ଠକେଇରେ ମାଷ୍ଟର ପୂରା ପରିବାର! ପୁଲିସ୍ ଆଖିରେ ଧୂଳିଦେଇ ଗୋଟିଏ ପରେ ଗୋଟିଏ ଲୁଟିଚାଲିଥିଲେ ଫ୍ରଡ୍ ଫ୍ୟାମିଲି । କଟକର ଠକ ପରିବାରକୁ ନେଇ ଜୋରଦାର ଚର୍ଚ୍ଚା

ପରିବାରର ସମସ୍ତେ ଠକେଇ କରିବାରେ ମାଷ୍ଟର

641

କନକ ବ୍ୟୁରୋ: ଫ୍ରଡ ଫ୍ୟାମିଲି । ପରିବାରର ସମସ୍ତେ ଠକେଇରେ ମାଷ୍ଟର । ଏଭଳି ଖବର ଆସିଛି କଟକ ଅଂଚଳରୁ । ଗୋଟିଏ ପରିବାରର ସମସ୍ତ ସଦସ୍ୟ ଲୁଟରେ ସଂପୃକ୍ତ ଥାଇ କିପରି ଗୋଟିଏ ପରେ ଗୋଟିଏ ଲୁଟ କରି ପୁଲିସ ଆଖିରେ ଧୂଳିଦେଇ ଖସି ଯାଉଥିଲେ, ତାହା ଏବେ ପର୍ଦ୍ଦାଫାଶ ହୋଇଛି । ପୂରା ପରିବାରର ସମସ୍ତ ସଦସ୍ୟ ପୂର୍ବରୁ ଏକାଧିକ ଥର ଚୋରି ଘଟଣାରେ ମଧ୍ୟ ଗିରଫ ହୋଇଥିବାର ଖବର ପୁଲିସର ହସ୍ତଗତ ହୋଇଛି ।

ଜିରୋ ନାଇଟରେ ଯେତେବେଳେ ସହରର ସମସ୍ତ ବ୍ୟକ୍ତି ଉତ୍ସବ ପାଳନରେ ବ୍ୟସ୍ତ ଥିଲେ ସେତେବେଳେ ବିଭିନ୍ନ ସ୍ଥାନରେ କଳାକନା ବୁଲାଇଥିଲେ ଲୁଟେରା ଗ୍ୟାଙ୍ଗ । ଆଉ ଏହି ଲୁଟର ମାଷ୍ଟରମାଇଣ୍ଡ ଥିଲା ଅନିଲ ଦାସ ଓରଫ ଘାଂଟୁଆ ଓ ଗ୍ୟାଙ୍ଗ । କଟକର ସତୀଚଉରା ସ୍ଥିତ ବ୍ୟାଙ୍କ ଓ ନିକଟରେ ଥିବା ସୋରୁମରେ ବିଳମ୍ବିତ ରାତିରେ ଲୁଟପାଟ ଚଲାଇଥିଲେ । ଲକ୍ଷାଧିକ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଲୁଟ ହୋଇଥିବା ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଥିଲା । ତଦନ୍ତ କରିବା ପରେ ଘଟଣାର ମାଷ୍ଟର ମାଇଣ୍ଡ ଘାଂଟୁଆକୁ ଗିରଫ କରିବା ସହ ତାର ମା, ଭଉଣୀ, ଭିଣୋଇ ଓ ସ୍ତ୍ରୀକୁ ମଧ୍ୟ ଗିରଫ କରିଥିଲା ପୁଲିସ ।

ପୁଲିସ ସୂଚନା ମୁତାବକ, ଦିନବେଳା ଘରର ସମସ୍ତ ସ୍ତ୍ରୀଲୋକ ବିଭିନ୍ନ ଘରବୁଲି ପରିସ୍ଥିତି ଉପରେ ନଜର ରଖୁଥିଲେ ଓ ରାତିରେ ସେହି ଘରୁ ଲୁଟ କରୁଥିଲେ ପୁରୁଷ ସଦସ୍ୟ । ପୂର୍ବରୁ ଏଭଳି ବିଭିନ୍ନ ଲୁଟ ମାମଲାରେ ପୁରା ପରିବାର ଜେଲ ଯାଇଥିବା କଥା ମଧ୍ୟ ଜଣାପଡିଛି ।