ଗେଟ ଚଢିଲେ, ପ୍ରତିବାଦ କଲେ । ନବୀନ ନିବାସ ଘେରାଉ ବେଳେ ପୋଲିସ-ଯୁବ କଂଗ୍ରେସ କର୍ମୀ ମୁହାଁମୁହିଁ ।

92

କନକ ବ୍ୟୁରୋ: ଭୁବନେଶ୍ୱରରେ କଂଗ୍ରେସର ଆନ୍ଦୋଳନ ବେଳେ ତୁମୁଳକାଣ୍ଡ ଦେଖିବାକୁ ମିଳିଛି । ନବୀନ ନିବାସ ଘେରାଉ ପାଇଁ ବ୍ୟାରିକେଡ଼ ଭାଙ୍ଗିଛନ୍ତି ଯୁବ କଂଗ୍ରେସ କର୍ମୀ । ଘଟଣା ସ୍ଥଳରେ ପୋଲିସ ସହ ଧସ୍ତାଧସ୍ତି ହୋଇଛି । ଆନ୍ଦୋଳନକାରୀଙ୍କୁ ଜୋରଜବରଦସ୍ତ ଉଠାଇନେଇଛନ୍ତି ସୁରକ୍ଷାକର୍ମୀ ।

ମମିତା ମେହେର ହତ୍ୟା ଘଟଣାରେ ଛାତ୍ର କଂଗ୍ରେସର ପ୍ରତିବାଦ କରିଛି । ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ଆନ୍ଦୋଳନକାରୀ । ଛାତ୍ର କଂଗ୍ରେସର ଜିଲ୍ଲା ସଭାପତି ଓ କର୍ମକର୍ତା ମାନେ ଏହି ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେପଟେ କଂଗ୍ରେସ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି କମିଶନରେଟ୍ ପୋଲିସ । ନବୀନ ନିବାସକୁ ଥିବା ସମସ୍ତ ରାସ୍ତାକୁ ସିଲ କରାଯାଇଛି । ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ ହୋଇଛି । ନବୀନ ନିବାସ ଯିବାକୁ ଥିବା ରାସ୍ତାର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ବ୍ୟାରିକେଡ଼ ଭାଙ୍ଗି ଆଗକୁ ଯିବାକୁ ଅଗ୍ରସର ବେଳେ ପୋଲିସ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । କିଛି ଆନ୍ଦୋଳନକାରୀଙ୍କୁ ଉଠାଇନେଇଛି ପୋଲିସ ।

ସେହିପରି ମମିତା ମେହେର ମାମଲାକୁ ନେଇ କଟକ ଡିଜି ଅଫିସ ଘେରାଉ କରିଛି ରାଜ୍ୟ ଯୁବ କଂଗ୍ରେସ । କଟକ ଗୌରୀଶଙ୍କର ପାର୍କ ପାଖେ ଏକ ବିଶାଳ ସମାବେଶ କରିଛି । ଏହାପରେ ପ୍ରତିନିଧି ଦଳ ପୁଲିସ ଡିଜିଙ୍କୁ ଭେଟି ମମିତାଙ୍କ ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିବେ । ସେପଟେ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି ସହ ଅଭିଯୁକ୍ତ ଗୋବିନ୍ଦ ସାହୁକୁ କଠୋର ଦଣ୍ଡ ଦେବାକୁ ଦାବି କରି ପ୍ରତିବାଦ କରୁଛି କଂଗ୍ରେସ । ପ୍ରତିବାଦ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଛି ।