ବରକୁ ଉଠାଇନେଲା ପୁଲିସ । ଅଧାରେ ଅଟକିଲା ବାହାଘର, ମନ୍ଦିରରେ ବସିଲା ମଙ୍ଗୁଳା କନ୍ୟା ।

799

କନକ ବ୍ୟୁରୋ : ମନ୍ଦିରରେ କନିଆ, ଥାନାରେ ବର । ମନ୍ଦିରରେ ବାହାଘର ପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଥିଲା । ବରଯାତ୍ରୀଙ୍କ ପାଇଁ ଭୋଜିଭାତ ରୋଷେଇ ହୋଇ ସାରିଥିଲା । ହେଲେ ମନ୍ଦିରରେ ପହଂଚି ପାରିଲା ନାହିଁ ବର, ଅଧା ରାସ୍ତାରୁ ବରକୁ ଉଠାଇନେଲା ପୁଲିସ । ଏକ ଅପରାଧିକ ମାମଲାରେ ବାଙ୍କି ପୁୁଲିସ ଢେଙ୍କାନାଳର ଏହି ବରକୁ ଗିରଫ କରିଛି ।

ବରକୁ ଉଠାଇନେଲା ପୁଲିସ । ଅଧାରେ ଅଟକିଲା ବାହାଘର, ମନ୍ଦିରରେ ବସିଲା ମଙ୍ଗୁଳା କନ୍ୟା । ଅଧା ରାସ୍ତାରୁ ବରକୁ ଉଠାଇ ନେଲେ ସାଧା ପୋଷାକଧାରି ପୁଲିସ । ଆଉ ଏବେ ଥାନା ହାଜତରେ ବର, ମଙ୍ଗୁଳା ହୋଇ ମନ୍ଦିରରେ ବରକୁ ଅପେକ୍ଷା କରି ରହିଲା କନିଆ । ଏମିତି ଏକ ଘଟଣା ଘଟିଛି ବାଙ୍କି ଥାନା ଅନ୍ତର୍ଗତ ସମସରପୁର ଅଂଚଳରେ ।

ଢେଙ୍କାନାଳ ଜିଲ୍ଲା ତାଳବରକୋଟ ଗାଁର ପ୍ରକାଶ ସ୍ୱାଇଁ ଆଠଗଡ ସମସରପୁରକୁ ବାହା ହେବାକୁ ଯାଉଥିଲେ । ଏକ ମନ୍ଦିରରେ ବିବାହ ପାଇଁ ପ୍ରସ୍ତୁତି ହୋଇଥିଲା । ହେଲେ ଆଠଗଡ ସାପୁଆ ବ୍ରିଜ ନିକଟରୁ ବର ପ୍ରକାଶ ସ୍ୱାଇଁଙ୍କୁ ଏକ ପୁରୁଣା ମାମଲାରେ ଉଠାଇନେଇଛି ପୁଲିସ ।

ତେବେ ଏକ ହତ୍ୟା ମାମଲାରେ ପୂର୍ବରୁ ପ୍ରକାଶକୁ ଖୋଜୁଥିଲା ପୁଲିସ । ଅନେକ ସମୟରେ ତାଙ୍କ ଘରେ ଚଢାଉ କରି ଖାଲି ହାତରେ ମଧ୍ୟ ଫେରିଥିଲା । ସେପଟେ ଝିଅ ମଙ୍ଗୁଳା ହୋଇ ବସିଥିବାରୁ ବିବାହ ପାଇଁ ବରକୁ ଛାଡିବାକୁ ଅନୁରୋଧ କରିଛନ୍ତି କନ୍ୟା ପିତା । ୨୦୧୮ର ଏକ ଅପରାଧ ଘଟଣାରେ ସଂପୃକ୍ତି ଅଭିଯୋଗରେ ଏବେ ପ୍ରକାଶକୁ ଉଠାଇ ନେଇଛି ପୁଲିସ । ଦୋଷ କରିଥିଲେ ହୁଏତ ବରକୁ ଦଣ୍ଡ ମିଳିପାରେ, କିନ୍ତୁ ବିନା ଦୋଷରେ ଦଣ୍ଡ ପାଉଛନ୍ତି ଜଣେ ନିରୀହ ଯୁବତୀ ।