ପୁଲିସ ଓ ଡ୍ରାଇଭରଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ସୂଚନା ମିଳିଛି ।