ପୁଲିସ୍-ଗାଁ ଲୋକ ଧସ୍ତାଧସ୍ତି: ପୁଲିସ୍ ହାତରୁ ଡ୍ରଗ୍ସ ବେପାରୀଙ୍କୁ ଛଡ଼ାଇନେଲେ ପରିବାର

125

କନକ ବ୍ୟୁରୋ: ଡ୍ରଗ୍ସ ବେପାର ବିଷୟରେ ଖବର ପାଇ ପୁଲିସ୍ ଓ ଅବକାରୀ ଟିମ୍ ଚଢ଼ାଉ କରିବା ପରେ ସାମ୍ନା କରିଥିଲା ଘୋର ବିରୋଧ । ହାତାହାତି ହୋଇଥିଲେ ପୁଲିସ୍ ଓ ଗାଁ ଲୋକ । ଏପରିକି ଜଣେ ଡ୍ରଗ୍ସ ବେପାରୀଙ୍କୁ ପୁଲିସ୍ ଠାରୁ ଛଡ଼ାଇ ନେଲେ ପରିବାର ଲୋକ । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ବିଦ୍ୟାଧରପୁରରେ ଚଢ଼ାଉ ବେଳେ ଏମିତି କିଛି ଥିଲା ଦୃଶ୍ୟ । ଜଳେଶ୍ୱର ପୁଲିସ୍ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ କରି ପ୍ରାୟ ୨ କୋଟି ଟଙ୍କାର ବ୍ରାଉନସୁଗାର ସହ ନଗଦ ୩ ଲକ୍ଷ ଟଂକା ଜବତ କରିଛି ।

ଏହି ମାମଲାରେ ପୋଲିସ୍ ଡ୍ରଗ୍ସ ବେପାରୀ କୁହାଯାଉଥିବା ନୁରଜାହାଁ ବିବି ଓ ଅନ୍ୟ ଜଣଙ୍କୁ ଅଟକ ରଖିଛି । ହେଲେ ଅନ୍ୟ ଜଣେ ସନ୍ଦିଗ୍ଧ ଡ୍ରଗ୍ସ ବେପାରୀଙ୍କୁ ପରିବାର ଲୋକ ପୋଲିସ୍ ପାଖରୁ ଛଡ଼ାଇ ନେଇ ଫେରାର କରିଦେଇଥିବା ଅଭିଯୋଗ ହୋଇଛି ।

ସେପଟେ ଖଲିକୋଟ ଖୋଜପଲ୍ଲୀ ଗାଁର ଗଂଜେଇ ବେପାରି ରଜନୀକାନ୍ତ ପଟ୍ଟନାୟକ ଗିରଫ ପରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଜଣେ ଗଞ୍ଜେଇ ବେପାରୀଙ୍କ ପାଖରୁ ୮ କେଜିରୁ ଅଧିକ ସୁନା କେଉଁଠୁ ଆସିଲା ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହାର ଗୁମର ଖୋଲିଛି । ନିଶା କାରବାର ସହ ସେ ଲୋକଙ୍କ ଠାରୁ ସୁନା ବନ୍ଧା ରଖୁଥିଲେ । ରଜନୀକାନ୍ତ ଗିରଫ ଖବର ପରେ ଘର ଆଗରେ ବନ୍ଧକ ରଖିଥିବା ଲୋକଙ୍କ ଭିଡ଼ ଜମିଛି । ଅନ୍ୟପଟେ ପୁଲିସ୍ ତାଂକ ପୁଅ ଓ ସ୍ତ୍ରୀକୁ ଥାନାକୁ ଆଣି ପଚରାଉଚରା କରିଛି । ରଜନୀକାନ୍ତଙ୍କୁ ରିମାଣ୍ଡରେ ନେବାକୁ ପୋଲିସ୍ ଯୋଜନା କରୁଛି ।