ନର୍ସ ନିହାରିକାଙ୍କ ହତ୍ୟାକାରୀ କିଏ? ନିହାରିକା ବାପା ଓ ମା’ଙ୍କର ଡିଏନଏ ଟେଷ୍ଟ ପାଇଁ ଡାକିଲା ପୋଲିସ, ଫେରାର ପ୍ରେମିକ ରାଜାକୁ ଖୋଜୁଛି ପୋଲିସ । 

1,714

କନକ ବ୍ୟୁରୋ : ଷ୍ଟାଫ୍ ନର୍ସ ନିହାରିକା ପାତ୍ର ହତ୍ୟାକାଣ୍ଡ ଘଟଣା । ନିହାରିକା ବାପା ଓ ମା’ଙ୍କର ହେବ ଡିଏନଏ ଟେଷ୍ଟ । ଡିଏନଏ ଟେଷ୍ଟ ପାଇଁ ଡାକିଲା ଜଗତସିଂହପୁର ପୋଲିସ । ଏହାପୂର୍ବରୁ ଗତକାଲି ନିହାରିକାଙ୍କ ଡିଏନଏ ଟେଷ୍ଟ କରିଥିଲା ପୋଲିସ । ନିହାରିକା ହତ୍ୟାକାଣ୍ଡ ଘଟଣା ଉପରୁ ପରଦା ହଟାଇବା ପାଇଁ ଏସପିଙ୍କ ନେତୃତ୍ୱରେ ୬ ଜଣିଆ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ଏହାଛଡା ଅଟକ ରଖାଯାଇଥିବା ୬ ଜଣଙ୍କୁ ବିଭିନ୍ନ ସ୍ଥାନରେ ରଖି ପଚରାଉଚରା କରୁଛି ପୋଲିସ । ଏପରିକି ପ୍ରେମିକ ରାଜାର ଫୋନ କଲକୁ ମଧ୍ୟ ଯାଞ୍ଚ କରାଯାଉଛି । 

କଟକରେ ହତ୍ୟା ପରେ ଅଖାରେ ବାନ୍ଧି ନଈରେ ଭସାଇ ଦେବା ଏବଂ ମୃତଦେହ ଜଗତସିଂହପୁରରୁ ଉଦ୍ଧାର ହେବା ପଛରେ ଯିଏ ସବୁଠୁ ଅଧିକ ସନ୍ଦେହ ଘେରରେ ରହିଛନ୍ତି, ସେ ହେଉଛନ୍ତି ନୀରାରିକାଙ୍କ ପ୍ରେମିକ ରାଜା । ରାଜା ଓ ନିହାରିକା ପରସ୍ପରକୁ ଭଲ ପାଉଥିଲେ, ଏମିତି କି ପରିବାରଙ୍କ ସମ୍ମତିରେ ଅବାଧ ମିଳାମିଶା ବି ଥିଲା । ଆଉ ନିଖୋଜ ହେବା ଦିନ ନିହାରିକାକୁ ସାଥୀରେ ନେଇଯାଇଥିଲା ରାଜା । ହେଲେ ନିହାରିକାଙ୍କ ମୃତଦେହ ମିଳିଲା ବେଳକୁ ରାଜା ଗାଏବ୍ ।

କଟକ ଓ ଜଗତସିଂହପୁର ଜିଲ୍ଲାରେ ଚହଳ ପକାଇ ଦେଇଥିବା ଏହି ହତ୍ୟାକାଣ୍ଡ ଘଟଣାରେ ପୁଲିସ୍ ଏବେ ସନ୍ଦଗ୍ଧ ପ୍ରେମିକ ରାଜାର ବାପା, ଭାଇ ଏବଂ ସଂପର୍କୀୟଙ୍କ ସମେତ ହାଜିପୁର ଅଞ୍ଚଳରୁ ୬ ଜଣଙ୍କୁ ପୁଲିସ ଅଟକ ରଖି ଜେରା ଆରମ୍ଭ କରିଛି ।  ଷ୍ଟାଫ ନର୍ସଙ୍କ ଏହି ବିଭତ୍ସ ହତ୍ୟାକାଣ୍ଡ ପଛରେ ପ୍ରେମିକ ରାଜାର ଭୂମିକା କ’ଣ ତାକୁ ନେଇ ଯେତିକି ବଡ଼ ପ୍ରଶ୍ନ ଛିଡ଼ା ହୋଇଛି, ତାଠୁ ଅଧିକ ସନ୍ଦେହ ବଢ଼ାଇ ଦେଇଛି ରାଜାର ନିଖୋଜ୍ ହେବା ଘଟଣା ।