ଥାନା ଭିତରେ ପୁଲିସ ଜୁଲମ୍ । ବଢିଲା ଝିଅଙ୍କ ଉପରେ ପୁଲିସବାବୁଙ୍କ ଥାର୍ଡଡିଗ୍ରୀ । ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ପରେ ଡିସିପି କହିଲେ ଘଟଣାର ହେବ ତଦନ୍ତ

50

କନକ ବ୍ୟୁରୋ: ନିମାପଡାରେ ବୃଦ୍ଧାଙ୍କୁ ମାଡ ଘଟଣା ମନରୁ ନ ଲିଭୁଣୁ ପୁଣି ଥାନା ଭିତରେ ପୁଲିସ, ଯୁବତୀଙ୍କୁ ମାଡ଼ ମାରିବା ଭଳି ସାଂଘାତିକ୍ ଘଟଣା ସାମ୍ନାକୁ ଆସିଛି । ଆଉ ଏହି ଅଭିଯୋଗ ଆସିଛି ଖୋଦ୍ ରାଜଧାନୀର କେନ୍ଦ୍ରସ୍ଥଳୀରେ ଥିବା ନୟାପଲ୍ଲୀ ଥାନାରୁ । ଜମିଜମା ବିବାଦକୁ କେନ୍ଦ୍ରକରି ଦୁଇ ଜଣ ଝିଅ ପୁଲିସ୍ ଜୁଲମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ପଢନ୍ତୁ ପୁଲିସ୍ ଜୁଲମର ଆଉ ଏକ କାହାଣୀ ।

ବଢିଲା ଝିଅଙ୍କ ଦେହରେ ଲାଗିଥିବା ଏହି ଆଘାତର ଚିହ୍ନ ହିଁ ବୟାନ କରୁଛି ବର୍ବରତାର କାହାଣୀ । ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଥାର୍ଡଡିଗ୍ରୀ ଦେଲା ଭଳି, ଏହି ଦୁଇ ଭଉଣୀଙ୍କୁ ଥାନା ଭିତରେ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଯାହାଙ୍କୁ ଆମେ ଆଇନ-କାନୁନର ରକ୍ଷକ ଭାବରେ ଗ୍ରହଣ କରି ଆସୁଛୁ, ସେହି ପୁଲିସବାବୁଙ୍କ ନାଁରେ ଏହି ସାଂଘାତିକ୍ ଅଭିଯୋଗ ।

ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏହି ଚିତ୍ର ପଛର କାହାଣୀ ସାମ୍ନାକୁ ଆସିଥିଲା, ଯେତେବେଳେ ବର୍ବରତାର ଶିକାର ହୋଇଥିବା ଦୁଇ ଝିଅ ସାମ୍ନାକୁ ଆସି ପୁରା ଘଟଣା ବୟାନ କରିଥିଲେ । ପୀଡିତାଙ୍କ ଅଭିଯୋଗ ଅନୁସାରେ, ଜମିଜମା ବିବାଦକୁ କେନ୍ଦ୍ରକରି ଏହି ଦୁଇ ଝିଅଙ୍କୁ ଥାନାକୁ ଉଠାଇ ଆସିଥିଲା ନୟାପଲ୍ଲୀ ପୁଲିସ । ହେଲେ ଘଟଣା ନେଇ ପଚରାଉଚୁରା କରିବା ପୂର୍ବରୁ ମାଡ଼ ଆରମ୍ଭ କରିଦେଇଥିଲେ ପୁଲିସ୍ । ଆଇଆଇସି, ମହିଳା ପୁଲିସ୍ ଏବଂ ବିନା ବର୍ଦ୍ଦିରେଥିବା ପୁଲିସ୍ ବାବୁମାନେ ଜାଗା-ଅଜାଗା ନଦେଖି ମାଡ ମାରିବା ଆରମ୍ଭ କରିଦେଇଥିବା ଅଭିଯୋଗ ହୋଇଛି । ଆଉ ତା’ପରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ହାଜତରେ ଭିର୍ତି କରିଦେଲେ ।

ଏହି ଦୁଇ ଯୁବତୀଙ୍କ ମଧ୍ୟରେ ଜଣେ ଝିଅ ଏମ୍ଫିଲ୍ କରୁଥିବା ବେଳେ ଆଉ ଜଣେ ବି-ଟେକ୍ କରୁଛନ୍ତି । ଆଉ ପରୀକ୍ଷା ପାଇଁ ଅନ୍ତରୀଣ ବେଲରେ ଆସିବା ପରେ ପୁଲିସ ଜୁଲମର ଏହି ବର୍ବର କାହାଣୀ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଜମିବାଡ଼ି ମାମଲାକୁ କେନ୍ଦ୍ରକରି ଏହି ଝିଅଙ୍କ ପରିବାର ଏବଂ ପାଖପଡୋଶୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ଯାହାକୁ ନେଇ ଉଭୟ ପକ୍ଷରୁ ମାମଲା ମଧ୍ୟ ରୁଜୁ ହୋଇଛି । ଆଉ ପୁଲିସ୍ ନିର୍ଯାତନାର ଖବର ସାମ୍ନାକୁ ଆସିଲା ପରେ ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ଡିପିସି ।

 

ତେବେ ନୟାଗଡ଼ ବୃଦ୍ଧାଙ୍କୁ ମାଡ଼ ଘଟଣା ମନରୁ ଲିଭିବା ପୂର୍ବରୁ ଭୁବନେଶ୍ୱରର ଏହି ଘଟଣା ପୁଲିସର କାର୍ଯ୍ୟଶୈଳୀକୁ ନେଇ ଉଠାଇଛି ଅନେକ ପ୍ରଶ୍ନ ?

-ଆଇନ-କାନୁନର ଆଳରେ ସୀମା ଟପି ଯାଉଛି କି ପୁଲିସ ?

– ପୁୁଲିସ ଉପରେ ସାଧାରଣ ଜନତା ଭରସା କରି ପାରିବେ ତ ?

-ଏହି ସବୁ ଘଟଣା ପୁଲିସ ଉପରେ ଥିବା ଆସ୍ଥାକୁ ଦୋହଳାଇ ଦେଉଛି କି ?