କନକ ବ୍ୟୁରୋ: ଶହ ଶହ ସଂଖ୍ୟାରେ ଶରଣାର୍ଥୀ ବେଲାରୁସ ଛାଡି ପୋଲାଣ୍ଡ ସୀମାରେ ପଶିବାକୁ ଚେଷ୍ଟା କରୁଛନ୍ତି । ହେଲେ ପୋଲାଣ୍ଡ ସୁରକ୍ଷାକର୍ମୀ ଶରଣାର୍ଥୀଙ୍କୁ ଦେଶ ଭିତରେ ପ୍ରବେଶ କରିବାକୁ ଦେଉନାହାଁନ୍ତି । ଆଉ ପ୍ରବଳ ଥଣ୍ଡାରେ ୪ ଦିନ ଧରି ସୀମାରେ ପଡିରହିଛନ୍ତି ଶହ ଶହ ଶରଣାର୍ଥୀ । ଶହ ଶହ ଶରଣାର୍ଥୀଙ୍କ ଭିତରେ ମହିଳା ଓ ଶିଶୁ ବି ରହିଛନ୍ତି । ମାଇନସ ତାପମାତ୍ରାରେ ସୀମାରେ ପଡିରହିଛନ୍ତି ଏହି ସବୁ ଶରଣାର୍ଥୀ । ପୋଲାଣ୍ଡ ଦେଇ ଏମାନେ ୟୁରୋପରେ ପ୍ରବେଶ କରିବାକୁ କରୁଛନ୍ତି ଚେଷ୍ଟା । ଅସହାୟ ଅବସ୍ଥାରେ ପଡି ରହିଛନ୍ତି ଶହ ଶହ ଶରଣାର୍ଥୀ । ଅତିସହ ଥଣ୍ଡାରେ କେବଳ କାଠ ଜାଳି ସୀମାରେ ପଡି ରହିଛନ୍ତି । ପୋଲାଣ୍ଡ ଦେଶରେ ପଶାଇ ଦେଉନାହିଁ ଆଉ ବେଲାରୁସ ଦେଶରେ ରଖିବାକୁ ଦେଉନାହିଁ ।

Advertisment

ପୋଲାଣ୍ଡ ସମେତ ୟୁରୋପୀୟ ସଂଘର ଅନ୍ୟ ଦେଶ ଲିଥୁଆନିଆ, ଲାତୱିଆରେ ମଧ୍ୟ ଏସିୟ ଦେଶର ଶରଣାର୍ଥୀମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ପୋଲାଣ୍ଡ ସୀମାରେ ସ୍ଥିତି ସବୁଠାରୁ ଉକ୍ରଟ ଦେଖିବାକୁ ମିଳୁଛି ।

ସେପଟେ ଶରଣାର୍ଥୀଙ୍କ ପ୍ରବେଶ ନେଇ ପୋଲାଣ୍ଡ ସରକାର ବେଲାରୁସ ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର ଲୁକାଶେଂକୋଙ୍କୁ ଦାୟୀ କରିଛନ୍ତି । ବେଲାରୁସ ରାଷ୍ଟ୍ରପତି ଶରଣାର୍ଥୀଙ୍କୁ ମୋହରା ଭଳି ବ୍ୟବହାର କରୁଥିବା କହିଛନ୍ତି ପୋଲାଣ୍ଡ ପ୍ରଧାନମନ୍ତ୍ରୀ ମୈତୁଶ ମୋରାୱେସ୍କି । ସେ କହିଛନ୍ତି, “ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର ଆଧୁନିକ ଯୁଦ୍ଧ ପାଇଁ ଶରଣାର୍ଥୀଙ୍କୁ ଅସ୍ତ୍ର ଭଳି ବ୍ୟବହାର କରୁଛନ୍ତି । ଏହି ଶରଣାର୍ଥୀ ପୋଲାଣ୍ଡରେ ପ୍ରବେଶ କରି ଦେଶର ସୁରକ୍ଷା ପ୍ରତି ବିପଦ ଆଣିପାରନ୍ତି । ଆଉ ଏଥିରେ ପୋଲାଣ୍ଡ ସେନା ହାର ମାନିବ ନାହିଁ” ।

ଶରଣାର୍ଥୀଙ୍କ ସମସ୍ୟା ନେଇ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀକାଳିନ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଶରଣାର୍ଥୀଙ୍କ ସମସ୍ୟା ପାଇଁ ବେଲାରୁସ ସରକାରଙ୍କୁ ଦାୟୀ କରାଯାଇଛି । ସେପଟେ ପୋଲାଣ୍ଡ ସୀମାରେ ଶରଣାର୍ଥୀଙ୍କ ଅସହାୟ ଅବସ୍ଥା ନେଇ ୟୁରୋପୀୟ ସଂଘକୁ ଦାୟୀ କରିଛି ଋଷ । ଏସବୁ ଭିତରେ ଶରଣାର୍ଥୀଙ୍କ ଅବସ୍ଥା କିନ୍ତୁ ଅତି ଦୟନିୟ ହୋଇପଡିଛି ।