ସାର ପାଇଁ ଚାଷୀଙ୍କ ସଂଘର୍ଷ । ନବରଙ୍ଗପୁର କୋଷାଗୁମୁଡ଼ାରେ ୧୭ ଶହ ବସ୍ତା ପାଇଁ ୩ ହଜାର ଚାଷୀଙ୍କ ଭିଡ ।

84

କନକ ବ୍ୟୁରୋ: ୟୁରିଆ ସାର ପାଇଁ ଧାଡିରେ ଠିଆ ହୋଇଥିବା ଚାଷୀଙ୍କ ପିଠିରେ ପୁଲିସ କରିଛି ଲାଠି ମାଡ । ଆଉ ଚାଷୀଙ୍କୁ ଘଉଡାଇବାକୁ ପୁଲିସ କରିଛି ବଳ ପ୍ରୟୋଗ । ନବରଙ୍ଗପୁର ଜିଲ୍ଲା କୋଷାଗୁମଡା ଲ୍ୟାମ୍ପସ ଅଞ୍ଚଳରୁ ଆସିଥିବା ଏହି ଖବର ହିଁ ବୟାନ କରୁଛି ସାର ଅଭାବ କେତେ ଉକ୍ରଟ ରୂପ ନେଲାଣି । ସୂଚନା ଅନୁସାରେ ସେହି ଲ୍ୟାମ୍ପସକୁ ମାତ୍ର ୧୭ଶହ ବସ୍ତା ୟୁରିଆ ସାର ଆସିଥିବା ବେଳେ ସାର ନେବାକୁ ଭିଡ ଜମାଇଥିଲେ ୩ ହଜାରରୁ ଅଧିକ ଚାଷୀ । ଆଉ ସାର ନେବାକୁ ଠେଲାପେଲା ହେବାରୁ ପୁଲିସ ଲାଠି ଚାଷୀଙ୍କ ପିଠିରେ କଥା କହିଛି ।

  • ୮୫୦ ବସ୍ତା ସାରକୁ ପ୍ରାୟ ୧୦ ହଜାର ଚାଷୀ
  • ଲ୍ୟାମ୍ପସ୍ ଆଗରେ ଚାଷୀଙ୍କ ଲମ୍ବା ଧାଡି

କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକର ଲ୍ୟାମ୍ପସକୁ ସାର ଆସିଥିବା ଖବର ଶୁଣି କାମ ଧନ୍ଦା ଛାଡି ଛୁଟି ଆସିଥିଲେ ଚାଷୀ । ଏତେ ଚାଷୀଙ୍କ ପାଇଁ ସାର ନାହିଁ ବୋଲି ଲ୍ୟାମ୍ପସ ଅଧିକାରୀ କହିବାରୁ ଚାଷୀମାନେ ତାତି ଉଠିଥିଲେ । ସ୍ଥିତି ଉତ୍ତେଜନା ହେବାରୁ ପୁଲିସ ପହଞ୍ଚି ବୁଝାସୁଝା କରିଛି । ପରିସ୍ଥିତି ଶାନ୍ତ ପଡିବାରୁ ଧାଡିରେ ଠିଆ ହୋଇଥିବା ଶହ ଶହ ଚାଷୀଙ୍କ ମଧ୍ୟରୁ ହାତ ଗଣତି କିଛି ଚାଷୀଙ୍କୁ ଗୋଟିଏ ବସ୍ତା ଲେଖାଏଁ ସାର ଦିଆଯାଇଛି ।

ବୈପାରୀଗୁଡା ଅଞ୍ଚଳର ପ୍ରାୟ ୧୦ହଜାର ଚାଷୀଙ୍କୁ ୟୁରିଆ ସାରର ଆବଶ୍ୟକତା ଥିବା ବେଳେ ମାତ୍ର ୮୫୦ ଜଣଙ୍କୁ ସାର ମିଳିଛି । ଆଉ ସାର ଆସିଲେ ବାକି ଚାଷୀଙ୍କୁ ଦିଆଯିବ ବୋଲି ବୈପାରୀଗୁଡା ଲ୍ୟାମ୍ପସ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଆଗକୁ ସାର ନମିଳିଲେ ରାସ୍ତାକୁ ଓହ୍ଲାଇବେ ବୋଲି ଚାଷୀ ଚେତାବନୀ ଦେଇଛନ୍ତି ।