୫ ଡକାୟତ, ୨୫ ମାମଲା । ପୁଲିସ ଆଖିରେ ଧୂଳିଦେଇ ବୁଲୁଥିଲେ ଖୁଲମଖୁଲା

83

କନକ ବ୍ୟୁରୋ : ବ୍ୟବସାୟୀଙ୍କୁ ଲୁଟିବା ପାଇଁ ତିଆରି ହୋଇଥିଲା ବ୍ଲୁ-ପ୍ରିଂଟ । ଟଙ୍କା ନେଇ ଆସୁଥିବା ବେଳେ, ରାସ୍ତା ଉପରୁ ଉଠାଇ ନେବାକୁ ହୋଇଥିଲା ଯୋଜନା । ଗାଡିକୁ ବୋମାରେ ଉଡାଇ ଟଙ୍କା ଧରି ଛୁ ମାରିବା ପାଇଁ ସରିଥିଲା ରିହଲସଲ । ଜଟଣୀ ବେଣାପଞ୍ଜୁରୀ ପାଣିଟାଙ୍କିରେ ଏହି ଡକାୟତି ଯୋଜନା ବାବଦରେ ଜାଣିବା ପରେ, ଘଟଣାସ୍ଥଳରେ ପହଁଚିଥିଲା ପୁଲିସ । ଡକାୟତ ମାନେ ସେମାନଙ୍କ ଅପରେସନ୍ ଆରମ୍ଭ କରିବା ପୂର୍ବରୁ ଏହି ଗ୍ୟାଙ୍ଗକୁ ଠାବ କରିଥିଲା ପୁଲିସ । ଡକାୟତି ଯୋଜନା ପଣ୍ଡ କରିବା ସହ ସେମାନଙ୍କୁ କାବୁ କରି ବଡ଼ ସଫଳତା ପାଇଛି ଜଟଣୀ ପୁଲିସ ।
ଅଭିଯୁକ୍ତ ମାନେ ହେଉଛନ୍ତି- ଜଟଣୀ ବେଣାପଞ୍ଜୁରୀର ମହମ୍ମଦ ଅରବାଜ, ସରିଫ ଖାନ୍, ଶେଖ ଇସତାକ ମହମ୍ମଦ , ଦିପ୍ତିରଂଜନ ଭୁଜବଳ ଏବଂ ସୁମନ୍ତ ପାତ୍ର । ଗିରଫ ହୋଇଥିବା ଏହି ୫ ଡକାୟତଙ୍କ ଅପରାଧର ତାଲିକା ବେଶ ଲମ୍ବା । ଦିପ୍ତିରଂଜନ ନାଁରେ ହତ୍ୟା, ବନ୍ଧୁକ କାରବାର ଏବଂ ଗଞ୍ଜେଇ ଚାଲଣ ଭଳି ସଙ୍ଗୀନ ମାମଲା ରହିଛି । ସେହିପରି ସୁମନ୍ତ ନାଁରେ ବୋମା ଭିଡ଼ିବା, ବୋମାମାଡ ଭଳି ସଙ୍ଗୀନ ଅଭିଯୋଗ ରହିଛି । ହତ୍ୟାକାଣ୍ଡ, ଡକାୟତି, ଛିନତାଇ, ବନ୍ଧୁକ କାରବାର, ବୋମାମାଡ ଭଳି ମୋଟ ୨୫ରୁ ଅଧିକ ମାମଲା ରହିଥିବା କହିଛି ପୁଲିସ ।

ନିର୍ବାଚନ ପୂର୍ବରୁ ଭୁବନେଶ୍ୱରକୁ ଅପରାଧ ଓ ଅପରାଧୀମୁକ୍ତ କରିବାକୁ ଯୋଜନା କରିଛି କମିସନରେଟ ପୁଲିସ । ବଡ ବଡ ଅପରାଧୀ, ଦାଗୀଙ୍କୁ ବାନ୍ଧି ଜେଲ ପଠାଇବା ସହ ଅଭ୍ୟାସଗତ ଅପରାଧୀଙ୍କୁ ତଡିପାର ପାଇଁ ଯୋଜନା ଚାଲିଛି ।