ରାତାରାତି କୋଟିପତି ହେବାର ସ୍ୱପ୍ନ ଦେଖିଲେ ୩ ପୁଲିସ୍ କର୍ମଚାରୀ । କୋଟିଏ ଦେଲେ ଦେଢ଼ କୋଟି ମିଳିବ କହି କରଞ୍ଜିଆର ବ୍ୟବସାୟୀଙ୍କୁ ଡାକିଲେ ଭୁବନେଶ୍ୱର । ବେଟିଂ ନାଁରେ ଚଢ଼ାଉ କରି ଟଙ୍କା ଲୁଟ 

୩ ପୁଲିସ୍ କର୍ମଚାରୀଙ୍କ ସହ ୮ ଗିରଫ

306

କନକ ବ୍ୟୁରୋ: ରାତାରାତି କୋଟିପତି ହେବାର ସ୍ୱପ୍ନ ଦେଖି ଫସିଛନ୍ତି କମିଶନରେଟ ପୁଲିସର ୩ କର୍ମଚାରୀ । କୋଟିଏକୁ ଦେଢକୋଟି ଟଙ୍କା କରିଦେବାର ଲୋଭ ଦେଖାଇ କରଞ୍ଜିଆର ଜଣେ ବ୍ୟବସାୟୀଙ୍କୁ ଡକାଇଥିଲେ ୩ କର୍ମଚାରୀ  ଆଉ ତାଙ୍କ ସାମିଲ ହୋଇଥିଲେ ୬ ଜଣ ।  କିନ୍ତୁ ସବୁ ଫସର ଫାଟିଯାଇଛି , ପୁଲିସ ରେଡ କରି ଟଙ୍କା ଜବତ କରିଛି । ସବୁଠାରୁ ବଡ କଥା ହେଲା, ୪୦ଟି ପ୍ୟାକେଟରେ କୋଟିଏ ଟଙ୍କା ଆସିଥିଲା । ପୁଲିସ ରେଡ ବେଳେ ୩୧ଟି ପ୍ୟାକେଟ ଜବତ କରିଥିବାବେଳେ ୯ଟି ପ୍ୟାକେଟ ନେଇ ଚମ୍ପଟ ମାରିଥିଲେ ୩ ପୁଲିସ କର୍ମଚାରୀ ।

ରାତାରାତି କୋଟିପତି ହେବାର ସ୍ୱପ୍ନ ଦେଖିଥିଲେ କମିଶନରେଟ ପୁଲିସର ୩ କର୍ମଚାରୀ । ଆଉ ସେଥିପାଇଁ ରଚିଥିଲେ ମିଛ ରେଡର ଷଡଯନ୍ତ୍ର । ଜଣେ ବ୍ୟବସାୟୀଙ୍କୁ ଲୁଟ୍ କରିବା ପାଇଁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଥିଲେ ଭୁବନେଶ୍ୱରର ୨ କନଷ୍ଟେବଳ ଦିଲ୍ଲୀପ ମଲ୍ଲିକ ଓ ସନ୍ଦୀପ ପୃଷ୍ଟି ଏବଂ କଟକର ଜଣେ ହାବିଲଦାର ପ୍ରଫୁଲ୍ଲ ଭୂୟାଁ ।

ଭୁବନେଶ୍ୱରର ଏକ ଓୟୋ ହୋଟେଲରେ ବେଟିଂ ଚାଲିଛି କହି ପୋଲିସ ରେଡ କରିବା ପରେ ଟଙ୍କା ଜବତ କରିଥିଲା । ହେଲେ କରଞ୍ଜିଆର ଜଣେ ବ୍ୟବସାୟୀଙ୍କୁୁ ଲୁଟିବା ପାଇଁ ୩ ପୁଲିସ କର୍ମଚାରୀଙ୍କ ସହ ଗିରଫ ଅନ୍ୟ ୫ ଜଣ ଯେଉଁ ମାଷ୍ଟର ପ୍ଲାନ କରିଥିଲେ, ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କୋଟିଏ ଟଙ୍କାକୁ ଦେଢ କୋଟି ଟଙ୍କା କରିଦେବାର ଲୋଭ ଦେଖାଇ କମଳଙ୍କୁ ଭୁବନେଶ୍ୱର ଡାକିଥିଲେ ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ପ୍ରଶାନ୍ତ ପଣ୍ଡା ଓ ତାଙ୍କ ସହଯୋଗୀ । ୪୦ଟି ପ୍ୟାକେଟରେ କୋଟିଏ ଟଙ୍କା ଥିବା ବେଳେ ପ୍ରତି ପ୍ୟାକେଟରେ ରହିଥିଲା ଅଢେଇ ଲକ୍ଷ ଟଙ୍କା । ଓୟୋ ହୋଟେଲରେ କାରବାର ଚାଲିଥାନ୍ତା, ହେଲେ ପୁଲିସ ସେଠାରେ ବେଟିଂ ଚାଲୁଥିବା କହି ରେଡ କରିଥିଲା । ପୋଲିସ ୩୧ଟି ଟଙ୍କା ପ୍ୟାକେଟ ଜବତ କରିଥିବା ବେଳେ ୯ଟି ପ୍ୟାକେଟ୍ ନେଇ ଚମ୍ପଟ ମାରିଥିଲେ ୩ ପୁଲିସ କର୍ମଚାରୀ । ପୁଲିସ  ଘଟଣାରେ ମୋଟ ୮ ଜଣଙ୍କୁ ଗିରଫ କରିସାରିଛି , ଅଧିକ ଖୋଳତାଡ ଜାରି ରହିଛି ।