କନକ ବ୍ୟୁରୋ : କରୋନା ଯୁଦ୍ଧରେ ଯୋଦ୍ଧା ପାଲଟିଛି ପୁଲିସ। ନିଜର କର୍ତ୍ତବ୍ୟ ଠାରୁ ଢେର ପାଦ ଆଗକୁ ଯାଇ ନିଜର ଦକ୍ଷତା ପ୍ରତିପାଦନ କରୁଛି। ଦୀର୍ଘ ଦିନ ଧରି ପୁଲିସ ପ୍ରତି ଲୋକଙ୍କ ମନରେ ଥିବା ଦୃଷ୍ଟିକୋଣ ବଦଳିଛି। ଯାବତୀୟ ସମସ୍ୟାର ସମାଧାନ ଓ ଶୃଙ୍ଖଳା ବଜାୟ ରଖିବାରେ ପୁଲିସ ସାଧାରଣ ଲୋକଙ୍କର ବିଶ୍ବାସ ଭାଜନ ହୋଇ ପାରିଛି। ଏଥିପାଇଁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ବିଭାଗ ସାଉଁଟିଛି ପ୍ରଶଂସା।
ତେବେ ପ୍ରଶଂସା ସାଉଁଟୁ ସାଉଁଟୁ ମୂଳ କର୍ତ୍ତବ୍ୟଟି ଅଲକ୍ଷ୍ୟରେ ଦୂରେଇ ଯାଇଥିବା ଅନୁମେୟ ହୋଇଛି। ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ପୁଲିସ ପଛରେ ପଡ଼ିଯାଇଥିବା ନେଇ ଆଶଙ୍କା ପ୍ରକାଶ ପାଇଛି। କେବଳ ପୁଲିସ ନୁହେଁ, ବରଂ ସ୍ବତନ୍ତ୍ର ତଦନ୍ତର ଦାୟିତ୍ବ ନେଇଥିବା ଭିଜିଲାନ୍ସ, ଏସ୍ଟିଏଫ୍, ସ୍ପେଶାଲ ସ୍କ୍ବାଡ୍, କ୍ୟୁଏଟି ପ୍ରଭୃତି ନିଜ କାମ ଠାରୁ ଦୂରେଇ ଯାଉଥିବା ପରି ଅନୁମେୟ ହେଲାଣି। ଅପରାଧୀ ଅପରାଧର କୌଶଳ ବଦଳାଇ ଲୋକଙ୍କୁ ଲୁଟିଲାଣି। ଅପରାଧ ନିୟନ୍ତ୍ରଣରେ ପୁଲିସ ଶତପ୍ରତିଶତ ସାମିଲ ନ ହେଲେ ପରିସ୍ଥିତି ଅସମ୍ଭାଳ ହେବ ବୋଲି ବୁଦ୍ଧିଜୀବୀ ଆଶଙ୍କା କଲେଣି। ଦୁଇଟି ବଡ଼ ବଡ଼ ଚୋରି ସହ ପ୍ରତିଦିନ କିଛି ନା କିଛି ଅପରାଧ ଘଟିଲାଣି।
ଏ ନେଇ କ୍ରାଇମ୍ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ତଦନ୍ତ ଅଟକି ଯାଇନି। କୋଭିଡ୍-୧୯ ମୁକାବିଲାକୁ ଅଗ୍ରାଧିକାର ଦିଆଯାଇଛି। ତଦନ୍ତ ବାଟରେ ମଧ୍ୟ ତଦନ୍ତ ଚାଲିଛି। ଆମେ ଆଖି, କାନ, ନାକ ଖୋଲା ରଖିଛୁ। ସବୁ ପ୍ରମାଣ ରହିଛି। ତଦନ୍ତର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି। ଅପରାଧୀଙ୍କ ଉପରେ ନଜର ରହିଛି। ଆମେ ସେସବୁକୁ ଭୁଲି ଯାଇନୁ। ସେହିଭଳି ତାଲାବନ୍ଦ ପ୍ରକ୍ରିୟା ପୂର୍ବରୁ ଭିଜିଲାନ୍ସ ଆଇଏଏସ୍ ଅଧିକାରୀ ବିଜୟ କେତନ ଉପାଧ୍ୟାୟ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେବା ଚର୍ଚ୍ଚିତ ଘଟଣାର ତଦନ୍ତ ଜାରି ରଖିଥିଲା। ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ପ୍ରତ୍ୟେକ ଦିନ ଖୋଲିବାରେ ଲାଗିଥିଲା। ଏହାଛଡ଼ା ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ଭିଜିଲାନ୍ସ ତଦନ୍ତ ଉପରେ ସମସ୍ତଙ୍କର ନଜର ଥିଲା। ହେଲେ କୋଭିଡ-୧୯ ମୁକାବିଲାରେ ଭିଜିଲାନ୍ସ ଏସ୍ପି ଡା. ସାର୍ଥକ ଷଡ଼ଙ୍ଗୀ ଅଗ୍ରଣୀ ଯୋଦ୍ଧା ସାଜିଛନ୍ତି। ଏହି ଯୁଦ୍ଧରେ ଗୋଟିଏ ପରେ ଗୋଟିଏ ନୂଆ ଦାୟିତ୍ବ ତାଙ୍କୁ ଦିଆଯାଉଛି। ଏଣୁ ଏହିସବୁ ତଦନ୍ତ ପଛରେ ପଡ଼ିଯାଇଛି।
ଏ ନେଇ ଡା. ଷଡ଼ଙ୍ଗୀ କହିଛନ୍ତି, କୋଭିଡ୍-୧୯ ମୁକାବିଲା ବର୍ତ୍ତମାନ ସମୟର ଆହ୍ବାନ ହୋଇଥିବାରୁ ଅଗ୍ରାଧିକାର ଭିତ୍ତିରେ କାମ କରାଯାଉଛି। କିନ୍ତୁ ଅନ୍ୟ ସବୁ ତଦନ୍ତର ଦିଗ ନିର୍ଦ୍ଧାରଣ କରାଯାଇଛି। ତଦନ୍ତ କିଭଳି ଆହୁରି ସହଜ ହେବ ସେ ନେଇ ସ୍ବତନ୍ତ୍ର ନକ୍ସା ପ୍ରସ୍ତୁତ କରାଯାଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/road-3f-750x396.jpg)