ସୋରଡ଼ା ପୋଲିସର ସଫଳତା । ମୃତ ମହିଳାର ସ୍କେଚ୍ ବନାଇ ମହିଳାଙ୍କ ପରିଚୟ ଜାଣିଲା ପୋଲିସ । ଶେଷରେ ଅପରାଧୀ ଦିଅର ପାଖରେ ପହଁଚି ପାରିଲା ତଦନ୍ତକାରୀ ଟିମ୍

408

କନକ ବ୍ୟୁରୋ : ଜଣେ ଗର୍ଭବତୀ ମହିଳାଙ୍କର ଏହି ଦୁଇଟି ଚିତ୍ର ଆଙ୍କିଥିଲା ସୋରଡା ପୁଲିସ । ପରୀ ହତ୍ୟା ଘଟଣା ପରି ଏହି ମହିଳାଙ୍କର ମଧ୍ୟ କିଛି ସୁରାଗ୍ ମିଳୁନଥିଲା । ଗାଁ ବିଲରୁ ଅଧା ପୋଡା ମୃତଦେହ ପାଇ ମହିଳାଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରାଯାଉଥିଲା । ଆଉ ଶେଷରେ ପୁଲିସର ଉଦ୍ୟମ ସଫଳ ହେଲା । ଏହି ଚିତ୍ରରୁ ପ୍ରକୃତ ମହିଳାଙ୍କ ପରିଚୟ ମିଳିଗଲା ।

ଗଂଜାମ ଜିଲ୍ଲା ସୋରଡା ଅଂଚଳର ଏହି ରୋମାଂଚକର କାହାଣୀ ପୁଲିସ ବିଭାଗକୁ ପ୍ରେରଣା ଦେଲା ଭଳି ଏକ କାହାଣୀ । ପରୀ ହତ୍ୟା ମାମଲାରେ କିଛି ନପାଇ ଯେମିତି ନୟାଗଡ ପୁଲିସ ନିରବ ହୋଇ ଶୋଇଗଲା, କିନ୍ତୁ ଏହି ଘଟଣାରେ ସୋରଡା ପୁଲିସ ସତ ଖୋଜିବା ପାଇଁ ମହିଳାଙ୍କ ସ୍କେଚ୍ ତିଆରି କରି ଶେଷରେ ପ୍ରକୃତ ପରିଚୟ ପାଇଛି ।

ଦିଅର ସାଜିଥିଲା ସଇତାନ । ଭାଉଜଙ୍କୁ ଚତୁରତାର ସହ କାବୁ କରି ସଂପର୍କ ରଖିଥିଲା ସୀମାଂଚଳ । କୋଲକାତା ନେଇ ରଖିବା ପରେ ଅର୍ଚନା ନିଜ ପିଲାଙ୍କୁ ଦେଖିବା ପାଇଁ ଜିଦ୍ ଧରିଥିଲେ । କିନ୍ତୁ ସୀମାଂଚଳର ଯୋଜନା କିଛି ଅଲଗା ଥିଲା, ଗାଁକୁ ନେଇ ଯିବ କହି, ଗାଁ ବିଲ ପାଖରେ ତଂଟି ଚିପି ହତ୍ୟା କରିଥିଲା । ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ମୁହଁରେ କିରୋସିନ ଢାଳି ପୋଡି ଦେଇଥିଲା ।

ଘଟଣା ଘଟାଇବା ପରେ ଓଡିଶା ବାହାରକୁ ଚାଲିଯାଇଥିଲା ଅଭିଯୁକ୍ତ । ଚୋର ଯେତେ ଚାଲାକ୍ ହେଲେ ବି ପୁଲିସକୁ ଚକମା ଦେବା ଏତେ ସହଜ ନଥିଲା । କଲ୍ ଡିଟେଲ୍ସ ରେକର୍ଡ ଓ ମୋବାଇଲ୍ ଲୋକେସନରୁ ପ୍ରଥମେ ଦୁଇ ସହଯୋଗୀ ଓ ପରେ ଅଭିଯୁକ୍ତ ସୀମାଂଚଳକୁ ହାତକଡି ପିନ୍ଧାଇଥିଲା ସୋରଡା ପୁଲିସ ।