କନକ ବ୍ୟୁରୋ : ସାମ୍ବାଦିକଙ୍କୁ ଧକ୍କା ମାରିଲେ, ଗୋଡରେ ବେଡି ପକାଇଲେ । ଯେମିତି ଏକ ବଡ ଅପରାଧ କରିଛନ୍ତି ସାମ୍ବାଦିକ ଜଣକ । ଏଭଳି ଏକ ଘଟଣା ବାଲେଶ୍ୱର ଜିଲ୍ଲାରୁ ସାମ୍ନାକୁ ଆସିଛି । ବାଲେଶ୍ୱର ହସ୍ପିଟାଲରେ କନକ ନ୍ୟୁଜ ଓ ସମ୍ବାଦର ସାମ୍ବାଦିକ ଲୋକନାଥ ଦଳାଇଙ୍କ ଗୋଡରେ ବେଡି ପକାଇ ଚିକିତ୍ସା କରାଯାଉଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଆଉ ଏଭଳି କାର୍ଯ୍ୟ କରିଛି ନୀଳଗିରି ପୋଲିସ । ଯାହା ସାଧାରଣ ଲୋକ ଉପରେ ପୋଲିସର ଦାଦାଗିରିକୁ ଦର୍ଶାଉଛି ।
ସୂଚନା ଅନୁସାରେ, ୩ ଦିନ ତଳେ ନୀଳଗିରି ବଜାରରେ ସାମ୍ବାଦିକ ଲୋକନାଥ ଦଳାଇ ଓ ନୀଳଗିରି ଥାନାର ଜଣେ ହୋମଗାର୍ଡଙ୍କ ଗାଡି ମଧ୍ୟରେ ଧକ୍କା ହୋଇଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ତା ପରେ ମାମଲା ଥଣ୍ଡା ହୋଇଯାଇଥିଲା କିନ୍ତୁ ହଠାତ୍ ଗତକାଲି ନୀଳଗିରି ପୋଲିସ ଥାନାକୁ ଡାକି ପଚରାଉଚରା କରିବା ସହ ଧକ୍କା ମାରିଥିଲେ । ଖୋଦ ନୀଳଗିରି ଆଇଆଇସି ଦ୍ରୌପଦୀ ଦାସ ସାମ୍ବାଦିକ ଲୋକନାଥଙ୍କୁ ଧକ୍କା ମାରିଥିଲେ । ଯାହାଫଳରେ ସାମ୍ବାଦିକ ଜଣକ ତଳେ ପଡିଯିବା କାରଣରୁ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିଲା । ଆଉ ଏହାପରେ ଲୋକନାଥଙ୍କ ଉପରେ ଆରମ୍ଭ ହୋଇଥିଲା ନିର୍ଯାତନା ।
ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ତାଙ୍କ ଗୋଡରେ ବେଡି ପକାଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସତେଯେପରି ସାମ୍ବାଦିକ ଲୋକନାଥ ଏକ ବଡ ଅପରାଧର ଅଭିଯୁକ୍ତ । ଯେଉଁଠି ହତ୍ୟା ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ହାତରେ ପୋଲିସ ବେଡି ପକାଇବାକୁ ପଛଘୁଞ୍ଚା ଦେଉଛି ସେଠାରେ ଲୋକନାଥ ଏମିତି କେଉଁ ଅପରାଧରେ ସଂପୃକ୍ତ ଯେ ତାଙ୍କୁ ବଡ ଅପରାଧୀଙ୍କ ଭଳି ବ୍ୟବହାର କରାଗଲା । କେବଳ ଏତିକି ତାଙ୍କୁ ମାନସିକ ଭାବେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ଲୋକନାଥ । ତେବେ ଲୋକନାଥଙ୍କ ପ୍ରତି ପୋଲିସର ଏ ଆକ୍ରୋଶ କାହିଁକି? ଏହାର ଉତ୍ତର ଖୋଜିବା ବେଳେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି ।
ଲୋକନାଥଙ୍କ କହିବା ଅନୁଯାୟୀ, ନୀଳଗିରି ଥାନାରେ ବୟସ ଜାଲିଆତି କରି ଚାକିରିରେ ଥିବା ପୋଲିସ ବାବୁଙ୍କ ନାଁରେ ଖବର ପ୍ରସାରଣ କରିଥିଲି । ଆଉ ଏହି ଘଟଣାକୁ ନେଇ ମୋ ଉପରେ ବ୍ୟକ୍ତିଗତ ଆକ୍ରୋଶ ରଖାଯାଇଥିଲା । ଆଉ ପରବର୍ତ୍ତୀ ସମୟରେ ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ ଆକ୍ରୋଶମୂଳକ ଭାବେ ବିଭିନ୍ନ ସଙ୍ଗୀନ ଦଫା ଲଗାଇ ମୋତେ ଗିରଫ କରାଯାଇଛି । ଏହାଛଡା ନୀଳଗିରିରେ ଦୀର୍ଘ ଦିନ ହେବ ଧଳାଜହର ଓ ଡ୍ରଗ୍ସ କାରବାର ବଢିଚାଲିଛି । ଏପରିକି ଖୋଦ ଆଇଆଇସି ଡ୍ରଗ୍ସ ମାଫିଆଙ୍କ ଠାରୁ ବଟି ନେଉଥିବା ନେଉ ସାଂଘାତିକ ଅଭିଯୋଗ କରିଛନ୍ତି ଲୋକନାଥ । ଯାହାର ଖବର ପ୍ରସାରଣ କରିବା ସହ ପୋଲିସ ବିଭାଗ ଉପରେ ପ୍ରଶ୍ନ ଉଠାଇଥିଲେ ଲୋକନାଥ । ପରେ ଆଉ ଏହାର ପରିଣାମସ୍ୱରୂପ ଲୋକନାଥଙ୍କୁ ଟାର୍ଗେଟ କରାଯାଇଥିବା କୁହାଯାଉଛି ।