ଆଇନଜୀବୀଙ୍କୁ ମାଡ ପରେ ତେଜିଲା ପୋଲିସ-ଓକିଲ ବିବାଦ ! କଟକରେ ପୁଲିସ ଭ୍ୟାନ ଜାଳିଦେଲେ ଦୁର୍ବୃତ, ବାର ଆସୋସିଏସନର କାର୍ଯ୍ୟବନ୍ଦ ଡାକରା ।

26

କନକ ବ୍ୟୁରୋ : କଟକରେ ପୋଲିସ-ଓକିଲ ବିବାଦ ଘନେଇବାରେ ଲାଗିଛି । ଆଜି କିଛି ଦୁର୍ବୃତ ପୋଲିସ ଭ୍ୟାନ ଜାଳି ଦେଇଛନ୍ତି । ସେପଟେ ଓକିଲଙ୍କୁ ପୋଲିସ ମାଡ ମାରିବା ଅଭିଯୋଗ ଘଟଣାର ନିନ୍ଦା କରିଛନ୍ତି ହାଇକୋର୍ଟ ସମେତ ଅନ୍ୟ କୋର୍ଟ । ପ୍ରତିବାଦରେ ଓକିଲମାନେ କାମ ବନ୍ଦ ଆନ୍ଦୋଳନ କରିବେ । ଏବେ ପ୍ରଶ୍ନ ଉଠୁଛି ହାଇକୋର୍ଟ ବନ୍ଦ ରହିବା କେତେ ଯଥାର୍ଥ । ଏହା ମଧ୍ୟ ପ୍ରଶ୍ନ ଉଠୁଛି କୋର୍ଟ ବନ୍ଦ କରାଗଲେ କାହା ସ୍ୱାର୍ଥ ହାସଲ ହେବ ।

କଟକରେ ତେଜିଛି ପୁଲିସ-ଓକିଲ ବିବାଦ । ଆରଟିଓ ଅଫିସ ସାମନାରେ ପୁଲିସ ଭ୍ୟାନ ଜାଳିଦେଲେ ଦୁର୍ବୃତ । ଜଣେ ଆଇନଜୀବୀଙ୍କୁ ପୁଲିସ ମାଡ଼ ମାରିବା ଯୋଗୁଁ ଆରମ୍ଭ ହୋଇଥିଲା ଏହି ବିବାଦ । ପୋଲିସର କହିବା କଥା, ଏକ ସଡକ ଦୁର୍ଘଟଣାକୁ ନେଇ ଆଇନଜୀବୀଙ୍କୁ ଥାନାକୁ ଆଣିବା ବେଳେ ସୃଷ୍ଟି ହୋଇଥିଲା  ଅପ୍ରୀତିକର ପରିସ୍ଥିତି ।

ସାମାନ୍ୟ ଘଟଣାକୁ କେନ୍ଦ୍ରକରି କଟକ ଚାଉଳିଆଗଂଜ ଥାନା ଅଂଚଳରେ ଆଇନଜୀବୀଙ୍କୁ ପୋଲିସ ମାଡ଼ ମାରିବା ଅଭିଯୋଗ ହୋଇଥିଲା । ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ଗୁରୁତର ଅବସ୍ଥାରେ ଏସସିବି ଜରୁରୀକାଳୀନ ୱାର୍ଡରେ ଭର୍ତି କରାଯାଇଛି । ଘଟଣାର ତଦନ୍ତ ପାଇଁ ଚାଉଳିଆଗଂଜ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଡିସିପି । ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।

ସେପଟେ କଟକରେ ଓକିଲଙ୍କୁ ପୋଲିସର ମାଡ ଘଟଣାକୁ ନିନ୍ଦା କରିଛି ହାଇକୋର୍ଟ ସମେତ ଅନ୍ୟ ବାର ଆସୋସିଏସନ । ପ୍ରତିବାଦରେ ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ମଧ୍ୟ ଡାକରା ଦିଆଯାଇଛି । ଏବେ ପ୍ରଶ୍ନ ଉଠୁଛି ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କ ସହ ପୋଲିସର ଏହି ବିବାଦ ବ୍ୟକ୍ତିଗତ ସ୍ତରରେ ହୋଇଥିବା ବେଳେ ହାଇକୋର୍ଟ ବନ୍ଦ ରହିବା କେତେ ଯଥାର୍ଥ ? ଖାଲି ସେତିକି ନୁହେଁ , ଓକିଲଙ୍କ ଏହି ପ୍ରତିବାଦ ଯୋଗୁ କୋର୍ଟ କାମ ବାଧାପ୍ରାପ୍ତ ହେବ । ତେଣୁ ସାଧାରଣ ଲୋକେ ହଇ୍ରାଣ ହେବେ । ତେବେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି, କୋର୍ଟ ବନ୍ଦ କରାଗଲେ କାହା ସ୍ୱାର୍ଥ ହାସଲ ହେବ?