କୁନି ଝିଅ ବଞ୍ଚିବ ବୋଲି… ପଦକ ବିକିଦେଲେ ଅଲିମ୍ପିକ୍ସ ବିଜେତା

ପୋଲାଣ୍ଡର ଜାଭେଲିନ୍ ଆଥଲେଟ୍ ମାରିଆ ଆଣ୍ଡ୍ରୋଜଜିକ୍ । ଚଳିତବର୍ଷ ହୋଇଥିବା ଟୋକିୟୋ ଅଲମ୍ପିକ୍ସରେ ହାସଲ କରିଥିବା ରୌପ୍ୟ ପଦକକୁ ନିଲାମ କରିଛନ୍ତି । କାହିଁକି ନିଲାମ କରିଛନ୍ତି ତା’ର କାରଣ ଜାଣିଲେ ମାରିଆଙ୍କ ମାନବିକତା ଓ ପରୋପକାରିତା ସାମ୍ନାରେ ଆପଣଙ୍କ ମୁଣ୍ଡ ନଇଁଯିବ ।

199

କନକ ବ୍ୟୁରୋ: ମାନବିକତା… ପରୋପକାରିତା… ଅସହାୟଙ୍କ ପାଇଁ ସାହା ଭରସା… ଜଣେ ମହିଳା ଅଲିମ୍ପିକ୍ସ ଆଥେଲଟ ଯେଉଁ ବଡ଼ପଣ ଦେଖାଇଛନ୍ତି ତାଙ୍କ ପାଇଁ ପ୍ରଶଂସାର ସବୁ ଶବ୍ଦ କମ ପଡିଯିବ । ଜଣେ ଶିଶୁଙ୍କ ଜୀବନ ରକ୍ଷା କରିବାକୁ ଯାଇ ନିଜ ଜିତିଥିବା ମେଡାଲ ନିଲାମ କରିବାକୁ ପଛାଇନାହାନ୍ତି ଚଳିତ ଟୋକିଓ ଅଲମ୍ପିକ୍ସରେ ବିଜେତା ।

ପୋଲାଣ୍ଡର ଜାଭେଲିନ୍ ଆଥଲେଟ୍ ମାରିଆ ଆଣ୍ଡ୍ରୋଜଜିକ୍ । ଚଳିତବର୍ଷ ହୋଇଥିବା ଟୋକିୟୋ ଅଲମ୍ପିକ୍ସରେ ହାସଲ କରିଥିବା ରୌପ୍ୟ ପଦକକୁ ନିଲାମ କରିଛନ୍ତି । କାହିଁକି ନିଲାମ କରିଛନ୍ତି ତା’ର କାରଣ ଜାଣିଲେ ମାରିଆଙ୍କ ମାନବିକତା ଓ ପରୋପକାରିତା ସାମ୍ନାରେ ଆପଣଙ୍କ ମୁଣ୍ଡ ନଇଁଯିବ । ପୋଲ ମିଲୋସେକ୍ ନାମକ ଜଣେ ୮ମାସ ଶିଶୁଙ୍କ ହୃତପିଣ୍ଡରେ ଗୁରୁତର ସମସ୍ୟା ରହିଥିଲା । ତୁରନ୍ତ ଅସ୍ତ୍ରୋପଚାର ନକଲେ ଶିଶୁଟିର ବଞ୍ଚିବା ଅସମ୍ଭବ ଥିଲା । ଅପରେସନ୍ ପାଇଁ ୨ କୋଟି ୮୬ଲକ୍ଷ ଟଙ୍କାର ଆବ୍ୟଶ୍ୟକ ଥିଲା । ଏତେ ଟଙ୍କା ଏତେ ଶୀଘ୍ର ଯୋଗାଡ କରିବା ମିଲୋସେକଙ୍କ ପରିବାର ପକ୍ଷରେ ସମ୍ଭବ ନଥିଲା ।

ଅନ୍ୟପଟେ ଏହି ଖବର ପାଇବା ପରେ ମାରିଆ ସହାୟତା କରିବାରୁ ନିଜକୁ ରୋକିପାରିନଥିଲେ । ତାଙ୍କର ଅଲମ୍ପିକ୍ସ ରୌପ୍ୟ ପଦକ ନିଲାମ କରିବାକୁ ଘୋଷଣା କରି ସୋସିଆଲ ମିଡିଆରେ ବିଜ୍ଞାପନ ଦେଇଥିଲେ । ତାଙ୍କ ରୌପ୍ୟ ପଦକ ନିଲାମ୍ ଅନୁଷ୍ଠିତ ହେଲା । ଏକ ବ୍ୟାବସାୟିକ ସଂସ୍ଥା ୧୨୫ ହଜାର ଆମେରିକିୟ ଡଲାର ବା ଭାରତୀୟ ମୁଦ୍ରାରେ ୯୩ଲକ୍ଷ ଟଙ୍କା ମୁଲ୍ୟରେ ମାରିଆଙ୍କ ରୌପ୍ୟ ପଦକକୁ କିଣିଥିଲା । କିନ୍ତୁ ମାରିଆଙ୍କର ସାହାଯ୍ୟ କରିବାର ମନେଭାବ ଦେଖି ପଦକ କିଣିଥିବା ଉକ୍ତ ସଂସ୍ଥା ମାରିଆଙ୍କୁ ୯୩ଲକ୍ଷ ଟଙ୍କା ଦେବା ସହିତ ତାଙ୍କ ମେଡାଲକୁ ଫେରସ୍ତ କରିଦେଇଥିଲା ।

ଏହାପରେ ସେହି ଅର୍ଥକୁ ମାରିଆ ଶିଶୁର ବାପା ମାଆଙ୍କୁ ପ୍ରଦାନ କରିଛନ୍ତି । ଆସନ୍ତା ସପ୍ତାହେ ମଧ୍ୟରେ ଉକ୍ତ ଶିଶୁର ଅସ୍ତ୍ରୋପଚାର ହେବ । ଯାହାକୁ ନେଇ ବେଶ୍ ଖୁସି ଅଛନ୍ତି ମାରିଆ । ଆଉ କହିଛନ୍ତି, ମେଡାଲ କେବଳ ଏକ ବସ୍ତୁ ଅଟେ । ଏହି ମେଡାଲ ଏକ କୋଠରୀରେ ଜମା ହେଇ ରହିବା ଅପେକ୍ଷା ଏହାଦ୍ୱାରା କାହାର ଜୀବନ ବଞ୍ଚାଇ ହେଲେ ଏହାର ପ୍ରକୃତ ମୂଲ୍ୟ ରହିବ । ଏଥିପାଇଁ ମୁଁ ଗୁରୁତର ଶିଶୁକୁ ସାହାଯ୍ୟ କରିବା ପାଇଁ ମେଡାଲକୁ ନିଲାମ କରିବାର ନିସ୍ପତ୍ତି ନେଇଥିଲି । ଏଠାରେ କହିରଖୁଛୁ କି, ଚଳିତ ଟୋକିୟୋ ଅଲମ୍ପିକ୍ସରେ ମହିଳା ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ଚୀନର ଲ୍ୟୁ ସିୟିଙ୍ଗ୍ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୬୪. ୬୧ ମିଟର ଦୂରତା ହାସଲକରି ମାରିଆ ରୌପ୍ୟ ପଦକ ହାସଲ କରିଥିଲେ ।