କନକ ବ୍ୟୁରୋ: ମୋ ବସରେ ଯାଉଥିଲେ ସାବଧାନ ! ଯାତ୍ରୀଙ୍କ ଭିତରେ ଛକିଛନ୍ତି ଛତିଶଗଡି ଲୁଟେରା, ମାତିଛନ୍ତି ମହିଳା ଲୁଟେରା ଗ୍ୟାଙ୍ଗ୍ । ଟିକିଏ ଅସାବଧାନ ହେଲେ କିମ୍ବା ନଜର ହଟିଲେ ଗାଏବ ହୋଇଯାଉଛି ଟଙ୍କା, ସୁନାଗହଣା । ମହିଳା ଲୁଟେରାଙ୍କ ଟାର୍ଗେଟରେ ମୋ ବସ୍ ଥିବା ବେଳେ ବାହାର ରାଜ୍ୟର ଲୁଟେରାମାନେ ଗ୍ରୁପ କରି ଓଡିଶା ଆସୁଛନ୍ତି ଆଉ ଜନଗହଳିପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ କରୁଛନ୍ତି । ଗହଳି ଜାଗାରେ ସେମାନେ ଲୋକଙ୍କୁ ଘେରି ଯାଇ ସେମାନଙ୍କ ଠାରୁ ଟଙ୍କା ସୁନା ଗହଣା ଚୋରେଇ ନେଉଛନ୍ତି ।
ତେବେ ମୋ ବସରୁ ଲୁଟ ନେଇ ଗତକାଲି ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ମୁତାବକ ଜଣେ ଯୁବକ ନୟାପଲ୍ଲୀ ଦୁର୍ଗାମଣ୍ଡପ ନିକଟ ନାବାର୍ଡସ୍ଥିତ ମୋ ବସଷ୍ଟାଣ୍ଡରେ ଓହ୍ଲାଇବା ପରେ ତାଙ୍କ ପକେଟରେ ଥିବା ୨୫ ହଜାର ଟଙ୍କା ନଥିବା ଜାଣିବାକୁ ପାଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ସାଦା ପୋଷାକରେ ବସରେ ବୁଲି ୩ ଜଣ ମହିଳାଙ୍କୁ କାବୁ କରିଛି ପୋଲିସ । ଗ୍ରୁପ ହୋଇ ଛତିଶଗଡ଼ରୁ ଭୁବନେଶ୍ୱର ଆସିବା ପରେ ଏମାନେ ବିଭିନ୍ନ ସ୍ଥାନରେ ରହିବା ସହ ଲୁଟ କରନ୍ତି ବୋଲି ଜାଣିବାକୁ ପାଇଛି ପୋଲିସ ।