ମହୁଲି ମଦରେ ବିଷ ! ଯେ କୌଣସି ମୁହୂର୍ତ୍ତରେ ହୋଇପାରେ ମଦମୃତ୍ୟୁ ; ମହୁଲି ମଦ ନେଇ ସାଂଘାତିକ ତଥ୍ୟ ଦେଲେ ସିଏଜି

252

କନକ ବ୍ୟୁରୋ : ରାଜ୍ୟରେ ଖୋଲାଖୋଲି ବିକ୍ରି ହେଉଛି ଅପମିଶ୍ରିତ ମହୁଲି ମଦ। ଗୋଟିଏ କି ଦୁଇଟି ଜିଲ୍ଲାରେ ନୁହେଁ, ଅଧିକାଂଶ ଜିଲ୍ଲାରେ। ଏପରିକି ମହୁଲି ମଦର ବ୍ୟବହାର ଅବଧି ସମାପ୍ତ ହେବା ପରେ ବି ତାହାକୁ ବିକ୍ରି କରାଯାଉଛି । ଏକାଧିକ ସ୍ଥାନରେ ଏକଥା ଖୋଲମ୍ ଖୋଲା ଚାଲିଛି। କେବଳ ସେତିକି ନୁହେଁ, ମଦ ମାଫିଆ ଓ ଅବକାରୀ ଅଧିକାରୀ ହାତ ମିଳାଇଛନ୍ତି। ଦୋଷୀକୁ ଦଣ୍ଡବିଧାନ ନାହିଁ । ଆଉ ଜଣେ ଜଣେ ମାଫିଆ ଏକାଧିକ ଥର ଦଣ୍ଡିତ ହେବା ପରେ ବି ପୁଣି ଏହି କୁକାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଏମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଅବକାରୀ ବାବୁମାନଙ୍କର ହାତ ଯାଉନି ।

ଅବକାରୀ ବିଭାଗରେ ଚାଲିଥିବା ଏଭଳି ସାଂଘାତିକ କେଳେଙ୍କାରୀ ସଂପର୍କରେ ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି) ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛନ୍ତି। ଏହି ରିପୋର୍ଟକୁ ନିରେଖି ଦେଖିଲେ, ଯେ କେହି ଆଶଙ୍କା କରିବ ଯେ ରାଜ୍ୟରେ ଯେ କୌଣସି ସମୟରେ ମଦମୃତ୍ୟୁ ହୋଇପାରେ। ଅନେକ ଲୋକଙ୍କ ଜୀବନ ଯିବା କିଛି ବିଚିତ୍ର ନୁହେଁ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା,ଏ ସଂପର୍କରେ ସମସ୍ତେ ଜାଣିଛନ୍ତି। ବିଭାଗର ମୂଳଠାରୁ ଚୂଳ ଯାଏ, ଏପରିକି ସରକାର ବି ଜାଣିଛନ୍ତି। ଆଖିଦୃଶିଆ ତନାଘନା ତ ହୋଇନାହିଁ, ହାଇକୋର୍ଟଙ୍କ ନିର୍ଦେଶକୁ ଖୋଲା ଉଲ୍ଲଂଘନ ଭଳି ଦୁଃସାହସ ଦେଖାଇଛନ୍ତି।

ଓଡ଼ିଶାର ୩୦ଟି ଜିଲ୍ଲାରୁ ୨୧ଟି ଜିଲ୍ଲାରେ ମହୁଲି ମଦ ଉତ୍ପାଦନ ଓ ବିକ୍ରୟ କରାଯାଏ। ସେଗୁଡିକ ହେଲା ଅନୁଗୁଳ, ବରଗଡ, ବଲାଙ୍ଗୀର, ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଝାରସୁଗୁଡା କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଂଜ, ନବରଙ୍ଗପୁର, ନୂଆପଡା, ରାୟଗଡା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ। ଓଡ଼ିଶା ଅବକାରୀ ବିଭାଗ ନିଜେ ମହୁଲଫୁଲ ଆମଦାନୀ ଠାରୁ ଆରମ୍ଭ କରି ରପ୍ତାନୀ, ବ୍ୟବହାର, ମହୁଲି ମଦ ଉତ୍ପାଦନ, ବିକ୍ରି ଆଦିକୁ ନିୟନ୍ତ୍ରିତ କରିଥାନ୍ତି। ୨୦୦୦ ମସିହାଠାରୁ ରାଜ୍ୟ ସରକାର ମହୁଲ ମଦକୁ କ୍ଷୁଦ୍ର ଜଙ୍ଗଲ ଜାତ ଦ୍ରବ୍ୟ ଭାବେ ପରିଗଣିତ କରିଛନ୍ତି। ୨୦୧୮ ମସିହାରେ ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ସିଏଜିଙ୍କ ଟିମ୍ ବରଗଡ, ଗଞ୍ଜାମ, କେନ୍ଦୁଝର, ମୟୂରଭଂଜ, ନୂଆପଡା, ସମ୍ବଲପୁର ଓ ସୁନ୍ଦରଗଡ ଭଳି ୮ଟି ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଯାଇ ନଥିପତ୍ର ଯାଞ୍ଚ ଓ କିଛି ସ୍ଥାନରେ ସରଜମିନ୍ ଅନୁଧ୍ୟାନ କରିଥିଲେ। ମୋଟ ୨୬୪ଟି ମହୁଲି ମଦ ଦୋକାନ ମଧ୍ୟରୁ ୮୩ଟି ମୁଖ୍ୟ ଦୋକାନରେ ସରକାରୀ ନିୟମକାନୁନ୍ ଠିକ୍ ଭାବେ ଅନୁପାଳନ ହେଉଛି କି ନାହିଁ, ତାହାର ସମୀକ୍ଷା କରିଥିଲେ।

ଅଡିଟ୍ ରିପୋର୍ଟ କହୁଛି, ଲାଇସେନ୍ସଧାରୀମାନେ ଖୋଲାଖୋଲି ନିୟମ ଉଲ୍ଲଂଘନ କରିଛନ୍ତି, ଯେଉଁଥିପାଇଁ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି। ସମାନ ଅଭିଯୋଗରେ କେବଳ ଭିନ୍ନ ଭିନ୍ନ ଦଣ୍ଡବିଧାନ ହୋଇଛି ତା ନୁହେଁ, ୨୮ ଜଣ ଲାଇସେନ୍ସଧାରୀଙ୍କ ମଧ୍ୟରୁ ୪ଜଣ ବାରମ୍ବାର ଆଇନକୁ ଫାଙ୍କି ଧରାପଡିଥିଲେ ମଧ୍ୟ ଅବକାରୀ ଅଧିକାରୀମାନେ ସାଂଘାତିକ ତ୍ରୁଟି କ୍ଷେତ୍ରରେ ବି ୫୨୦୦ ଟଙ୍କା, ୫ହଜାର ଟଙ୍କା, ୨ ହଜାର ଟଙ୍କା ଏଭଳି ମନଇଚ୍ଛା ଜରିମାନା କରିଛନ୍ତି। କଳାହାଣ୍ଡି, କେନ୍ଦୁଝର ଜିଲ୍ଲାରେ ଏଭଳି ଘଟଣାମାନ ଘଟିଛି। ମହୁଲି ମଦ ବିକ୍ରି ଉପରେ ୨୦୦୯ ମସିହାରେ ଅବକାରୀ ଆୟୁକ୍ତ ଏକ ନିର୍ଦେଶନାମା ଜାରି କରିଥିଲେ। ଏହାକୁ ପାଳନ କରାଯାଉନଥିବା ନେଇ ୨୦୧୧ ମସିହାରେ ଏକ ରିଟ୍ ଆବେଦନର ଶୁଣାଣିରେ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସିଧା ସିଧା କହିଥିଲେ, ଯେଉଁମାନେ ମାର୍ଗଦର୍ଶିକାକୁ କଠୋର ଭାବେ ପାଳନ କରିବେ ନାହିଁ, ସେମାନଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ରୁଜୁ କର। ୨୦୧୪ରେ ଏହି ଚିଠି ପୁଣି ଯାଇଥିଲା। ଅବକାରୀ ବାବୁ ଏତେ ବେଫିକର ଯେ ଏହାକୁ ଫାଙ୍କି ଉଡ଼ାଇ ଦେଇଥିଲେ। ଅବକାରୀ ଆୟୁକ୍ତ ନିର୍ଦେଶ ଦେଇଥିଲେ ଯେ ପିଲିଥିନ୍ ମଦ ପୁଡିଆରେ କୋଡ୍ ନମ୍ବର, ଅବକାରୀ ଅଧୀକ୍ଷକଙ୍କ ଅନୁମାେଦିତ ଚିହ୍ନ, ପରିମାଣ, ମାଦକୀୟ ଶକ୍ତି, ଉତ୍ପାଦନ ତାରିଖ ଓ ଉତ୍ପାଦକଙ୍କ ନାମ ନିଶ୍ଚିତ ଲେଖାଯିବ। ଗଞ୍ଜାମ, କେନ୍ଦୁଝର ଓ ମୟୂରଭଂଜରେ ଅଡିଟ୍ ଟିମ୍ ଦେଖିଥିଲେ, ପାଖାପାଖି ୩୨.୫୩% ମଦ ଦୋକାନୀ କୌଣସି ଚିହ୍ନ ରଖିନଥିଲେ କି କୋଡ୍ ବ୍ୟବହାର କରୁନଥିଲେ। ୨୨ଟି ଦୋକାନୀ ନିଜେ ନିଜେ କୋଡ୍ କରିଦେଇଥିଲେ। କୋଡ୍ ନେଇଥିବା ସତ୍ତ୍ବେ ୭ଟି ଦୋକାନୀ ଅଲଗା ଚିହ୍ନ ବ୍ୟବହାର କରୁଥିଲେ। ଏକଥା ସବୁ ଜାଣି ବି ଅବକାରୀ ଅଧିକାରୀମାନେ ଫୌଜଦାରୀ ମକଦ୍ଦମା ରୁଜୁ କରିନାହାନ୍ତି। ଯାହାକୁ ନେଇ ଅଡିଟ୍ ଟିମ୍ ତୀବ୍ର ଅସନ୍ତୋଷ ଝାଡ଼ିଛନ୍ତି।

ନିୟମ ଅନୁସାରେ, ମହୁଲି ମଦ ଉତ୍ପାଦନ ତାରିଖ ଠାରୁ ୧୫ ଦିନ ମଧ୍ୟରେ ବ୍ୟବହାର ହେବ ଓ ଏହା ବାଦ୍ ନଷ୍ଟ କରିଦିଆଯିବ। ଦୋକାନ ଦାୟିତ୍ବରେ ଥିବା ଅବକାରୀ ଅଧିକାରୀ ଏ ସଂକ୍ରାନ୍ତରେ ଏକ ପ୍ରମାଣ ପତ୍ର ଦେଇ ଏହାକୁ ସୁନିଶ୍ଚିତ କରିବେ। କିନ୍ତୁ ଅଡିଟ୍ ବେଳେ ଦେଖାଯାଇଥିଲା, ୧୫୭୦ ଲିଟର ମଦ ଅବଧି ସମାପ୍ତ ପରେ ବିକ୍ରି କରିଛନ୍ତି। ଦାୟିତ୍ବରେ ଥିବା ବାବୁ ନଷ୍ଟ କରିନାହାନ୍ତି କି ଏ ସଂପର୍କିତ ପ୍ରମାଣ ପତ୍ର ଅଡିଟ୍‌କୁ ଦେଖାଇ ପାରିନାହାନ୍ତି। ସିଏଜି ଯାଞ୍ଚ କରିଥିବା ୮୩ଟି ମଦ ଦୋକାନ ମଧ୍ୟରୁ ୫୬ଟିରେ ମଦ ପଲିଥିନ୍ ପ୍ୟାକେଟ୍ ଉପରେ ଉତ୍ପାଦନ ତାରିଖ ଦିଆଯାଇନଥିଲା। ଫଳରେ ଏହାର ସମୟ ଅବଧି ପରେ ଲୋକେ ବ୍ୟବହାର କରିଥିଲେ। ସେହିଭଳି ୬୭ଟି ମହୁଲି ମଦ ଦୋକାନ ପ୍ୟାକେଟ୍‌ ଉପରେ ବିକ୍ରୟ ଦର ମୁଦ୍ରଣ କରିନଥିଲେ। ୧୬ ଟଙ୍କାରୁ ୪୫ ଟଙ୍କା ପର୍ଯ୍ୟନ୍ତ ଏସବୁ ବିକ୍ରି କରାଯାଉଥିଲା। ଗରିବ ଉପଭୋକ୍ତାଙ୍କୁ ଖୋଲାଖୋଲି ଶୋଷଣ କରିବା ଲାଗି ମଦ ବ୍ୟବସାୟୀଙ୍କୁ ଛାଡ଼ିଦେଇ ଅବକାରୀ ଅଧିକାରୀମାନେ ଚୁପ୍ ବସିଯାଇଥିଲେ।

ଆହୁରି ସାଂଘାତିକ କଥା ହେଲା, ମହୁଲ ଫୁଲ ମହୁଲି ମଦ ଉତ୍ପାଦନର ମୂଳ ପଦାର୍ଥ। ମହୁଲ ଫୁଲ ବଦଳରେ ଗୁଡ କିମ୍ବା ଅନ୍ୟ କୌଣସି ବିକଳ୍ପର ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ହେଲେ ଅନୁଧ୍ୟାନ କରିବା ବେଳେ ଅଡିଟ୍ ଟିମ୍ ଦେଖିଥିଲେ ଯେ ଗଞ୍ଜାମ, କଳାହାଣ୍ଡି, ମୟୂରଭଂଜ ଓ ନୂଆପଡାରେ ୨୬ଜଣ ଲାଇସେନ୍ସଧାରୀ ମହୁଲି ମଦ ତିଆରି ପାଇଁ ଗୁଡ ବ୍ୟବହାର କରୁଥିଲେ। ୪୦ଜଣ ମହୁଲି ମଦ ବ୍ୟବସାୟୀ ନିମ୍ବ, ସହଜ, ବାଖର ଓ ଭେଣ୍ଡି ପ୍ରଭୃତିର ପତ୍ର ମିଶାଉଥିଲେ। ଏହାଦ୍ବାରା ମହୁଲି ମଦରେ ଅଧିକ ପରିମାଣରେ ଫରମେଣ୍ଟବଲ୍‌ ଶ୍ବେତସାର ଜାତ ହୋଇଥିଲା ଓ ଲୋକେ ପିଇଥିଲେ। ନିୟମ ଅନୁସାରେ, ସ୍ପିରିଟ୍‌ରେ ତମ୍ବା ଓ ଲୁହା ଭାଗ ଜାଣିବା ପାଇଁ ତାହାର ନିୟମିତ ବ୍ୟବଧାନରେ ରାସାୟନିକ ବିଶ୍ଳେଷଣ ହେବା କଥା। ଏହାଦ୍ବାରା ସେସବୁ ପାନୀୟ ଉପଯୋଗୀ କି ନାହିଁ, ତାହା ଜଣାପଡିବ। ମାତ୍ର ଏସବୁ କିଛି ବି କରାଯାଇନାହିଁ।

ଅଡିଟ୍ ରିପୋର୍ଟ ପରୋକ୍ଷରେ ସୂଚାଇ ଦେଉଛି ଯେ ଅବକାରୀ ବିଭାଗରେ ମୂଳରୁ ଚୂଳ ପର୍ଯ୍ୟନ୍ତ ସମସ୍ତେ ଜାଣି ନିରବଦ୍ରଷ୍ଟା ସାଜିଛନ୍ତି। କାରଣ ଆଇନ ଓ ହାଇକୋର୍ଟଙ୍କ ନିର୍ଦେଶକୁ ଖୋଲାଖୋଲି ଜଳାଞ୍ଜଳି ଦିଆଯାଇଥିଲେ ହେଁ ବିଭାଗର ବଡ ବାବୁ ଓ ମନ୍ତ୍ରୀ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ଉଲ୍ଲେଖଯୋଗ୍ୟ, ମଦ ମୃତ୍ୟୁ ମାମଲା ଓଡ଼ିଶା ରାଜନୀତି ଇତିହାସରେ ବହୁତ ବଡ଼ ପ୍ରସଙ୍ଗ ଭାବେ ବିଭିନ୍ନ ସମୟରେ ଉଭା ହୋଇଛି। ଏପରିକି ନବୀନ ପଟ୍ଟନାୟକଙ୍କ ସରକାର ଆସୁ ଆସୁ ପୁରୀ, ଖୋର୍ଧା ଆଦିରେ ମଦମୃତ୍ୟୁ କମ୍ପନ ସୃଷ୍ଟି କରିଥିଲା। ପରବର୍ତୀ ସମୟରେ ଦ୍ବିତୀୟ ପାଳିରେ ବି ପୂର୍ବତନ ଅବକାରୀମନ୍ତ୍ରୀ କାଳିନ୍ଦୀ ବେହେରାଙ୍କ ପଦ ଯାଇଥିଲା। ନବୀନଙ୍କ ତୃତୀୟ ପାଳିରେ ଖୋର୍ଧା, କଟକ ମଦମୃତ୍ୟୁ ମାମଲାରେ ୩୩ଜଣଙ୍କର ମୃତ୍ୟୁ ହୋଇଥିଲା ଓ ତତ୍କାଳୀନ ଅବକାରୀ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିଲେ।