ଖଟିଖିଆଙ୍କ ଉପରେ ଖାକି ବର୍ଦ୍ଦିର ଦାଦାଗିରି ।  ଅସହାୟ ଗରିବ ଦମ୍ପତିଙ୍କୁ ନିର୍ଦ୍ଧୁମ ମାଡ ମାରିଲା ପୋଲିସ, ସରକାରୀ ଜମିରେ ଚାଷ କରିଥିଲେ ବୋଲି ନଷ୍ଟ କରିଦେଲେ ଫସଲ । ପିଲାଙ୍କ ଆଗରେ କୀଟନାଶକ ପିଇ ସ୍ୱାମୀ-ସ୍ତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । 

311

କନକ ବ୍ୟୁରୋ : ଗରିବ ଖଟିଖିଆଙ୍କ ଉପରେ ଖାକି ବର୍ଦ୍ଦିର ଜୁଲମ୍ । ଅସହାୟ ଗରିବ ଦମ୍ପତିଙ୍କୁ ନିର୍ଦ୍ଧୁମ ମାଡ ମାରିଲା ପୋଲିସ୍ । ସରକାରୀ ଜମିରେ ଚାଷ କରିଥିଲେ ବୋଲି ଫସଲ ନଷ୍ଟ କରିଦେଲେ ।  ସ୍ୱାମୀକୁ କୁଣ୍ଢାଇ ପୋଲିସର ଲାଠିରୁ ରକ୍ଷା କରିବାକୁ ଚେଷ୍ଟା କରୁଥିଲା ସ୍ତ୍ରୀ, ତଥାପି ତରଳିଲାନି ପୋଲିସର ହୃଦୟ । ଆଖି ଆଗରେ ଉଜୁଡ଼ିଗଲା ସୁନାର ଫସଲ । କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ସ୍ୱାମୀ ସ୍ତ୍ରୀ

ରକ୍ଷକ ଯେବେ ଭକ୍ଷକ ପାଲଟେ । ଅସହାୟଙ୍କ ଉପରେ ଖାକି ବର୍ଦ୍ଦିର ବର୍ବରତା । ଗରିବ ଦମ୍ପତ୍ତିଙ୍କୁ ନିର୍ଦ୍ଧୁମ ମାଡ଼ ମାରିଲା ପୋଲିସ୍ ।  ସଂକ୍ରମଣ ଭୟ ଭିତରେ ତୁଣ୍ଡ ଝାଳ ମୁଣ୍ଡରେ ମାରି ଚାଷ କରିଥିବା ବର୍ଷଯାକର ସମ୍ବଳକୁ ନଷ୍ଟ କରିଦେଲେ ପୁଲିସ ବାବୁ । ଆଖି ସାମ୍ନାରେ ଉଜୁଡ଼ି ଯାଉଥିଲା ସୁନାର ଫସଲ । ଫସଲ ନଷ୍ଟ ନକରିବାକୁ ନେହୁରା ହେଉଥିଲେ ବି ପୋଲିସ ବାବୁ ଶୁଣୁନଥିଲେ । ଗାଈଗୋରୁଙ୍କ ପରି ଦମ୍ପତ୍ତିଙ୍କୁ ଆଖିବୁଜା ମାଡ଼ ମାରିଚାଲିଲେ । ମା ବାପାଙ୍କୁ ମାଡ଼ ମାରୁଥିବା ଦେଖି କୁନି କୁନି ଛୁଆମାନେ ପୋଲିସବାବୁଙ୍କ ଗୋଡ଼ ଧରି ବାପାମା’ଙ୍କୁ ଛାଡ଼ିଦେବାକୁ କାନ୍ଦି କାନ୍ଦି ଗଡ଼ିଯାଉଥିଲେ । ହେଲେ ହୃଦୟହୀନ ପୋଲିସ୍ ପିଲାଛୁଆଙ୍କୁ ବି ଛାଡ଼ିଲାନି, ବିଧା ଗୋଇଠା  ମାରିଚାଲିଲେ ।  ଶେଷର ନିର୍ଯାତନା ସହିନପାରି କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଦମ୍ପତି । ପୋଲିସ ଭିଆଇଥିବା ସେହି ନିର୍ଦ୍ଦୟ ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି ।

ଦୁର୍ବଳ ଉପରେ ସବଳର ଅତ୍ୟାଚାର । ଚାଷୀ, ଅସହାୟ ଦମ୍ପତ୍ତି ସହ ପଶୁ ପରି ବ୍ୟବହାର । କରୋନା ଚଡ଼କ ଭିତରେ ଚାଷୀ ମୁଣ୍ଡରେ ପୁଲିସ ପାହାର ।  ଗରିବ ଚାଷୀର ସ୍ତ୍ରୀ, ସ୍ୱାମୀକୁ ବଞ୍ଚାଇବାକୁ ଯାଇ ନିଜେ ମାଡ଼ ଖାଉଛି । ସ୍ୱାମୀକୁ କୁଣ୍ଢେଇ ରକ୍ଷା କରିବାକୁ ଚେଷ୍ଟା କରୁଛି । ପତ୍ନୀ ନେହୁରା ହେଉଛି ହେଲେ କେହି ଶୁଣୁନାହାନ୍ତି । ଖାକି ବର୍ଦ୍ଦି ଆଗରେ ଗରିବ, ମୁଲିଆ ଚାଷୀର ବଳ ବା କେତେ । ଗରିବ ଦମ୍ପତି ନିଜର ସମସ୍ତ ବଳ ଖଟାଇ ସେମାନଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ । ହେଲେ ପୁଲିସ ବାବୁଙ୍କୁ ମେଳରେ କ’ଣ ବା କରିଥାଆନ୍ତେ ଗରିବ ଦମ୍ପତିି । ମାଡ଼ ଖାଇ ଗରିବ ଚାଷୀ ଜଣକ ବିକଳ ହୋଇ ରଡ଼ି ଛାଡ଼ୁଛି । ଗରିବଙ୍କ ବିକଳ କାନ୍ଦଣା ଖାକି ବର୍ଦ୍ଦି ତଳର କଠୋର ହୃଦୟକୁ  ତରଳାଇପାରୁନି ।  କି ପୋଲିସ୍ ଲାଠି ଥମି ଯାଉଛି । ଦଳିତ ଦମ୍ପତ୍ତିଙ୍କ କୁନି କୁନି ଛୁଆଙ୍କ ଉପରେ ମଧ୍ୟ ବିଧା ଗୋଇଠା ବର୍ଷାଇଛନ୍ତି ପୋଲିସ୍ ।

ଖଟିଖିଆ ଗରିବର ବର୍ଷ ଜାକର ଫସଲ ଆଖି ଆଗରେ ନଷ୍ଟ ହୋଇଗଲା । ବେଉଷଣ ଆରମ୍ଭ ହେଉ ହେଉ ଫସଲ ଉଜାଡ଼ିଦେଉଥିଲେ ପୋଲିସ୍ ବାବୁ । ଆଖିରୁ ଲୁହ ନୁହେଁ ରକ୍ତ ବୋହୁଥିଲା । ମଧ୍ୟପ୍ରଦେଶ ଗୁଣାରେ ଦଳିତ ଚାଷୀ ଦମ୍ପତ୍ତିଙ୍କୁ ନିଜ ଛୁଆ ଓ ପୋଲିସ ସାମ୍ନାରେ କୀଟନାଶକ ପିଇଦେଲେ । ସରକାରୀ ଜମିରେ ଚାଷ କରିଥିବାରୁ ଏପରି ଜୁଲମ୍ କଲା ପୋଲିସ୍ ।

ଏହି ଭିଡ଼ିଓ ଏବେ ଭାଇରାଲ୍ ହେବାପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ଘଟଣାର ତଦନ୍ତ କରି ଜିଲ୍ଲାପାଳ ଓ ଏପସିଙ୍କୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କେବେ ତଦନ୍ତ ହେବ, ଆଉ ଚାଷୀ ଦମ୍ପତି ନ୍ୟାୟ ପାଇବେ ତାହା ସମୟ କହିବ । ଏଇଠି ପ୍ରଶ୍ନ ଉଠୁଛି ଗରିବ ଖଟଖିଆ ଉପରେ ଖାକି ବର୍ଦ୍ଦିର ଏପରି ଜୁଲମ୍ ଆଉ କେତେ ଦିନ ?