ଦିଲ୍ଲୀରେ ଥମୁନି ମହିଳାଙ୍କୁ ହତ୍ୟା ମାମଲା, ଶ୍ରଦ୍ଧା ୱାଲେକରଙ୍କ ପରେ ଏବେ ପଲିଥିନ ଭିତରୁ ମିଳିଲା ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ

60

କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀ ଏବେ ମହିଳାଙ୍କ ପାଇଁ ଏକ ବିପଦପୂର୍ଣ୍ଣ ସ୍ଥାନ ବୋଲି ଗଣନା କରାଯାଉଛି । କିଛିଦିନ ତଳେ ଦିଲ୍ଲୀରେ ଶ୍ରଦ୍ଧା ୱାଲେକରଙ୍କୁ ତାଙ୍କ ପ୍ରେମିକ ୫୨ ଖଣ୍ଡ କରି କାଟି ହତ୍ୟା କରିବା ଘଟଣା ମନରୁ ଲିଭି ନଥିବା ବେଳେ ପୁଣି ଏକ ଜଙ୍ଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଏଥର ମହିଳା ଜଣଙ୍କୁ ହତ୍ୟା କରାଯାଇ ତାର ଶରୀରକୁ ଖଣ୍ଡ ଖଣ୍ଡ କରି କାଟିବା ପରେ ପିଲିଥିନରେ ପୁରାଇ କେହି ପକାଇ ଦେଇଯାଇଛି ।

ସୂଚନା ମୁତାବକ ଦିଲ୍ଲୀର ସରାୟ କାଲେ ଖାଁ ଅଞ୍ଚଳରେ ଥିବା ସନଲାଇଟ୍ କଲୋନୀ ନିକଟରେ ଏକ ପଲିଥିନ ଭିତରେ କିଛି ଥିବା ଓ ଏଥିରୁ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ପଲିଥିନ ଖୋଲିବାରୁ ସେଥିରେ ଜଣେ ମହିଳାଙ୍କ ମୃତଦେହ ଥିବାର ଦେଖିବାକୁ ମିଳିଛି । କେହି ମହିଳା ଜଣଙ୍କୁ ହତ୍ୟା କରି ତାଙ୍କର ମୁଣ୍ଡ, ଅଣ୍ଟାର ତଳ ଭାଗ ଓ ହାତକୁ କାଟି ଏକ ଧଳା ପଲିଥିନ ଭିତରେ ପୁରାଇ ଏଠାରେ ପକାଇ ଦେଇଥିବା କଥା କୁହାଯାଉଛି ।

ଏନେଇ ପୋଲିସ ଏବେ ମାମଲାର ଯାଂଚ କରିବା ଆରମ୍ଭ କରିଛି । ହେଲେ ଏପର୍ଯ୍ୟନ୍ତ ମୃତ ଦେହର ପରିଚୟ ମିଳିପାରି ନାହିଁ । ସୂଚନା ପାଇବା ପରେ ଫରେନସିକ ଟିମ୍ ସେଠାରେ ପହଂଚି ଅନୁସନ୍ଧାନ ମଧ୍ୟ କରୁଛି । ଏହି ମାମଲାର ପର୍ଦ୍ଦାଫାସ କରିବାକୁ ସ୍ଥାନୀୟ ପୋଲିସ ଓ କ୍ରାଇମବ୍ରାଞ୍ଚକୁ ନିୟୋଜିତ କରାଯାଇଛି ।