କନକ ବ୍ୟୁରୋ : ପୋଲସରା ପଲିଟିକ୍ସକୁ ବୁଝିବା ଏତେ ସହଜ ନୁହେଁ । ୨୦୦୯ରେ ପୋଲସରା ନିର୍ବାଚନମଣ୍ଡଳୀ ନୂଆ କରି ଜନ୍ମ ନେଇଥିଲେ ମଧ୍ୟ ଏଠାକାର ଭୋଟରଙ୍କ ମିଜାଜକୁ ପଢିବା ଏତେ ସହଜ କଥା ନୁହେଁ । ପୋଲସରା ନିର୍ବାଚନମଣ୍ଡଳୀ ଗଠନ ହେବା ପରେ ଏଠାରେ ମାତ୍ର ୨ ଥର ନିର୍ବାଚନ ହୋଇଥିବା ବେଳେ ଏଥିରେ ବାଜି ମାରିଛି ବିଜେଡି । ଅଧିକ ସଂଖ୍ୟକ ପ୍ରାର୍ଥୀଙ୍କୁ ନେଇ ଏହି ଆସନ ସର୍ବଦା ଚର୍ଚ୍ଚାରେ ରହି ଆସୁଥିବା ବେଳେ ଆଗାମୀ ନିର୍ବାଚନରେ ଏଠାରେ କଡା ମୁକାବିଲା ଦେଖିବାକୁ ମିଳିବ ।
୨୦୦୯ ସୀମା ନିର୍ଦ୍ଧାରଣ ବେଳେ ନୂତନ ଭାବେ ଗଠିତ ହୋଇଛି ପୋଲସରା ବିଧାନ ସଭା ନିର୍ବାଚନ ମଣ୍ତଳୀ। ପୋଲସରା ବ୍ଲକ, ବୁଗୁଡା ବ୍ଲକ, ପୋଲସରା ଏନଏସି ଓ ବୁଗୁଡା ଏନଏସିକୁ ନେଇ ଏହି ନିର୍ବାଚନ ମଣ୍ତଳୀ ଗଠିତ। ନବଗଠିତ ଏହି ବିଧାନ ସଭା କ୍ଷେତ୍ର ୨୦୦୯ରେ ପ୍ରଥମେ ନିର୍ବାଚନକୁ ସାମ୍ନା କରିଥିଲା। ନିର୍ବାଚନ ମଇଦାନକୁ ୧୨ଜଣ ପ୍ରାର୍ଥୀ ଓହ୍ଲାଇଥିଲେ। ବିଜେଡି ଏଠାରେ ପ୍ରଥମେ ନିରଞ୍ଜନ ପ୍ରଧାନଙ୍କୁ ମୈଦାନକୁ ଓହ୍ଲାଇଥିଲା । ଆଉ ପ୍ରଥମ ସୁଯୋଗରେ ନିରଞ୍ଜନ ବିଜେଡିକୁ ଦେଇଥିଲେ ବଡ ସଫଳତା । ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ରାମକୃଷ୍ଣ ପଟ୍ଟନାୟକଙ୍କୁ ମାତ୍ ଦେଇ ସବୁଜ ବାନା ଉଡାଇଥିଲେ ନିରଞ୍ଜନ । କଂଗ୍ରେସ ଓ ବିଜେଡି ମଧ୍ୟରେ ବିଗ୍ ଫାଇଟ ହୋଇଥିବା ବେଳେ ବିଜେପି ବହୁତ ପଛରେ ପଡି ଯାଇଥିଲା ।
୨୦୧୪ରେ କଡ ଲେଉଟାଇଥିଲା ପୋଲସରା ପଲିଟିକ୍ସ । ନିର୍ବାଚନ ପୂର୍ବରୁ କଂଗ୍ରେସର ହାତ ଛାଡି ନିଜର ରାଜନୈତିକ କ୍ୟାରିୟରକୁ ଜୀବନ୍ୟାସ ଦେବାକୁ ପଦ୍ମ ଧରିଥିଲେ ରାମକୃଷ୍ଣ ପଟ୍ଟନାୟକ । ତେବେ ବିଜେଡିର ରଣନୀତି ଆଗରେ ଫେଲ୍ ମାରିଥିଲା ରାମକୃଷ୍ଣଙ୍କ ଷ୍ଟ୍ରାଟେଜି । ବିଜେପିରୁ ରାମକୃଷ୍ଣଙ୍କ ପତ୍ନୀ ତଥା ପୂର୍ବତନ ସାଂସଦ କୁମୁଦିନୀ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ଏଠାରେ ସ୍ଥିତି ଦେଖି ପ୍ରାର୍ଥୀ ବଦଳାଇଥିଲା । ବିଜେଡି ଶ୍ରୀକାନ୍ତ ସାହୁଙ୍କୁ ଟିକେଟ ଦେଇ ନିର୍ବାଚନ ଯୁଦ୍ଧ ମୈଦାନକୁ ଓହ୍ଲାଇଥିଲା । ନିର୍ବାଚନ ରଣାଙ୍ଗନକୁ ସୁମଦାୟ ୧୧ଜଣ ପ୍ରାର୍ଥୀ ଓହ୍ଲାଇଥିଲେ। ଆଉ ପୂର୍ବଥର ଭଳି ବିଜେଡି-କ˚ଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । କିନ୍ତୁ ରାମକୃଷ୍ଣ ପଟ୍ଟନାୟକଙ୍କୁ ସାଥୀରେ ନେଇ ମଧ୍ୟ ବିଜେପିକୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।
ଗତ ୨ଟି ନିର୍ବାଚନରେ ଶଙ୍ଖ ଧ୍ୱନିରେ ପୂରା ପୋଲସରା ପ୍ରକମ୍ପିତ ହୋଇଥିବା ବେଳେ ଆଗାମୀ ୨୦୧୯ ନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ଅଣ୍ଟା ଭିଡିଛନ୍ତି । ବିଜେଡି ଏଠାରେ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଥିବା ବେଳେ କାହାକୁ ପ୍ରାର୍ଥୀ କରାଯିବ ତାହାକୁ ନେଇ ସସପେନ୍ସ ଲାଗି ରହିଛି । ଗତ ଦୁଇଟି ନିର୍ବାଚନରେ ଦଳ ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରୁଥିବା ବେଳେ ଚଳିତ ଥର ମଧ୍ୟ ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଏହାଛଡା ବିଧାୟକ ଶ୍ରୀକାନ୍ତ ସାହୁ ମିଥ୍ୟା ସତ୍ୟପାଠ ମାମଲାରେ ଛନ୍ଦି ହୋଇଥିବାରୁ ଦଳ ତାଙ୍କୁ ଟିକେଟ ରେସରେ ବାଦ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ନିର୍ବାଚନମଣ୍ଡଳୀରେ ଶ୍ରୀକାନ୍ତ ଯେଉଁଭଳି ଭାବେ ଆକ୍ଟିଭ ରହିଛନ୍ତି ତାହା ସୂଚାଉଛି ଯେ, ସେ ପୁଣିଥରେ ଟିକେଟ ରେସରେ ରହିଛନ୍ତି ।
ବିଜେଡି ଟିକେଟ ପାଇଁ ଆଶାୟୀଙ୍କ ଲମ୍ବା ତାଲିକା ରହିଥିବା ବେଳେ ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ ମଧ୍ୟ ଏହି ଦୌଡରେ ରହିଛନ୍ତି । ଏହାଛଡା ଏହି ନିର୍ବାଚନମଣ୍ଡଳୀରେ ନବୀନ ନୂଆ ନୂଆ ପ୍ରାର୍ଥୀଙ୍କୁ ନେଇ ପରୀକ୍ଷା ନିରୀକ୍ଷା କରୁଥିବା ବେଳେ ଟିକେଟ ଦୌଡରେ ଅନ୍ୟତମ ପ୍ରମୁଖ ଦାବିଦାର ଭାବେ ପ୍ରଭାକର ପଣ୍ଡାଙ୍କ ନାଁ ଚର୍ଚ୍ଚାରେ ରହିଛି । ଯୁବନେତା ଭାବେ ପୂରା ନିର୍ବାଚନମଣ୍ଡଳୀରେ ପ୍ରଭାକରଙ୍କର ଦବଦବା ରହିଛି । ଏହାଛଡା ଯୁବଗୋଷ୍ଠୀଙ୍କୁ ସାଥୀ କରି ସଙ୍ଗଠନକୁ ସୁଦୃଢ କରୁଥିବା ପ୍ରଭାକର ନିର୍ବାଚନମଣ୍ଡଳୀରେ ମଧ୍ୟ ସମସ୍ତଙ୍କର ପସନ୍ଦର ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି । ପୋଲସରାରେ ପ୍ରଭାକରଙ୍କର ନିଜସ୍ୱ ଭୋଟବ୍ୟାଙ୍କ ରହିଥିବାରୁ ଦଳ ତାଙ୍କ କଥା ବିଚାର କରିପାରେ ବୋଲି ଚର୍ଚ୍ଚା ହେଉଛି । ଯଦି ନବୀନ ନୂଆ ପ୍ରାର୍ଥୀ କାର୍ଡ ଖେଳନ୍ତି ତେବେ ପ୍ରଭାକର ଏହି ରେସରେ ବାଜି ମାରି ପାରନ୍ତି ବୋଲି ବିଜେଡି ଅନ୍ଦରମହଲରେ ଶୁଣିବାକୁ ମିଳୁଛି ।
ଅନ୍ୟପଟେ ବିଜେଡି ଟିକେଟ ପାଇଁ ବରିଷ୍ଠ ସାମ୍ବାଦିକ ଜ୍ୟୋର୍ତିମୟ ପଟ୍ଟନାୟକ, ଢୁଙ୍କାପଡାର ପୂର୍ବତନ ସରପଞ୍ଚ ଆରତୀ ଦେବୀ, ଗୋପାଳ ଚନ୍ଦ୍ର ନାୟକ, ଡାକ୍ତର ବସନ୍ତ କୁମାର ଦାସ, ବୁଗୁଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମ ନାରାୟଣ ସାହୁ ପ୍ରମୁଖ ଆଶାୟୀ ରହିଛନ୍ତି।
ତୃତୀୟ ବିଜୟ ପାଇଁ ବିଜେଡି ଏଠାରେ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଉଭୟ ବିଜେପି ଓ କଂଗ୍ରେସର ପ୍ରାର୍ଥୀଙ୍କୁ ନେଇ ଦ୍ୱନ୍ଦ ଦେଖିବାକୁ ମିଳିଛି । କଂଗ୍ରେସକୁ ପ୍ରତି ନିର୍ବାଚନରେ ଦଳୀୟ ନେତା ଝଟକା ଦେଉଥିବାର ନଜିର ରହିଥିବା ବେଳେ ଏହାର ପୁନରାବୃତ୍ତି ପୁଣିଥରେ ହୋଇଛି । ୨୦୧୪ରେ ରାମକୃଷ୍ଣ ଦଳର ହାତ ଛାଡିଥିବା ବେଳେ ୨୦୧୯ ନିର୍ବାଚନ ପୂର୍ବରୁ ଗତଥର କଂଗ୍ରେସ ପ୍ରାର୍ଥୀ ହୋଇଥିବା ଗୋକୁଳାନନ୍ଦ ମଲ୍ଲିକ ବିଜେପିରେ ଯୋଗ ଦେଇଛନ୍ତି । ତେଣୁ କଂଗ୍ରେସ ପାଇଁ ଯୋଗ୍ୟ ପ୍ରାର୍ଥୀ ଖୋଜିବା ସବୁଠୁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ତେବେ କ˚ଗ୍ରେସରୁ ସୁବ୍ରତ ପଟ୍ଟନାୟକ ଏବ˚ ଅଗସ୍ତି ବରାଡ ୨ଜଣ ଆଶାୟୀ ରହିଥିବା ଚର୍ଚ୍ଚା ଧରିଛି।
ଅନ୍ୟପଟେ ବିଜେପି ଅନ୍ୟ ଦଳର ନେତାଙ୍କୁ ଦଳରେ ସାମିଲ କରି ନିର୍ବାଚନୀ ବୈତରଣୀ ପାର ହେବାକୁ ପ୍ରସ୍ତୁତ ହେଉଛି । ବିଜେପିରୁ ଗୋକୁଳାନନ୍ଦ ମଲ୍ଲିକ ଓ ପ୍ରତାପ ନାୟକ ଆଶାୟୀ ପ୍ରାର୍ଥୀ ତାଲିକାରେ ରହିଥିବା ବେଳେ ବିଜେଡିକୁ ଟକ୍କର ଦେବାକୁ ଦଳ କାହା ଉପରେ ଭରସା କରୁଛି ତାହା ଉପରେ ନଜର ରହିଛି । ଏଭଳି ଗୋଳିଆଘଣ୍ଟା ପଲିଟିକ୍ସ ମଧ୍ୟରେ ପୋଲସରାରେ କାହାର ପଲା ଭାରି ରହିବ ତାହା ଦେଖିବା ବାକି ରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/POLSARA_00000.png)