କନକ ବ୍ୟୁରୋ : ଭୁବନେଶ୍ୱରରେ ମାତିଛନ୍ତି ବାଇକ ଲୁଟେରା । ରାସ୍ତାକଡ଼, ସପିଂ ମଲ୍‌ ପାଖରେ, ବଜାର, ଗଳି କନ୍ଦିରେ ବାଇକ୍‌ ରଖିଥିଲେ, କେତେ‌ ବେଳେ ଚୋରି ହୋଇଯିବ ଜାଣିପାରିବେ ନାହିଁ। ତେଣୁ ସତର୍କ ନ ରହିଲେ ଆପଣଙ୍କର ବାଇକ୍‌ ଚୋରି ହୋଇଯାଇ ପାରେ। କାରଣ ପୋଲିସଙ୍କ ଠାରୁ ଚୋରଙ୍କ ବୁଦ୍ଧି କମ୍‌ ନୁହେଁ। ପୋଲିସ ଡାଳେ ଡାଳେ ଗଲେ, ଚୋର ପତ୍ରେ ପତ୍ରେ ଯାଉଛନ୍ତି। କିନ୍ତୁ ସବୁବେଳେ ଚୋର ପାଇଁ ଅନ୍ଧାର ରାତିଟା ଶୁଭ ହୋଇ ନଥାଏ। ସୂଚନା ଓ ପ୍ରଯୁକ୍ତିବିଦ୍ୟା ବଳରେ ଲୁଟେରା ମାନେ ପୋଲିସ କବଳରୁ ଖସି ପାରୁନାହାନ୍ତି।। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ବାଇକ ଚୋରି କରୁଥିବା ଲୁଟେରା କମିସନରେଟ ପୁଲିସ ହାତରେ ଧରାପଡ଼ିଛି।

Advertisment

ମୁହଁରେ ମାସ୍କ, ମୁଣ୍ଡରେ ଟୋପି ଲଗେଇ ସହଜରେ ଚୋରି କରି ନେଉଥିଲା ଦାମୀ ବାଇକ । ମେଡ଼ିକାଲ, ସପିଂ ମଲ୍‌ ଆଦି ବିଭିନ୍ନ ଭିଡ଼ ସ୍ଥାନରୁ ଟାର୍ଗେଟ କରି ଚୋରି କରୁଥିଲା ଗାଡି। ଆଉ ଏହିଭଳି ଅଭିଯୋଗ ବାରମ୍ବାର ମିଳିବା ପରେ ବାଇକ ଚୋରକୁ ବାନ୍ଧିବାକୁ ଜାଲ ବସାଇଥିଲା ପୋଲିସ । ଗାଡି ଚୋରି ହୋଇଥିବା ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା ପୋଲିସ । ଆଉ ସିସିଟିଭି ଯାଞ୍ଚ ପରେ ବାଇକ ଚୋରକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

ମଞ୍ଚେଶ୍ୱର ଥାନାରେ କେନ୍ଦ୍ରାପଡାର ଜଣେ ଚୋରକୁ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ । ଅନ୍ୟପଟେ ଏହି କୁଖ୍ୟାତ ଚୋରର ଏକ ବଡ଼ ଗ୍ୟାଙ୍ଗ ଥିବା ସହ ରାଜଧାନୀର ଏକାଧିକ ଗାଡି ଚୋରି ଘଟଣାରେ ଏମାନଙ୍କର ସମ୍ପୃକ୍ତି ଅଛି ବୋଲି ସୂଚନା ମିଳିଛି । ଚୋରକୁ ଅଟକ ରଖି ଅଧିକ ପଚରା ଉଚୁରା କରୁଛି ମଞ୍ଚେଶ୍ୱର ଥାନା ପୋଲିସ ।