ସବୁ ସଭା ବନ୍ଦ: ଟ୍ୱିନ ସିଟିରେ ସଭା ସମିତି ରଦ୍ଦ କଲା କମିଶନରେଟ ପୋଲିସ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସିନେମା ହଲ ବନ୍ଦ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ପୋଲିସ କର୍ମୀଙ୍କ ଦେହ ଖରାପ ହେଲେ ସଙ୍ଗେ ସଙ୍ଗେ ମିଳିବ ଛୁଟି

668

କନକ ବ୍ୟୁରୋ: କରୋନାକୁ ରାଜ୍ୟ ସରକାର ବଡ ବିପର୍ଯ୍ୟୟ ଘୋଷଣା କରିବା ପରେ ଏବେ ତତ୍ପର ହୋଇଛି ସବୁ ବିଭାଗ । ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ଶିକ୍ଷା ବିଭାଗ ଯାଏଁ ସମସ୍ତେ ଭାଇରସର ମୁକାବିଲା କପିବା ପାଇଁ ଅଣ୍ଟା ଭିଡିଛନ୍ତି । ତେବେ ଏତିକି ବେଳେ କୌଣସି ବି ସ୍ଥାନରେ ସଭାସମିତି ନକରିବାକୁ ପରାମର୍ଶ ଦିଆଯାଇଥିବା ବେଳେ ପଦକ୍ଷେପ ନେଇଛି କମିଶନରେଟ ପୋଲିସ ।

ଗାନ୍ଧୀ ମାର୍ଗରେ ହେଉଥିବା ସମସ୍ତ ଧାରଣାକୁ ବନ୍ଦ କଲା ପୋଲିସ । ଟ୍ୱିନ ସିଟିର ସମସ୍ତ ସ୍ଥାନରେ ସଭା ସମିତି ରଦ୍ଦ କରିବାକୁ ପୋଲିସର ଆହ୍ୱାନ । ଧାରଣାରେ ନବସିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କଲେ ପୋଲିସ କମିଶନର ।

ତେବେ ପୋଲିସ ବାରାକ ନେଇ ମଧ୍ୟ ସୂଚନା ଦେଇଛନ୍ତି ସିପି । ବାରାକକୁ ନେଇ ଆମେ ସଚେତନ ଅଛୁ । କୌଣସି କର୍ମଚାରୀଙ୍କ ଦେହ ଯଦ ଖରାପ ହୁଏ ତେବେ ସଙ୍ଗେ ସଙ୍ଗେ ତାଙ୍କୁ ଛୁଟି ଦିଆଯିବ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ସିନେମା ହଲ, ସୁଇମିଙ୍ଗ ପୁଲ ବନ୍ଦ ନିର୍ଦ୍ଦେଶ ପରେ ସେସବୁ ସ୍ଥାନରେ ପହଞ୍ଚିଛି ପୋଲିସ । ରାଜଧାନୀର ସମସ୍ତ ସିନେମା ହଲ ବନ୍ଦ କରିବାକୁ ପିସିଆର ପଠାଯାଇଥିବା ସୂଚନା ଦେଇଛନ୍ତି ସିପି ।

ତେବେ ଆଜି ରାଜ୍ୟ ସରକାର କରୋନାକୁ ବିପର୍ଯ୍ୟୟ ଘୋଷଣା କରିଛନ୍ତି । କ୍ୟାବିନେଟରେ ନିଷ୍ପତ୍ତି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ମୁକାବିଲା ପାଇଁ ରାଜ୍ୟରେ ବର୍ତମାନ ବନ୍ଦ ରହିବ ଶିକ୍ଷାନୁଷ୍ଠାନ । ଶିକ୍ଷାନୁଷ୍ଠାନ ବନ୍ଦ ରହିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା କିନ୍ତୁ ଜାରି ରହିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଛୋଟ ଛୋଟ ପିଲାମାନଙ୍କ ଠାରେ ଏହି ଭୂତାଣୁ ତୁରନ୍ତ ସଂକ୍ରମିତ ହେଉଥିବାରୁ ଶିକ୍ଷାନୁଷ୍ଠାନ ବନ୍ଦ ନିଷ୍ପତି ନିଆଯାଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଗତ ୪୫ ଦିନ ହେଲା କରୋନା ଭାଇରସ୍ ଭୟ ବିଶ୍ୱକୁ ଗୁରୁତର ଭାବେ ପ୍ରଭାବିତ କଲାଣି । କୌଣସି ଉପଚାର ଓ ଔଷଧ ନଥିବାରୁ କେବଳ ସଚେତନତା ହିଁ ଆମକୁ ରକ୍ଷା କରିପାରିବ ।